ଚେନ୍ନାଇ: ନିଜ ଘରୋଇ ପଡ଼ିଆ ଚେପକ୍‌ରେ ଆର୍ ଅଶ୍ବିନ ଶତକ ହାସଲ ସହ ୬ ୱିକେଟ୍ ସଫଳତା ଅର୍ଜନ କରି ଭାରତକୁ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ୨୮୦ ରନ୍‌ର ବୃହତ୍‌ ବିଜୟ ଦେଇଛନ୍ତି। ଏଥିସହ ଭାରତ ୨ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ରବିବାର ସକାଳେ ଅସମାପ୍ତ ଦ୍ବିତୀୟ ପାଳିକୁ ବାଂଲାଦେଶ ୧୫୮/୪ରୁ‌ ଖେଳିବା ପରେ ପ୍ରଥମ ଘଣ୍ଟା ଖେଳକୁ ୱିକେଟ୍ ହରାଇନଥିଲା। କିନ୍ତୁ ଅଭିଜ୍ଞ ଅଫ୍‌ସ୍ପିନର୍ ଆର୍ ଅଶ୍ବିନ୍ ବୋଲିଂ ଆକ୍ରମଣକୁ ଆସିବା ମାତ୍ରେ ଭାରତ ଦ୍ରୁତ ବେଗ‌ରେ ବିଜୟ ମୁହାଁ ହୋଇଯାଇଥିଲା। ନିଜ ପ୍ରଥମ ଓଭରରେ ଫର୍ମ ପାଇଁ ସଂଘର୍ଷ କରୁଥିବା ସାକିବ୍ ଅଲ୍ ହାସନ୍ (୨୫)ଙ୍କୁ ଆଉଟ୍ କରିବା ପରେ ସେ ମେହଦୀ ହାସନ୍ ମିରାଜ ଓ ତସ୍କିନ୍ ଅହମ୍ମଦଙ୍କୁ ବି ପ୍ୟାଭିଲିଅନ୍ ଫେରାଇ ଦେଇଥିଲେ। ଅପରପାର୍ଶ୍ବରେ ବାମହାତୀ ସ୍ପିନର୍ ରବୀନ୍ଦ୍ର ଜାଡ଼େଜା ବି କମାଲ କରି ୩ ୱିକେଟ୍ ସଫଳତା ପାଇଥିଲେ। ଅଶ୍ବିନ୍ କିନ୍ତୁ ମୋଟ ୬ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ଚତୁର୍ଥ ଦିବସ ମଧ୍ୟାହ୍ନ ଭୋଜନ ପୂର୍ବରୁ ମ୍ୟାଚ୍‌ ଶେଷ ହୋଇଯାଇଥିଲା। ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ଅଶ୍ବିନ୍ (୧୧୩ ଓ ୬/୮୮) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ବିତୀୟ ଟେଷ୍ଟ୍ କାନପୁରରେ ଚଳିତ ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବ।

Advertisment

ଏହି ବିଜୟ ସହ ଭାରତ ନିଜ ୯୨ ବର୍ଷର ଟେଷ୍ଟ୍ କ୍ରିକେଟ୍‌ ଇତିହାସରେ ପରାଜୟ ସଂଖ୍ୟାଠାରୁ ବିଜୟରେ ଅତିକ୍ରମ କରିଛି। ଭାରତ ୧୭୮ ପରାଜୟ ବରଣ କରିଥିବାବେଳେ ୧୭୯ ବିଜୟ ପାଇଛି। ୫୮୦ ମ୍ୟାଚ୍‌ ଖେଳିଥିବା ଭାରତ ୨୨୨ ଡ୍ର’ ପାଇଛି। ୧୪୭ ବର୍ଷର ଟେଷ୍ଟ୍ କ୍ରିକେଟ୍‌ ଇତିହାସରେ ମାତ୍ର ୭ ଦେଶ କେ‌ବେ ନା କେବେ ପରାଜୟ ସଂଖ୍ୟାକୁ ବିଜୟରେ ପରାସ୍ତ କରିଛନ୍ତି। କିନ୍ତୁ ଭାରତ ସହିତ ମାତ୍ର ୫ ଦେଶ ଏବେ ଏହ ରେକର୍ଡକୁ କାଏମ ରଖିଛନ୍ତି। ଅନ୍ୟ ୪ ଦେଶ ହେଲେ ଅଷ୍ଟ୍ରେଲିଆ (୪୧୪-୨୩୨), ଇଂଲଣ୍ଡ (୩୯୭-୩୨୫), ଦକ୍ଷିଣ ଆଫ୍ରିକା (୧୭୯-୧୬୧), ପାକିସ୍ତାନ (୧୪୮-୧୪୪)। ଅନ୍ୟୂନ ଥରେ ଏହି ରେକର୍ଡ କରିବାରେ ଭାରତ କିନ୍ତୁ ସବୁଠାରୁ ମନ୍ଥର ରହିଛି। ସର୍ବପ୍ରଥମ ଟେଷ୍ଟ୍ ଜିତି ଅଷ୍ଟ୍ରେଲିଆ ଦ୍ରୁତତମ ଥିବାବେଳେ ଅନ୍ୟ ଦୁଇ ଦଳ ହେଉଛନ୍ତି ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍। ଏବେ ବି ଅନ୍ୟ ୫ ଟେଷ୍ଟ୍ ‌ଖେଳୁଥିବା ଦେଶ ପରାଜୟ ସଂଖ୍ୟାକୁ ବିଜୟରେ ଟପି ପାରିନାହାନ୍ତି। ଏହି  ୫ ଦେଶ ହେଲେ ନ୍ୟୁଜିଲାଣ୍ଡ୍‌, ଶ୍ରୀଲଙ୍କା, ଜିମ୍ବାୱେ, ବାଂଲାଦେଶ ଓ ଆୟର୍ଲାଣ୍ଡ୍‌। ଭାରତ ୨୦୦୦ ମସିହା ପର୍ଯ୍ୟନ୍ତ (୬୩-୧୧୨) ବହୁ ପଛରେ ପଡ଼ିଥିଲା। ଏହା ପରଠାରୁ ଦ୍ରୁତ ଅଗ୍ରଗତି କରି ୧୧୭-୬୯ରେ ଆଗୁଆ ହୋଇ ପ୍ରଥମ ଥର ପରାଜୟକୁ ପଛରେ ପକାଇଛି।

ସଂକ୍ଷିପ୍ତ ‌ସ୍କୋର୍: ଭାରତ ପ୍ରଥମ ପାଳି: ୩୭୬। ବାଂଲାଦେଶ ପ୍ରଥମ ପାଳି: ୧୪୯। ଭାରତ ଦ୍ବିତୀୟ ପାଳି: ୨୮୭/୪, ଘୋଷଣା (ଶୁବମନ୍ ଗିଲ୍ ୧୧୯*, ଋଷଭ ପନ୍ତ ୧୦୯, କେଏଲ୍ ରାହୁଲ ୨୨*, ମେହିଦି ହାସନ ମିରାଜ ୨/୧୦୩)। ବାଂଲାଦେଶ ଦ୍ବିତୀୟ ପାଳି: ୬୨.୧ ଓଭରରେ ୨୩୪/୧୦ (ନମଜୁଲ ହୋସେନ ସାଣ୍ଟୋ-୮୨, ସଦମନ ଇସଲାମ-୩୫, ରବିଚନ୍ଦ୍ରନ ଅଶ୍ବିନ-୬/୮୮, ରବୀନ୍ଦ୍ର ଜାଡ଼େଜା-୩/୫୮, ଯଶପ୍ରୀତ୍‌ ବୁମ୍‌ରା-୧/୨୪)।

ଅଶ୍ବିନଙ୍କ ରେକର୍ଡ
ଭେଟେରାନ୍ ଭାରତୀୟ ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ ଚେନ୍ନାଇ ଟେଷ୍ଟ୍ ସଫଳତା ସହ ଏହି ଫର୍ମାଟ୍‌ରେ ଏକାଧିକ ରେକର୍ଡ କରିଛନ୍ତି। ୩୭ତମ ଥର ପାଇଁ ୫ ୱିକେଟ୍‌ ସଫଳତା ଅର୍ଜନ କରି ସେ ଅଷ୍ଟ୍ରେଲୀୟ କିଂବଦନ୍ତି ସେନ୍ ୱର୍ଣ୍ଣଙ୍କ ୧୮ ବର୍ଷ ତଳର ରେକର୍ଡର ସମକକ୍ଷ ହୋଇଛନ୍ତି। ସେନ ୱର୍ଣ୍ଣ ତାଙ୍କ ଶେଷ ୫ ୱିକେଟ୍‌ ସଫଳତା ୨୦୦୬ ମସିହାରେ ନେଇଥିଲେ। ଅଶ୍ବିନ ଏବେ ୱର୍ଣ୍ଣଙ୍କ ସହ ମିଶି ଅଗ୍ରଣୀ ଟେଷ୍ଟ୍‌ ବୋଲରଙ୍କ ମଧ୍ୟରେ ଯୁଗ୍ମ ଦ୍ବିତୀୟରେ ରହିଛନ୍ତି। ଶ୍ରୀଲଙ୍କା ସ୍ପିନର୍ ମୁଥୟା ମୁରଲୀଧରନ ୬୭ଥର ୫ ୱି‌କେଟ୍ ପାଇ ଶୀର୍ଷରେ ଅଛନ୍ତି। ତାଙ୍କ ପଛକୁ ରିଚାର୍ଡ ହାଡଲି (୩୬) ଓ ଅନିଲ କୁମ୍ବଲେ (୩୫) ରହିଛନ୍ତି। ଅନ୍ୟପକ୍ଷରେ ଗୋଟିଏ ଟେଷ୍ଟ୍‌ରେ ସର୍ବାଧିକ ଥର ଶତକ ଓ ୫ ୱିକେଟ୍ ସଫଳତା ଅର୍ଜନରେ ଇଂଲଣ୍ଡର୍ ଇଆନ୍ ବୋଥାମଙ୍କ ପଛକୁ  ଅଶ୍ବିନ୍‌ ଦ୍ବିତୀୟରେ ରହିଛନ୍ତି। ବୋଥାମ ୫ ଥର ଏବଂ ଅଶ୍ବିନ୍ ୪ ଥର ଏଭଳି ଅଲରାଉଣ୍ଡ୍ ସଫଳତା ଅର୍ଜନ କରିଛନ୍ତି। ଏମଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଅଶ୍ବିନ୍ ଏଭଳି ଯୁଗଳ ଦ୍ବିତୀୟ ଥର ଅର୍ଜନ କରିଛନ୍ତି। ୨୦୨୧ରେ ଇଂଲଣ୍ଡ ବିପକ୍ଷରେ ସେ ଏଠାରେ ୧୦୬ ରନ୍ କରିବା ସହ ୫/୪୩ ସଫଳତା ପାଇଥିଲେ। ରବୀନ୍ଦ୍ର ଜାଡ଼େଜା, ଗ୍ୟାରି ସୋବର୍ସ, ମୁସ୍ତାକ୍ ଅହମ୍ମଦ, ଜ୍ୟାକ୍ କାଲିସ୍‌ ଓ ସାକିବ୍ ଅଲ୍ ହାସନ୍ ନିଜ ନିଜ ଟେଷ୍ଟ୍ ଜୀବନରେ ୨ ଥର ଲେଖାଏଁ ଏଭଳି ଯୁଗଳ ଅର୍ଜନ କରିଛନ୍ତି।
ସେହିଭଳି ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା କାନପୁର ଟେଷ୍ଟ୍‌ରେ ଅଶ୍ବିନ୍ ଆଉ ଏକ ରେକର୍ଡର ଅଧିକାରୀ ହେବା ସମ୍ଭାବନା ରହିଛି। ଏବେ ସକ୍ରିୟ ଖେଳାଳିଙ୍କ ମଧ୍ୟରେ ଅଶ୍ବିନ୍ ଦ୍ବିତୀୟ ସର୍ବାଧିକ ୱିକେଟଦଖଲକାରୀ ଅଛନ୍ତି। ନାଥନ୍ ଲାୟନ ୫୩୦ ସହ ଶୀର୍ଷରେ ଥିବାବେଳେ ୩୮ ବର୍ଷୀୟ ଅଶ୍ବିନ ୧୦୧ ଟେଷ୍ଟରୁ ୫୨୨ ୱିକେଟ୍‌ ନେଇଛନ୍ତି।

ପରିବାର ଉଲ୍ଲସିତ
ରବିବାର ରବିଚନ୍ଦ୍ରନ ଅଶ୍ବିନଙ୍କ ଖୁସି ଦ୍ବିଗୁଣିତ ‌ହୋଇଥିଲା କାରଣ ତାଙ୍କ ପତ୍ନୀ ଓ ଦୁଇ କନ୍ୟାଙ୍କ ସମ୍ମୁଖରେ ସେ ଶତକ, ୬ ୱିକେଟ୍ ସଫଳତା ସହ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଚେପକ୍‌ ଷ୍ଟାଣ୍ଡ୍‌ରେ ବସି ପତ୍ନୀ ପ୍ରୀତି ନାରାୟଣନ, କନ୍ୟା ଅଖିରା ଓ ଆଧ୍ୟା ଅଶ୍ବିନଙ୍କୁ ଉତ୍ସାହିତ କରୁଥିଲେ। ମ୍ୟାଚ୍‌ ପରେ ପଡ଼ିଆ ଭିତରକୁ ବି ଆସି ତିନିହେଁ ଅଶ୍ବିନଙ୍କ ସହ ଫଟୋ ଉଠାଇଥିଲେ। ଭାରତର ଐତିହାସିକ ସଫଳତା ଓ ଅଶ୍ବିନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନର ସ୍ମୃତି ସାଉଁଟିଥିଲେ।