କେପ୍ଟାଉନ୍: ଦୀର୍ଘ ୯୨ ବର୍ଷ ତଳର ଏକ ପୁରୁଣା ଟେଷ୍ଟ୍ ରେକର୍ଡକୁ ଭାରତ ଭାଙ୍ଗିଦେଇଛି। ଭାରତ-ଦକ୍ଷିଣ ଆଫ୍ରିକା ୫ ଦିନିଆ ଟେଷ୍ଟ୍ ୫ ସେସନ୍ରେ ଶେଷ ହୋଇଯିବା ସହ ଏହି ରେକର୍ଡ ହୋଇଛି। ନ୍ୟୁଲାଣ୍ଡ୍ସ କ୍ରିକେଟ୍ ପଡ଼ିଆରେ ଦକ୍ଷିଣ ଆଫ୍ରିକାକୁ ଭାରତ ୭ ୱିକେଟ୍ରେ ପରାସ୍ତ କରିଛି। ଏହି ଟେଷ୍ଟ୍ ସବୁଠୁ କମ୍ ସମୟ ମଧ୍ୟରେ ଶେଷ ହେବାରେ କୀର୍ତ୍ତିମାନ କରିଛି। ଉଭୟ ଦଳ ମୋଟ ୬୪୨ ବଲ୍ର ସାମ୍ନା କରିଥିବାବେଳେ ଫଳାଫଳ ବାହାରିଛି। ପୂର୍ବରୁ ଏହି ରେକର୍ଡ ୧୯୩୨ ମସିହାର ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ମ୍ୟାଚ୍ରେ ହୋଇଥିଲା। ଉକ୍ତ ମ୍ୟାଚ୍ରେ ୬୫୬ ବଲ୍ ଖେଳାଯାଇଥିଲା। ତେବେ ନ୍ୟୁଲାଣ୍ଡ୍ସରେ ଦୁଇ ଦିନରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଥିଲା। ପ୍ରଥମ ଦିନରେ ୨୩ ୱିକେଟ୍ ଝଡ଼ିଥିଲା ବେଳେ ଦ୍ବିତୀୟ ଦିନରେ ୧୦ ୱିକେଟ୍ର ପତନ ହୋଇଥିଲା। ଏହି ବିଜୟ ଦ୍ବାରା ଭାରତ କେପ୍ଟାଉନ୍ରେ ପ୍ରଥମ ବିଜୟ ପାଇଛି। କିନ୍ତୁ ପ୍ରଥମ ଟେଷ୍ଟ୍ରେ ଭାରତ ପରାଜିତ ହୋଇଥିବାରୁ ୩୧ ବର୍ଷ ପରେ ଦକ୍ଷିଣ ଆଫ୍ରିକାରେ ଶୃଙ୍ଖଳା ଜିତିବା ସ୍ବପ୍ନ ଅଧୁରା ରହିଯାଇଛି। ପ୍ରଥମ ପାଳିରେ ୬ ୱିକେଟ୍ ନେଇଥିବା ମହମ୍ମଦ ସିରାଜ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଡିନ୍ ଏଲ୍ଗାର ଓ ଯଶପ୍ରୀତ ବୁମ୍ରା ଯୁଗ୍ମ ଭାବେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ଗୁରୁବାର ଅସମାପ୍ତ ଦ୍ବିତୀୟ ପାଳି ୬୨/୩ରୁ ଘରୋଇ ଦଳ ଗୁରୁବାର ଖେଳିବା ଆରମ୍ଭ କରିଥିଲେ ହେଁ ଆଉ ୧୧୪ ରନ୍ ଯୋଡ଼ିବା ପରେ ଅଲ୍ଆଉଟ୍ ହୋଇଥିଲା। କେବଳ ଐଦେନ ମାରକ୍ରମ ଏକମାତ୍ର ଖେଳାଳି ଭାବେ ଭାରତୀୟ ବୋଲରଙ୍କୁ ଗୋଟିଏ ପଟରୁ ଜବାବ ଦେବା ସହ କଷ୍ଟକର ପିଚ୍ରେ ସାହସିକ ଶତକ ଅର୍ଜନ କରିଥିଲେ। ସେ ୧୦୩ ବଲ୍ରୁ ୧୭ ଚୌକା ଓ ୨ ଛକା ସହାୟତାରେ ୧୦୬ ରନ୍ କରି ଆଉଟ୍ ହୋଇଥିଲେ। ପ୍ରଥମ ପାଳିରେ ମହମ୍ମଦ ସିରାଜ ଘରୋଇ ଦଳର ବ୍ୟାଟିଂ କ୍ରମକୁ ଧ୍ବଂସ କରିଥିଲା ବେଳେ ଦ୍ବିତୀୟ ପାଳିରେ ଯଶପ୍ରୀତ୍ ବୁମ୍ରା ୬ ୱିକେଟ୍ ନେଇ ଭାରତକୁ ଜିତାଇବାରେ ଅନ୍ୟତମ ବଡ଼ ଯୋଗଦାନ ରଖିଥିଲେ। ମୁକେଶ କୁମାର ୨, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣ ୧ ୱିକେଟ୍ ଲେଖାଏଁ ନେଇଥିଲେ। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି ୧୭୬ ରନ୍ରେ ସମାପ୍ତ ହେବା ପରେ ଭାରତ ସମ୍ମୁଖରେ ୭୯ ରନ୍ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହି ଲକ୍ଷ୍ୟକୁ ଯଶସ୍ବୀ ଜୟସ୍ବାଲ୍ (୨୮), ଶୁବମନ ଗିଲ୍ (୧୦) ଓ ବିରାଟ କୋହଲି (୧୨)ଙ୍କୁ ହରାଇ ଭାରତ ୧୨ ଓଭରରେ ହାସଲ କରିଥିଲା। ଅଧିନାୟକ ରୋହିତ ଶର୍ମା ୧୬* ଓ ଶ୍ରେୟସ ଆୟର ୪* ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଚୌକା ମାରି ଆୟର୍ ମ୍ୟାଚ୍କୁ ଶେଷ କରିଥିଲେ।