‘୯୦ ଦଶକ ଓଡ଼ିଶା କ୍ରିକେଟ୍‌ର ସ୍ୱର୍ଣ୍ଣିମ ସମୟ’

ଓଡ଼ିଶା କ୍ରିକେଟରେ ୯୦ ଦଶକରେ ଯେଉଁ ଖେଳାଳିମାନେ ଥିଲେ, ସେମାନଙ୍କ ମଧ୍ୟରେ ଭି. ଅରବିନ୍ଦ ବେଶ୍‌ ଜଣାଶୁଣା ନାଁ। ସୌରଜିତ ମହାପାତ୍ର, ସଂଜୟ ରାଉଳ, ପ୍ରଶାନ୍ତ ମହାପାତ୍ରଙ୍କ ସମୟରେ ସେ ଓଡ଼ିଶାର ଅନ୍ୟତମ ପ୍ରମୁଖ ଦ୍ରୁତ ବୋଲର ଥିଲେ। ୧୯୯୩ରୁ ୧୯୯୬ ମଧ୍ୟରେ ୧୬ ପ୍ରଥମ ଶ୍ରେଣୀ ମ୍ୟାଚରୁ ୨୩ ଓ୍ଵିକେଟ ଓ ୧୧ ଲିଷ୍ଟ ଏ’ରୁ ୧୨ ଓ୍ଵିକେଟ ଅକ୍ତିଆର କରିଥିଲେ। ମାତ୍ର ୩ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଖେଳିବା ପରେ ସେ ଖେଳ ଛାଡ଼ିଦେଇଥିଲେ। ଏବେ ପ୍ରଶିକ୍ଷଣ କ୍ଷେତ୍ରରେ ଆଉ ଏକ ନାଁ କମାଇବାରେ ଲାଗିଛନ୍ତି। ବର୍ତ୍ତମାନ ଦିଲ୍ଲୀ ୧୯ ବର୍ଷରୁ କମ୍‌ ଦଳର ବୋଲିଂ ପ୍ରଶିକ୍ଷକ ଓ ଆଇପିଏଲ୍‌ ଦଳ ଦିଲ୍ଲୀ ଡେୟାର ଡେଭିଲ୍ସର ସହକାରୀ ପ୍ରଶିକ୍ଷକ ଭାବେ ସେ କାର୍ଯ୍ୟ କରୁଛନ୍ତି। ଦୀର୍ଘ ୨୧ ବର୍ଷ ପରେ ସେ ପୁଣି ଥରେ ବାରବାଟୀ ଷ୍ଟାଡିୟମକୁ ଫେରିଥିବାରୁ କ୍ରିକେଟ ଅନୁଭୂତି ବଖାଣିଥିଲେ ‘ସମ୍ବାଦ’ ସହ।
ଦୀପ୍ତିରଂଜନ ସାମଲ

ପ୍ରଶ୍ନ: ଓଡ଼ିଶା ପାଇଁ ଖେଳିବା ସମୟର କି ଅନୁଭୂତି ରହିଛି?
ଉତ୍ତର: ସେ ସମୟର ଖେଳ ଓ ଖେଳାଳି ସବୁଠୁ ଅଲଗା ଥିଲା। ଶିବ ସୁନ୍ଦର ଦାସ, ରଶ୍ମିରଂଜନ ପରିଡ଼ା, ସଂଜୟ ରାଉଳ, ପ୍ରଭଞ୍ଜନ ମଲ୍ଲିକ ସେତେବେଳେ ରଣଜୀ ଜୀବନ ଆରମ୍ଭ କରୁଥାନ୍ତି। ରଂଜୀବ ବିଶ୍ୱାଳ ମୋର ଅଧିନାୟକ ଥିଲେ। ଆମ ବେଳେ ଓଡ଼ିଶା କ୍ୱାର୍ଟର ଫାଇନାଲ୍‌ ଖେଳିବାକୁ ଯାଇଥିଲା। ସେହି ତିନିବର୍ଷ ବହୁତ ଭଲ ଅଭିଜ୍ଞତା ମିଳିଥିଲା। ଆମର ଏହି ବ୍ୟାଚ୍‌ ଓଡ଼ିଶା ପାଇଁ ୧୦ରୁ ୧୨ ବର୍ଷ ପର୍ଯ୍ୟନ୍ତ ଖେଳିଛନ୍ତି। ଅନେକ ସଫଳତା ମଧ୍ୟ ମିଳିଛି। ତେଣୁ ୯୦ ଦଶକ ଓଡ଼ିଶା କ୍ରିକେଟ ପାଇଁ ସବୁବେଳେ ସ୍ୱର୍ଣ୍ଣିମ ସମୟ ରହିବ।

ପ୍ର: ବର୍ତ୍ତମାନର ଓଡ଼ିଶା କ୍ରିକେଟ ଓ ଖେଳାଳିଙ୍କ ଭିତରେ କ’ଣ ଫରକ ଦେଖୁଛନ୍ତି?
ଉ: ଏବେ ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ଧୈର୍ଯ୍ୟଭାବ ଧିରେଧିରେ କମିଗଲାଣି। କେବଳ ଓଡ଼ିଶା ନୁହେଁ ଅନ୍ୟ ରାଜ୍ୟର ଖେଳାଳିଙ୍କ ମଧ୍ୟରେ ବି ସମାନ ସ୍ଥିତି। ଟେ୍ଵଣ୍ଟି-୨୦ ପରି ସୀମିତ ଓଭର କ୍ରିକେଟର ଅଧିକ ପ୍ରଚଳନ ହେବାରୁ ଆଉ କେହି ୪ଦିନ ଖେଳିପାରୁନାହାନ୍ତି। ବର୍ତ୍ତମାନର ପୀଢି ଏମିତି ହୋଇଗଲେଣି ଯେ ବ୍ୟାଟିଂ ପାଇଁ ଆସୁ ଆସୁ ବଡ଼ ସଟ୍‌ ଖେଳିବାକୁ ଯାଉଛନ୍ତି। ସେଥିପାଇଁ ଭଲ ମ୍ୟାଚଟିଏ ଦେଖିବାକୁ ମିଳୁନାହିଁ। ତେଣୁ ପ୍ରତ୍ୟେକ ପ୍ରଶିକ୍ଷକଙ୍କ ପାଇଁ ଏହା ଏକ ଆହ୍ଵାନ ହୋଇଗଲାଣି।

ପ୍ର: ତାହେଲେ କନିଷ୍ଠ ଖେଳାଳିଙ୍କୁ କିପରି ୪ଦିନିଆ ପାଇଁ ପ୍ରସ୍ତୁତ କରାଯିବା ଦରକାର?
ଉ: ପ୍ରତ୍ୟେକ ଆମନ୍ତ୍ରଣୀୟ ପ୍ରତିଯୋଗିତାରେ ୧୬ କିମ୍ବା ୧୯ ବର୍ଷରୁ କମ୍‌ ଖେଳାଳିଙ୍କୁ ବରିଷ୍ଠଙ୍କ ଅପେକ୍ଷା ଅଧିକ ସୁଯୋଗ ଦିଆଯିବା ଦରକାର। ଦୁଇ ଦିନିଆ, ତିନି ଦିନିଆ ମ୍ୟାଚ ଖେଳିଲେ ଆଗକୁ ସେମାନେ ୪ଦିନିଆ ପାଇଁ ନିଜକୁ ପ୍ରସ୍ତୁତ କରିସାରିଥିବେ। ଓଡ଼ିଶା କ୍ଷେତ୍ରରେ ଟେକ୍‌ନିକ୍‌ର କୌଣସି ସମସ୍ୟା ନାହିଁ। ଏଠାରେ ଭଲ ପ୍ରଶିକ୍ଷକ ଅଛନ୍ତି। ଏକାଡେମି ରହିଛି। ବହୁତ କମ୍‌ ରାଜ୍ୟରେ ଏଭଳି ସୁବିଧା ମିଳିବ। ତେଣୁ ବରିଷ୍ଠଙ୍କ ଅପେକ୍ଷା ଯଦି କନିଷ୍ଠ ସ୍ତରକୁ ଅଧିକ ଧ୍ୟାନ ଦିଆଯିବ ତାହେଲେ ପ୍ରତ୍ୟେକ ରାଜ୍ୟ ଶ୍ରେଷ୍ଠ ଖେଳାଳି ପାଇପାରିବେ।

ପ୍ର: କନିଷ୍ଠ ଖେଳାଳିଙ୍କୁ ଗଢିବା ପାଇଁ କେବଳ ଏକାଡେମି କ’ଣ ଯଥେଷ୍ଟ?
ଉ: ଏକାଡେମି ସହିତ ଭଲ ପ୍ରଶିକ୍ଷକ ଓ ପ୍ରେରଣା ଦାୟୀ ଖେଳାଳିଙ୍କ ପ୍ରଭାବ ଅଧିକ ଥାଏ। ଓଡ଼ିଶାରେ ସବୁକିଛି ରହିଛି। ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସଙ୍କ ପରି ଆନ୍ତର୍ଜାତିକ ଖେଳାଳି ଏବେ ବରିଷ୍ଠ ଦଳର ପ୍ରଶିକ୍ଷକ ଅଛନ୍ତି। ବିସିସିଆଇ ପ୍ରତିଯୋଗିତା ଶେଷ ହେବା ପରେ ଓ ଅଫ୍‌ ସିଜନ୍‌ରେ ସେମାନେ କନିଷ୍ଠ ଖେଳାଳିଙ୍କୁ ତାଲିମ ଦେବା ଦରକାର। ଆନ୍ତର୍ଜାତିକ ଖେଳାଳିଙ୍କୁ ପାଖରେ ପାଇଲେ କନିଷ୍ଠମାନଙ୍କୁ ପ୍ରେରଣା ମିଳିବ। ବର୍ତ୍ତମାନର କନିଷ୍ଠ ଦଳର ତିନି ଦ୍ରୁତ ବୋଲର ଭଲ ବୋଲିଂ କରୁଛନ୍ତି। ଦେବାଶିଷଙ୍କ ପ୍ରଶିକ୍ଷଣ ପାଇଲେ ସେମାନେ ଆହୁରି ପରିପକ୍ୱ ହେବେ। ଶିବସୁନ୍ଦର ଯଦି ବ୍ୟାଟିଂ ଟିପ୍ସ ଦେବେ ଓଡ଼ିଶା ଭଲ ରନ୍‌ କରିପାରିବ। ବେଶି ନହେଲେ ବି ଅଫ୍‌ ସିଜନ୍‌ରେ ଅତିକମ୍‌ରେ ୧୫ଦିନିଆ ଶିବିର ହେବା ଉଚିତ୍‌।

ପ୍ର: ୨୧ ବର୍ଷ ପରେ ବାରବାଟୀକୁ ଆସିଛନ୍ତି, କ’ଣ ଫରକ ଦେଖୁଛନ୍ତି?
ଉ:୧୯୯୬ରେ କ୍ରିକେଟ ଛାଡ଼ିବା ପରେ ଦିଲ୍ଲୀ ଚାଲିଯାଇଥିଲି। ସେଠାରେ କିଛି ବର୍ଷ କ୍ରିକେଟଠୁ ଦୂରେଇ ରହିବା ପରେ ୨୦୦୬ରେ ଏନ୍‌ସିଏ ଲେଭଲ୍‌-୨ ପ୍ରଶିକ୍ଷଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲି। ସେବେଠାରୁ ଦିଲ୍ଲୀର କନିଷ୍ଠ ଦଳ କିମ୍ବା ଅନ୍ୟାନ୍ୟ ସ୍ଥାନରେ ପ୍ରଶିକ୍ଷକ ଭାବେ ଜଡ଼ିତ ରହିଛି। ଏବେ ପୁଣି ଦିଲ୍ଲୀ ଦଳ ସହିତ ଓଡ଼ିଶା ଫେରିବାକୁ ସୁଯୋଗ ମିଳିଛି। ଆମ ସମୟର ବାରବାଟୀ ଓ ଏବେକାର ବାରବାଟୀ ମଧ୍ୟରେ ଅନେକ ଫରକ ଆସିଯାଇଛି। ଷ୍ଟାଡିୟମର୍‌ ଚେହେରା ବଦଳିଯାଇଛି। ବିଶେଷକରି ଆନ୍ତର୍ଜାତିକ ସ୍ତରର ଡ୍ରେସିଂରୁମ୍‌ ଏଠାରେ ଉପଲବ୍ଧ ହେଉଛି। ଯାହା ଦିଲ୍ଲୀରେ ନାହିଁ। କ୍ରିକେଟର ଉନ୍ନତି ପାଇଁ ଓସିଏ ଭଲ ଭିତ୍ତିଭୂମି ରଖିଛି।

ପ୍ର: ଟେଷ୍ଟ ମ୍ୟାଚ ପାଇଁ ବାରବାଟୀ କେତେ ଉପଯୁକ୍ତ?
ଉ: ଏଭଳି ଏକ ସୁନ୍ଦର ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ ହେବା ନିହାତି ଜରୁରୀ। ବିଶେଷକରି ଟେଷ୍ଟ ହେଲେ ରାଜ୍ୟର ଯୁବ ଖେଳାଳିମାନେ ଏଠାରୁ ଅନେକ ଶିଖିବାକୁ ପାଇବେ। ଧୈର୍ଯ୍ୟ, ରକ୍ଷଣାତ୍ମକ ଶୈଳୀରେ କିଭଳି ଏକାଧିକ ଦିନ ବ୍ୟାଟିଂ କରିବାକୁ ହୁଏ, ତାହା ଜାଣିପାରିବେ। ପିଚ୍‌, ପଡ଼ିଆ ସବୁକିଛି ୫ଦିନିଆ ପାଇଁ ବେଶ୍‌ ଉପଯୁକ୍ତ। ପୂର୍ବରୁ ମଧ୍ୟ ଏଠାରେ ଟେଷ୍ଟ ଖେଳାଯାଇଛି। କିନ୍ତୁ ସ୍ଥାୟୀ ମାନ୍ୟତା ଦେବାରେ ବିଳମ୍ବ ହେବା ପଛରେ ବିସିସିଆଇର କିଛି ସମସ୍ୟା ଥାଇପାରେ। ଏଥିପାଇଁ ଓସିଏର ଉଦ୍ୟମ ଜାରି ରହିବା ଦରକାର।

ସମ୍ବନ୍ଧିତ ଖବର