ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ୩୯ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାରୋରକୁ ୮୫ ରନ୍ର ବିଜୟ ଲକ୍ଷ୍ୟ ଦେଇଛି କୋଲକାତା ନାଟଇ୍ ରାଇଡର୍ସ। ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସର ବୋଲରମାନେ ଚମକପ୍ରଦ ବୋଲିଂ ପ୍ରଦର୍ଶନ କରିଥିବାରୁ କୋଲକାତା ୨୦ ଓଭରରେ ୮ଟି ଓ୍ଵିକେଟ୍ ହରାଇ ୮୪ ରନ୍ କରିପାରିଥିଲା। ମହମ୍ମଦ ସିରାଜ ୩ଟି ଓ୍ଵିକେଟ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ୨ଟି ଓ୍ଵିକେଟ୍ ଅକ୍ତିଆର କରିଥିଲେ। ନଭଦୀପ ସଇନି ଓ ଓ୍ଵାସିଂଟନ ସୁନ୍ଦରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
କୋଲକାତା ନାଇଟ୍ ରାଇଡର୍ସର ଓପନର୍ ଶୁଭମନ୍ ଗିଲ୍ ଓ ରାହୁଲ ତ୍ରିପାଠୀ ମାତ୍ର ୧-୧ ରନ୍ କରି ପାଭଲିଅନକୁ ଫେରିଥିଲେ। ୨ୟ କ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ନୀତିଶ ରାଣା ଖାତା ନ ଖୋଲି ମହମ୍ମଦ ସିରାଜଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ସେହିପରି ସିରାଜଙ୍କ ଶିକାର ହୋଇଥିଲେ କୋଲକାତାର ଅନ୍ୟତମ ବ୍ୟାଟ୍ସମ୍ୟାନ ଟମ୍ ବଣ୍ଟନ୍ (୧୦ ରନ୍)। ଓ୍ଵିକେଟ କିପର ଦିନେଶ କାର୍ତ୍ତିକ ୧୪ଟି ବଲ ଖେଳି ମାତ୍ର ୪ ରନ୍ ଯୋଡ଼ିପାରିଥିଲେ।
କୋଲକାତା ଟିମ୍ର ଅଧିନାୟକ ଇଅନ୍ ମୋର୍ଗାନ ଦଳ ପାଇଁ ସର୍ବାଧିକ ୩୦ ରନ୍ ଯୋଡ଼ିଥିଲେ। ସେ ୩୪ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ଏହି ରନ୍ ସଂଗ୍ରହ କରିଥିଲେ। କୁଲଦୀପ ଯାଦବଙ୍କ ବ୍ୟାଟରୁ ଗୋଟିଏ ଚୌକା ସହ ୧୨ ରନ୍ ମିଳିଥିବା ବେଳେ ଲକି ଫରଗୁସନ ଅପରାଜିତ ୧୯ ରନ୍ କରିଥିଲେ। ସେ ୧୬ଟି ବଲ ଖେଳି ଗୋଟିଏ ଚୌକା ମାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/rcb-2.jpg)