ଭୁବନେଶ୍ବରରେ ୮ ବିଶ୍ବକପ୍‌ ମ୍ୟାଚ୍‌

ଭୁବନେଶ୍ବର: ଆସନ୍ତା ବର୍ଷକୁ ଘୁଞ୍ଚିଥିବା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ୍‌ର ମୋଟ ୮ ମ୍ୟାଚ୍ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ। ୨୦୨୧ ମସିହା ଫେବ୍ରୁଆରି ୧୭ ତାରିଖରେ ଭୁବନେଶ୍ବର ଓ ଗୁଆହାଟୀରୁ ୨ଟି ଲେଖାଏଁ ମ୍ୟାଚ୍‌ ଆରମ୍ଭ ହୋଇ ନଭି ମୁମ୍ବାଇରେ ମାର୍ଚ ୭ ତାରିଖ ଫାଇନାଲ୍ ସହ ଉଦ୍‌ଯାପିତ ହେବ। କଳିଙ୍ଗ ଷ୍ଟାଡିୟମ୍‌ରେ ଏହା ପରେ ଆଉ ୪ଟି ଲିଗ୍ (‌ଫେବ୍ରୁଆରି ୨୦ ଓ ୨୩ରେ ୨ ଲେଖାଏଁ) ମ୍ୟାଚ୍‌ ଖେଳାଯିବ। ସେହିଭଳି ଫେବ୍ରୁଆରି ୨୮ ଓ ମାର୍ଚ ୩ ତାରିଖରେ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍‌ ଗୋଟିଏ ଲେଖାଏଁ କ୍ବାର୍ଟର ଫାଇନାଲ୍ ଓ ସେମିଫାଇନାଲ୍ ମ୍ୟାଚ୍‌ ଆୟୋଜନ କରିବ ବୋଲି ମଙ୍ଗଳବାର ପୁନଃଘୋଷିତ ଖେଳସୂଚୀରୁ ଜଣାପଡିଛି।

ସୂଚନାଯୋଗ୍ୟ, ୧୭ ବର୍ଷରୁ କମ୍ ବିଶ୍ବକପ୍‌ ଚଳିତ ବର୍ଷ ନଭେମ୍ବର ମାସରେ ହେବାର ଥିଲା। କିନ୍ତୁ କୋଭିଡ୍‌-୧୯ ମହାମାରୀ କାରଣରୁ ଏହାକୁ ଘୁଞ୍ଚାଇବାକୁ ପଡ଼ିଛି। ଭୁବନେଶ୍ବର ସମେତ ଗୁଆହାଟୀ, ଅହମ୍ମଦାବାଦ, କୋଲକାତା, ନଭି ମୁମ୍ବାଇରେ ଏହି ମର୍ଯ୍ୟଦାଜନକ ପ୍ରତିଯୋଗିତା ଖେଳାଯିବ। ଭାରତୀୟ ଦଳ ପଦାର୍ପଣ ସୁଯୋଗ ପାଇବ। ମୋଟ ୧୬ ଦେଶ ଏଥିରେ ଭାଗନେବେ। ୨୦୧୭ ମସିହାରେ ଭାରତ ମଧ୍ୟ ୧୭ ବର୍ଷରୁ କମ୍ ବାଳକ ଫିଫା ବିଶ୍ବକପ୍‌ ଆୟୋଜନ କରି ସଫଳତା ପାଇଥିଲା। ଦୁଇ ଦିନ ପରେ ୨୦୨୩ ଫିଫା ମହିଳା ବିଶ୍ବକପ୍‌ ଆୟୋଜକ ଦେଶ ଘୋଷଣା ହେବାର ରହିଛି।

ସମ୍ବନ୍ଧିତ ଖବର