ପ୍ୟାରିସ୍: ଚଳିତ ଜୁଲାଇ ୨୬ ତାରିଖରୁ ଆରମ୍ଭ ହେଉଥିବା ପ୍ୟାରିସ୍ ଅଲିମ୍ପିକ୍ସରେ ୧୧୭ ଜଣିଆ ଭାରତୀୟ ଦଳ ଭାଗନେବ। ଦଳ ସହ କିନ୍ତୁ ପ୍ରଶିକ୍ଷକ, ସପୋର୍ଟ ଷ୍ଟାଫ୍ ଓ କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞଙ୍କୁ ମିଶାଇ ୧୪୦ଜଣ ସାଧାରଣ ଅଧିକାରୀ ସେଠାକୁ ଯାତ୍ରା କରିବେ। ସେଥିମଧ୍ୟରେ ଥିବା ୭୨ଜଣ ଅଧିକାରୀ, ସପୋର୍ଟ ଷ୍ଟାଫ୍‌ଙ୍କ ରହିବା ଓ ଖାଇବା ଖର୍ଚ୍ଚ ସିଧାସଳଖ ଭାରତ ସରକାର ବହନ କରିବେ। ଅର୍ଥାତ୍ ଏମାନେ ପ୍ୟାରିସ୍ ଅଲିମ୍ପିକ୍ସ କ୍ରୀଡ଼ାଗ୍ରାମ ବାହାରେ ରହି ଦଳକୁ ସହାୟତା ଦେବେ ଏବଂ ସରକାରଙ୍କଠାରୁ ଏଗିଲାଗି ଭତ୍ତା ଓ ଅନ୍ୟାନ୍ୟ ହାତଖର୍ଚ୍ଚ ପାଇବେ। ମଜାଦାର କଥା ହେଲା ଭାରତୀୟ ଖେଳାଳି ଦଳଠାରୁ ପ୍ୟାରିସ୍ ଯାଉଥିବା ଅନ୍ୟ ଅଧିକାରୀମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିବ। ବୁଧବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ସମସ୍ତଙ୍କ ନାଁକୁ ସ୍ବୀକୃତି ଦେଇଥିଲା ବେଳେ ଶେଷ ମୁହୂର୍ତ୍ତରେ ମହିଳା ସଟ୍‌ପୁଟର୍‌ ଆଭା ଖଟୁଆଙ୍କୁ ଭାରତୀୟ ଦଳରୁ ବାଦ୍ ଦିଆଯାଇଛି। ତାଙ୍କୁ କାହିଁକି ଓ କେଉଁ ପରିସ୍ଥିତିରେ ପୂର୍ବ ଘୋଷିତ ଦଳରୁ ବାଦ୍ ଦିଆଯାଇଛି, ତାର ବିବରଣୀ କିନ୍ତୁ ଭାରତୀୟ ଅଲିମ୍ପିକ୍ସ ସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ କିମ୍ବା କ୍ରୀଡ଼ା ମନ୍ତ୍ରାଳୟ, କେହି ଦେଇ ନାହାନ୍ତି। ଖଟୁଆ ନିଜ ବିଶ୍ବ ମାନ୍ୟତା ଆଧାରରେ ପ୍ୟାରିସ୍ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବା ସହ ଭାରତୀୟ ଦଳରେ ସାମିଲ ହୋଇଥିଲେ। ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟୀ ବନ୍ଧୁକ ଚାଳକ ଗଗନ ନାରଙ୍ଗ ଭାରତୀୟ ଦଳର ସେଫ୍ ଡି’ ମିସନ୍ ଦାୟିତ୍ବ ତୁଲାଇବେ। ନାରଙ୍ଗ ଏବେ ଭାରତୀୟ ଅଲିମ୍ପିକ୍ସ ସଂଘର ଉପସଭାପତି ଅଛନ୍ତି।

Advertisment

୬୮ ପ୍ରଶିକ୍ଷକ, ୫୦ ସପୋର୍ଟ ଷ୍ଟାଫ୍‌ ଓ ୧୩ କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ ବି ପ୍ୟାରିସ୍ ଯିବେ
ସଟ୍‌ପୁଟର୍ ଆଭା ଖଟୁଆ ଶେଷ ମୁହୂର୍ତ୍ତରେ ବାଦ ପଡ଼ିବା ନେଇ ବିବାଦ

ଟୋକିଓ ଅଲିମ୍ପିକ୍ସରେ ୬୮ଜଣ ପୁରୁଷ ଓ ୫୪ଜଣ ମହିଳା ଖେଳାଳିଙ୍କ ସହ ମୋଟ ୧୧୯ ଭାରତୀୟ ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥର ଏହି ସଂଖ୍ୟା କମିଛି। ଗତଥର ଭାରତ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଗୋଟିଏ ସ୍ବର୍ଣ୍ଣ ସହ ୭ ପଦକ ଜିତିଥିଲା। ପ୍ୟାରିସ୍ ଅଲିମ୍ପିକ୍ସ ଭାରତୀୟ ଦଳରେ ସର୍ବାଧିକ ୨୯ ଦୌଡ଼କୁଦ (୧୧ ମହିଳା, ୧୮ ପୁରୁଷ) ଖେଳାଳି ଅଛନ୍ତି। ତା ପଛକୁ ପଛ ବନ୍ଧୁକଚାଳନା (୨୧ ଖେଳାଳି, ୧୧ ମହିଳା, ୧୦ ପୁରୁଷ) ଓ ହକି (୧୯) ଦଳ ରହିଛି। ସେହିଭଳି ଟେବୁଲ୍ ଟେନିସ୍‌ରେ ୮, ବ୍ୟାଡମିଣ୍ଟନ୍‌ରେ ୭, କୁସ୍ତିରେ ୬, ତୀରନ୍ଦାଜି‌ରେ ୬, ମୁଷ୍ଟିଯୁଦ୍ଧରେ ୬, ଗଲ୍ଫରେ ୪, ଟେନିସ୍‌ରେ ୩, ସନ୍ତରଣରେ ୨, ସେଲିଂରେ ୨ ଏବଂ ଅଶ୍ବଚାଳନା, ଜୁଡୋ ଓ ନୌଚାଳନା ଓ ଭାରୋତ୍ତୋଳନରେ ଜଣେ ଲେଖାଏଁ ଖେଳାଳି ରହିଛନ୍ତି।