ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ କ୍ରିକେଟ୍ର ଲୋକପ୍ରିୟତା ବଢ଼ି ବଢ଼ି ଚାଲିଥିବା ବେଳେ ଟେଷ୍ଟ୍ କ୍ରିକେଟ୍ ମରଣ ମୁହାଁ ବୋଲି ବେଶ କିଛି ବର୍ଷ ହେବ ଚର୍ଚ୍ଚା ଚାଲିଛି। ବହୁ ପୂର୍ବତନ ମହାନ ଖେଳାଳିମାନେ ଟେଷ୍ଟ୍ କ୍ରିକେଟ୍ର ଗୁରୁତ୍ବ ଅପରିହାର୍ଯ୍ୟ କହି ଆସୁଥିଲେ ମଧ୍ୟ ବାସ୍ତବ ଚିତ୍ର ଅଲଗା। ପୂର୍ବତନ ଅଲରାଉଣ୍ଡର୍ ଯୁବରାଜ ସିଂହଙ୍କ ସଦ୍ୟତମ ପ୍ରତିକ୍ରିୟା ଏଭଳି ବୟାନ ରଖୁଛି। ଦୁଇ ଥର ବିଶ୍ବକପ୍ ବିଜେତା ଯୁବରାଜ କହିଛନ୍ତି, ‘ଟେଷ୍ଟ୍ କ୍ରିକେଟ୍ ଏବେ ମରଣ ମୁହାଁ, ଲୋକମାନେ ଟେଷ୍ଟ୍ କ୍ରିକେଟ୍ ଦେଖିବାକୁ ଚାହୁଁଛନ୍ତି, ସଭିଏ ଟ୍ବେଣ୍ଟି-୨୦ କ୍ରିକେଟ୍ ଖେଳିବାକୁ ଚାହୁଁଛନ୍ତି। ଫଟାଫଟ ଫର୍ମାଟର କ୍ରିକେଟ୍ରୁ ପ୍ରଚୁର ଅର୍ଥ ମିଳୁଥିବାରୁ ଖେଳାଳିମାନେ ସେମାନଙ୍କ ଅଗ୍ରାଧିକାରକୁ ପୁନଃବିଚାର କରିବାକୁ ବାଧ୍ୟ ହେଉଛନ୍ତି। କାହିଁକି ଜଣେ ୫ ଦିନ ଖେଳି ୫ ଲକ୍ଷ ପାଇବ? ଟ୍ବେଣ୍ଟି-୨୦ କ୍ରିକେଟ୍ ଖେଳି ସେ ଗୋଟିଏ ଋତୁରେ ସହଜରେ ୫୦ ଲକ୍ଷ ରୋଜଗାର କରିପାରିବ।
ଏପରିକି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନଥିବା ବହୁ ଖେଳାଳି ବର୍ଷକୁ ୭-୧୦ କୋଟି ଆୟ କରିପାରୁଛନ୍ତି’। ସମ୍ପ୍ରତି ବହୁ ଟେଷ୍ଟ ଖେଳୁଥିବା ଦେଶରେ ଫ୍ରାଞ୍ଚାଇଜ୍ ଭିତ୍ତିକ ଟ୍ବେଣ୍ଟି-୨୦ କ୍ରିକେଟ୍ ଖେଳାଯାଉଛି। ଆଇପିଏଲ୍ ଜରିଆରେ ଭାରତ ଏହାର ନେତୃତ୍ବ ମଧ୍ୟ ନେଉଛି। ଏହି ଅବସରରେ ଯୁବରାଜ ମଧ୍ୟ ୫୦ ଓଭରିଆ କ୍ରିକେଟ୍ର ଅସ୍ଥିତ୍ବ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଆପଣ ଟ୍ବେଣ୍ଟି-୨୦ ମ୍ୟାଚ୍ ଦେଖିବା ପରେ ଦିନିକିଆ ମ୍ୟାଚ୍ ଦେଖନ୍ତୁ। ଏହା ଟେଷ୍ଟ୍ ମ୍ୟାଚ୍ ଭଳି ଲାଗିବ। ତେଣୁ ଟ୍ବେଣ୍ଟି-୨୦ କ୍ରିକେଟ୍ ସବୁକିଛିକୁ ଟପିଯାଉଛି’ ବୋଲି ୨୦୧୧ ବିଶ୍ବକପ୍ର ଏହି ଶ୍ରେଷ୍ଠ ଖେଳାଳି ପ୍ରକାଶ କରିଥିଲେ। ଭାରତ ପାଇଁ ୪୦ ଟେଷ୍ଟ୍, ୩୦୮ ଦିନିକିଆ, ୫୮ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଥିବା ଯୁବରାଜ ଏକମାତ୍ର ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି। ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍ ବିଜେତା ଦଳର ପ୍ରମୁଖ ସଦସ୍ୟ ଥିଲେ।
ଚାପେଲ୍ ବିବାଦରୁ ଅଧିନାୟକ ପଦ ହାତଛଡ଼ା
୨୦୦୭ ମସିହା ବେଳକୁ ଭାରତୀୟ କ୍ରିକେଟ୍ ଦଳରେ ବହୁ ବରିଷ୍ଠ ଖେଳାଳି ଥିଲେ ବି ନେତୃତ୍ବ ନେବାର ବିକଳ୍ପରେ ଥିଲେ କ୍ବଚିତ୍। ହେଲେ ଯୁବ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କୁ ଦିଆଯାଇଥିଲା ନେତୃତ୍ବ ଭାର। ଦଳର ଅଧିକାଂଶ ସଦସ୍ୟଙ୍କୁ ଏହା ଚକିତ କରିଥିଲେ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା ହେବା ପରେ ସମସ୍ତେ ଚୁପ୍ ରହିଥିଲେ। ସେତେବେଳେ ଦିନିକିଆ ଦଳର ଉପଅଧିନାୟକ ଥିବା ଯୁବରାଜ ସିଂହଙ୍କୁ ନେତୃତ୍ବ ଭାର ମିଳିବ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଧୋନିଙ୍କୁ ନେତୃତ୍ବ ଦିଆଯିବା ପରେ ଯୁବରାଜ ସିଂହ ମଧ୍ୟ ନିଜେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ବୋଲି ସ୍ବୀକାର କରିଛନ୍ତି। ଗ୍ରେଗ୍ ଚାପେଲ୍ ବିବାଦ ଏବଂ ସଚିନ ତେନ୍ଦୁଲକରଙ୍କୁ ସମର୍ଥନ କରୁଥିବାରୁ ଯୁବରାଜ ସିଂହଙ୍କ ହାତରୁ ଅଧିନାୟକ ପଦ ଖସିଯାଇଥିଲା। ବିସିସିଆଇ ଅଧିକାରୀଙ୍କ ସହ ସୁସମ୍ପର୍କ ନରହିବାରୁ ତାଙ୍କୁ ମଧ୍ୟ ଉପଅଧିନାୟକ ପଦ ହରାଇବାକୁ ପଡ଼ିଥିଲା। ତଥାପି ମୁଁ ଏଥିପାଇଁ ଅନୁତପ୍ତ ନୁହେଁ, ସାଥି ଖେଳାଳିଙ୍କୁ ଏବେ ବି ସମର୍ଥନ କରେ’ ବୋଲି ଯୁବି ପ୍ରକାଶ କରିଛନ୍ତି।