ଭୁବନେଶ୍ବର : ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ) ପକ୍ଷରୁ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା କନିଷ୍ଠ ପ୍ରତିଭା ଚୟନ କାର୍ଯ୍ୟକ୍ରମ ପାଇଁ ୯୦୦ କ୍ରୀଡ଼ାବିତ୍ଙ୍କୁ ଚୟନ କରାଯାଇଛି। ଉଭୟ ୧୪ ବର୍ଷରୁ କମ୍ ଓ ୧୬ ବର୍ଷରୁ କମ୍ ବର୍ଗରେ ଚୟନ ହୋଇଥିବା ଏହି କ୍ରୀଡ଼ାବିତ୍ମାନଙ୍କୁ ନେଇ ଦେଶର ୬ଟି ସ୍ଥାନରେ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଚାଲିବ ବୋଲି ଏଏଫ୍ଆଇ ସଭାପତି ଆଦିଲ୍ ସୁମାରିୱାଲା କହିଛନ୍ତି। ପାତିଆଲା, ଭୋପାଳ, ପାଟନା, ଗାନ୍ଧୀନଗର, ଲକ୍ଷ୍ନୌ ଓ ଥିରୁଅନନ୍ତପୁରମ୍ରେ ୧୫ ଦିନିଆ ଶିବିର ଚାଲିବ। ଚଳିତ ବର୍ଷ ପାଟନାରେ ଅନୁଷ୍ଠିତ ଜାତୀୟ ଅନ୍ତଃଜିଲ୍ଲା କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରୁ ଏହି କ୍ରୀଡ଼ାବିତ୍ଙ୍କୁ ଚୟନ କରାଯାଇଛି। ପ୍ରତିଭା ଚୟନ କାର୍ଯ୍ୟକ୍ରମ ପାଇଁ ରୁରାଲ ଇଲେକ୍ଟ୍ରିଫିକେସନ୍ କର୍ପୋରେସନ୍ ଲିମିଟେଡ୍ ପାଣ୍ଠି ଯୋଗାଇ ଦେବ ବୋଲି ସୁମାରିୱାଲା କଳିଙ୍ଗ ଷ୍ଟାଡିୟମ୍ରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏହି ଅବସରରେ ଭାରତୀୟ କନିଷ୍ଠ ଦୌଡ଼କୁଦ ଦଳର ପ୍ରଶିକ୍ଷକ ଭାବେ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଦୌଡ଼କୁଦ ପ୍ରଶିକ୍ଷକ ନଗପୁରୀ ରମେଶଙ୍କୁ ନିଯୁକ୍ତ କରାଯିବା ସଂକ୍ରାନ୍ତରେ ଘୋଷଣା କରାଯାଇଛି। ପୂର୍ବରୁ କନିଷ୍ଠ କ୍ରୀଡ଼ାବିତ୍ଙ୍କ ମଧ୍ୟରୁ ବରିଷ୍ଠରେ ସାମିଲ ହେଉଥିବା ଖେଳାଳିଙ୍କ ସଂଖ୍ୟା ମାତ୍ର ୩ ପ୍ରତିଶତ ରହୁଥିଲା। ହେଲେ ରମେଶ ଆସିବା ପରେ ଏଏଫ୍ଆଇର କନିଷ୍ଠ କ୍ରୀଡ଼ାବିତ୍ ଉନ୍ନୟନ କାର୍ଯ୍ୟକ୍ରମକୁ ସେ ସହାୟତା କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ବରରେ ପ୍ରବଳ ଖରା ସତ୍ତ୍ବେ କ୍ରୀଡ଼ାବିତ୍ମାନେ ଭଲ ପ୍ରଦର୍ଶନ ଦେଉଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ଆନ୍ତର୍ଜାତିକସ୍ତରରେ କ୍ରୀଡ଼ାବିତ୍ଙ୍କୁ ସବୁପ୍ରକାରର ପାଣିପାଗ ସହିତ ନିଜକୁ ସୁହାଇବାକୁ ହେବ। ଆଗକୁ ବ୍ୟାଙ୍କକ୍ରେ ଜୁଲାଇ ୧୨ରୁ ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସମୟରେ ମଧ୍ୟ ସମାନଧରଣର ପରିବେଶ ରହିବ। ତେଣୁ କ୍ରୀଡ଼ାବିତ୍ମାନେ ସେଭଳି ପାଣିପାଗ ସହିତ ଅଭ୍ୟସ୍ତ ହୋଇଯାଇଥିବେ ବୋଲି ସୁମାରିୱାଲା ଆଶାବ୍ୟକ୍ତ କରିଛନ୍ତି।