ଭୁବନେଶ୍ବର : ଜର୍ମାନିର ବର୍ଲିନରେ ଚଳିତ ମାସ ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ସ୍ପେସାଲ ଅଲିମ୍ପିକ୍ସ ବିଶ୍ବ ଗ୍ରୀଷ୍ମ କ୍ରୀଡ଼ା। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୯ ଜଣ ଭାରତୀୟ ଦଳ ସହ ବର୍ଲିନ ଗସ୍ତ କରିବେ। ଦୌଡ଼କୁଦ, ବାସ୍କେଟବଲ୍, ସାଇକ୍ଲିଂ, ଫୁଟ୍ସାଲ ଓ ୟୁନିଫାଏଡ ବିଚ୍ ଭଲିବଲ୍ରେ ୭ ଜଣ ଖେଳାଳିଙ୍କ ସହ ୨ ଜଣ ପ୍ରଶିକ୍ଷକ ଭାଗନେବେ। ୟୁନିଫାଏଡ୍ ବିଚ୍ ଭଲିବଲ୍ ଦଳରେ କିଟ୍ର ମାମାଲି ନାଗ ଓ ଶିବାନୀ ପ୍ରିୟଦର୍ଶିନୀ ସ୍ଥାନ ପାଇଥିଲା ବେଳେ ଭୁବନେଶ୍ବରର ଅରିଦିତା ଚକ୍ରବର୍ତ୍ତୀ, ସଇନ୍ତଳାର ବୈଷ୍ଣବ ରାଜପାଲିଆ (ଦୌଡ଼କୁଦ), ବରପାଲିର ସଚିନ ବାରିକ (ଫୁଟ୍ସାଲ), ଆଠଗଡ଼ର କଳ୍ପନା ଜେନା (ସାଇକ୍ଲିଂ), ନିମାପଡ଼ାର ଜ୍ୟୋତିରଂଜନ ଓଝା (ଭଲିବଲ୍)ରେ ଭାଗନେବେ।
ପ୍ରଶିକ୍ଷକ ଭାବେ କିଟର ସସ୍ମିତା ରାଉତରାୟ (ବାସ୍କେଟବଲ୍) ଓ ବଲାଙ୍ଗୀରର ଝସକେତନ ସାହୁ (ଫୁଟ୍ସାଲ) ଦଳ ସହ ବିର୍ଲିନ ଯିବେ। ଭାରତୀୟ ଦଳ ସହ ଯୋଗ ଦେବାକୁ ଦିଲ୍ଲୀ ଗସ୍ତ କରିବା ପୂର୍ବରୁ କିଟ୍ଠାରେ ଖେଳାଳିମାନଙ୍କୁ ମଙ୍ଗଳବାର ବିଦାୟୀ ଶୁଭେଚ୍ଛା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ଅର୍ଜୁନ ପୁରସ୍କାରପ୍ରାପ୍ତ ସାଇକ୍ଲିଷ୍ଟ୍ ମିନତୀ ମହାପାତ୍ର, ସ୍ପେସାଲ ଅଲିମ୍ପିକ୍ ଭାରତ (ଏସ୍ଓବି) ଓଡ଼ିଶାର ଆଞ୍ଚଳିକ ମୁଖ୍ୟ ପ୍ରକାଶ ରଥ, ବିଆର୍ଏମ୍-ଆଶାର ଉପସଭାପତି ପ୍ରଦୀପ୍ତ କୁମାର ରଥ, ଏସ୍ଓବି ଓଡ଼ିଶା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅର୍ପିତା ମହାପାତ୍ର, ଜାତୀୟ ପ୍ରଶିକ୍ଷକ ଉମାକାନ୍ତ ଷଡ଼ଙ୍ଗୀ ଓ ସସ୍ମିତା ମହାପାତ୍ର ଏବଂ କିଟ୍ ଓ କିସ୍ର କ୍ରୀଡ଼ା ମହାନିର୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ।