ମୁମ୍ବାଇ: ଆଇପିଏଲ୍ ଇତିହାସରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶ୍ରେଷ୍ଠ ଅଧିନାୟକ ବୋଲି ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ସୋମବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି। ଗତ ୧୨ ତାରଖରେ ଧୋନି ସିଏସ୍କେ ଅଧିନାୟକ ଭାବେ ୨୦୦ ମ୍ୟାଚ୍ ଖେଳିବାର ଗୌରବ ପାଇଥିଲେ। ୪୧ ବର୍ଷୀୟ ଏହି ପୂର୍ବତନ ଭାରତୀୟ ଅଧିନାୟକ ପ୍ରଥମ ଖେଳାଳି ଭାବେ ଏହି ମାଇଲ ଖୁଣ୍ଟ ଛୁଇଁଥିଲେ। ‘‘କଠିନ ପରିସ୍ଥିତିକୁ କିଭଳି ମୁକାବିଲା କରିହେବ କେବଳ ସିଏସ୍କେକୁ ଜଣା। ଏହା କେବଳ ଧୋନିଙ୍କ ନେତୃତ୍ବ ପାଇଁ ସମ୍ଭବ ହୋଇପାରିଛି। ୨୦୦ ମ୍ୟାଚ୍ରେ ନେତୃତ୍ବ ନେବା କଷ୍ଟକର।
ଅନେକ ମ୍ୟାଚ୍ ଅଧିନାୟକ ହେବା ଏକ ଭାର ଏବଂ ଏହା ପ୍ରଦର୍ଶନ ଉପରେ ପ୍ରଭାବ ପକାଇପାରେ। କିନ୍ତୁ ମାହି ଏଥିରୁ ଅଲଗା। ସେ ଅଲଗା ପ୍ରକାର ଅଧିନାୟକ। ତାଙ୍କ ଭଳି ଅଧିନାୟକ ନାହାନ୍ତି, ଭବିଷ୍ୟତରେ ବି ମିଳିବେନି’’ ବୋଲି ପୂର୍ବତନ ଭାରତୀୟ ଅଧିନାୟକ ଗାଭାସ୍କର କହିଛନ୍ତି। ଆଇପିଏଲ୍ ଆରମ୍ଭରୁ ଧୋନି ସିଏସ୍କେରୁ ଖେଳି ଆସୁଛନ୍ତି। କେବଳ ଦୁଇ ବର୍ଷ (୨୦୧୬-୧୭) ଦଳ ବାସନ୍ଦ ହୋଇଥିବାରୁ ଖେଳିନଥିଲେ। ୨୦୧୬ରେ ରାଇଜିଂ ପୁଣେ ସୁପରଜାଏଣ୍ଟସ୍ରୁ ଖେଳିଥିଲେ। ଏହି ବର୍ଷ ୧୪ ମ୍ୟାଚ୍ର ନେତୃତ୍ବ ନେଇଥିବାରୁ ଆଇପିଏଲ୍ରେ ସେ ମୋଟ ୨୧୪ ମ୍ୟାଚ୍ ଅଧିନାୟକ ରହିଛନ୍ତି। ତାଙ୍କ ନେତୃ୍ତ୍ବରେ ସିଏସ୍କେ ୪ ଥର ଟ୍ରଫି ଜିତିଛି। ଅଧିନାୟକ ଭାବେ ସେ ୧୨୦ ମ୍ୟାଚ୍ ଜିତିଥିଲା ବେଳେ ୭୯ ପରାଜୟ ଓ ଗୋଟିଏ ମ୍ୟାଚ୍ ବିନା କୌଣସି ଫଳାଫଳରେ ଶେଷ ହୋଇଥିଲା।