ଭାରତୀୟ ମୁଷ୍ଟିଯୁଦ୍ଧ ଦଳର ୮ ଜଣଙ୍କୁ କରୋନା, ହରମନପ୍ରୀତ୍‌ କୌରଙ୍କୁ ବି ‌କରୋନା

ତୁର୍କି: ଇସ୍ତାନବୁଲ ଗସ୍ତରେ ଥିବା ଭାରତୀୟ ମୁଷ୍ଟିଯୁଦ୍ଧ ଦଳର ୮ ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ୫ ମୁଷ୍ଟିଯୋଦ୍ଧାଙ୍କ ମଧ୍ୟରେ ରହିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଗୌରବ ସୋଲାଙ୍କି (୫୭ କେଜି), ବ୍ରିଜେଶ ଯାଦବ (୮୧ କେଜି) ଓ ଦୁର୍ଯ୍ୟୋଧନ ନେଗି (୬୯ କେଜି)। ଦଳର ପ୍ରଶିକ୍ଷକ ଧର୍ମେନ୍ଦର ଯାଦବ ଓ ସନ୍ତୋଷ ବିର୍ମୋଲେ, ଭିଡିଓ ବି‌ଶ୍ଳେଷକ ନିତିନ କୁମାର ଏବଂ ଫିଜିଓଥେରାପିଷ୍ଟ ଶିଖା କେଡ଼ିଆ ଓ ଡ. ଉମେଶଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି। ମାର୍ଚ ୧୫ରୁ ଖେଳାଯାଇଥିବା ପ୍ରତିଯୋଗିତା ଲାଗି ୧୩ ଜଣିଆ ଭାରତୀୟ ଦଳ ଏହି ଗସ୍ତ କରିଥିଲା। ଏଥିରେ ନିଖତ ଜରୀନ (୫୧ କେଜି) ଓ ଗୌରବ ସୋଲାଙ୍କି ଭାରତ ପାଇଁ ୨ ‌କାଂସ୍ୟ ପଦକ ଜିତିଥିଲେ। ପ୍ରତିଯୋଗିତା ଶେଷ ହେବା ପରେ ସ୍ବଦେଶ ଫେରିବା ପୂର୍ବରୁ ହୋଇଥିବା କୋଭିଡ ପରୀକ୍ଷାରୁ ଏମାନଙ୍କ ରିପୋର୍ଟ ପଜିଟିଭ୍‌ ବାହାରିଥିଲା। ଏବେ ଦ୍ବିତୀୟ ପରୀକ୍ଷା କରାଯିବ। ଏଥିରେ ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ ସେମାନେ ଭାରତ ଫେରିବେ। ନଚେତ୍‌ ଆଉ ଗୋଟିଏ ସପ୍ତାହ ଇସ୍ତାନବୁଲରେ ରହିବାକୁ ପଡ଼ିବ ବୋଲି ଜଣେ ମୁଷ୍ଟିଯୋଦ୍ଧା ପ୍ରକାଶ କରିଛନ୍ତି।

ପତିଆଲା: ଭାରତୀୟ ମହିଳା ଟ୍ବେଣ୍ଟି-୨୦ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କ କୋଭିଡ ‌ରିପୋର୍ଟ ପଜିଟିଭ୍‌ ଆସିଛି। ହେଲେ ତାଙ୍କର କମ୍‌ ଲକ୍ଷଣ ଥିବା ସୂଚନା ମିଳିଛି। ମାର୍ଚ ୧୭ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆରେ ଆହତ ହୋଇଥିବା ହରମନପ୍ରୀତ ଟ୍ବେଣ୍ଟି-୨୦ ‌ଶୃଙ୍ଖଳା ଖେଳିନଥିଲେ। ତାଙ୍କର ଜ୍ବର ହେବାରୁ ସେ ସୋମବାର କରୋନା ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏବେ ସେ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ସଂପ୍ରତି ସେ ଭଲ ଅଛନ୍ତି ଏବଂ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ହରମନପ୍ରୀତଙ୍କ ଜଣେ ନିକଟତର ସାଥୀ ଖେଳାଳି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର