୮୨ ବର୍ଷର କୀର୍ତିମାନ ଭାଙ୍ଗିବା ଦ୍ବାରରେ ୟାସିର୍‌

ଦୁବାଇ: ପାକିସ୍ତାନର ଡାହାଣହାତୀ ସ୍ପିନର ୟାସିର୍‌ ଶାହା ୮୨ ବର୍ଷ ତଳର ଏକ କୀର୍ତିମାନ ଭାଙ୍ଗିଦେବା ଦ୍ବାରରେ ପହଞ୍ଚିଛନ୍ତି। ଏହି ପାକ୍‌ ସ୍ପିନର ଏଠାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ମୋଟ ୧୪ ୱିକେଟ୍‌ ଅକ୍ତିଆର କରି ୨୦୦ ୱିକେଟ୍‌ ଦଖଲ କରିବାରେ ଦ୍ରୁତତମ ହେବାକୁ ଯାଉଛନ୍ତି। କୌଣସି ଟେଷ୍ଟ୍‌ର ଗୋଟିଏ ଦିନରେ ୧୦ ୱିକେଟ୍‌ ନେବାରେ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ ପରେ ପ୍ରଥମ ବୋଲର ହେବାର ଗୌରବ ପାଇଥିବା ୟାସିର୍‌ ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳିରେ ୮ ଓ ଦ୍ବିତୀୟ ପାଳିରେ ୬ ୱିକେଟ୍‌ ପାଇଛନ୍ତି। ଏଥି ସହିତ ୩୨ ଟେଷ୍ଟ୍‌ ଖେଳିଥିବା ୟାସିର୍ ମୋଟ ୧୯୫ ୱିକେଟ୍‌ ଦଖଲ କରିସାରିଲେଣି। ସବୁଠୁ କମ୍‌ ଟେଷ୍ଟ୍‌ରେ ୨୦୦ ୱିକେଟ୍‌ ପୂରଣ କରିଥିବାର କୀର୍ତିମାନ ଏବେ ବି ଅଷ୍ଟ୍ରେଲିଆର କ୍ଲାରି ଗ୍ରିମେଟ୍‌ଙ୍କ ନାମରେ ରହିଛି। ଗ୍ରିମେଟ୍‌ ୧୯୩୬ ମସିହାରେ ୩୬ ଟେଷ୍ଟ୍‌ରୁ ୨୦୦ ୱିକେଟ୍‌ ପୂରଣ କରି ଦ୍ରୁତତମ କୀର୍ତିମାନ ଏପର୍ଯ୍ୟନ୍ତ ନିଜ ନାମରେ ଅତୁଟ ରଖିଛନ୍ତି। ଦୁଇ ବର୍ଷ ତଳେ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଏହି କୀର୍ତିମାନ ଭାଙ୍ଗିବାର ନିକଟତର ହୋଇଥିଲେ ମଧ୍ୟ ସଫଳ ହୋଇନଥିଲେ। ଅଶ୍ବିନ୍‌ ୨୦୦ ୱିକେଟ୍‌ରେ ପହଞ୍ଚିବା ପାଇଁ ଗ୍ରିମେଟ୍‌ଙ୍କଠାରୁ ଗୋଟିଏ ଅଧିକ (୩୭) ଟେଷ୍ଟ୍‌ ଖେଳିଥିଲେ। ହେଲେ ପାକ୍ ସ୍ପିନର ୟାସିର୍‌ ୮୨ ବର୍ଷ ତଳର ଗ୍ରିମେଟ୍‌ଙ୍କ କିର୍ତିମାନକୁ ଟପିବା ପାଇଁ ଆଉ ମାତ୍ର ୫ ୱିକେଟ୍‌ ପଛରେ ରହିଛନ୍ତି। ପୁଣି ସେ ମାତ୍ର ୩୨ ଟେଷ୍ଟ୍‌ରୁ ୧୯୫ ୱିକେଟ୍‌ ପାଇଥିବାରୁ ୩୬ ଟେଷ୍ଟ୍‌ ପୂର୍ବରୁ ଆଉ ମାତ୍ର ୫ ୱିକେଟ୍‌ ଦଖଲ କରିନେଲେ ଗ୍ରିମେଟ୍‌ଙ୍କ କୀର୍ତିମାନ ପଛରେ ପଡ଼ିଯିବ। ଚଳିତ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାର ତୃତୀୟ ତଥା ଶେଷ ଟେଷ୍ଟ୍‌ ଆସନ୍ତା ମାସ ୩ ତାରିଖରୁ ଆବୁଧାବିରେ ଖେଳାଯିବାକୁ ଥିଲା ବେଳେ ୟାସିର୍‌ଙ୍କ ପାଇଁ ସବୁଠୁ କମ୍‌ ଟେଷ୍ଟ୍‌ରେ ଦ୍ରୁତତମ ୨୦୦ ୱିକେଟ୍‌ ପୂରଣ କରିବାର ବଡ଼ ସୁଯୋଗ ରହିବ। ଏହାକୁ ମଧ୍ୟ ହାତଛଡ଼ା ନକରିବାକୁ ୟାସିର୍‌ ଚାହିଁ ବସିଛନ୍ତି। ଦ୍ରୁତତମ ୨୦୦ ଟେଷ୍ଟ୍‌ ୱିକେଟ୍‌ ଅକ୍ତିଆର କରିବାରେ ଗ୍ରିମେଟ୍‌ (୩୬) ଓ ଅଶ୍ବିନ୍‌ଙ୍କ ପଛକୁ ଅଷ୍ଟ୍ରେଲିଆର ଡେନିସ୍‌ ଲିଲି (୩୮), ପାକିସ୍ତାନର ୱକାର ୟୁନିସ୍‌ (୩୮) ଏବଂ ଦକ୍ଷିଣ ଆଫ୍ରିକାର ଡେଲ୍‌ ଷ୍ଟେନ୍‌ (୩୯) ଶ୍ରେଷ୍ଠ-୫ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର