ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ଆୟୋଜକ ଭାରତକୁ ମଙ୍ଗଳବାର ଯୁଗଳ ଝଟ୍କା ଲାଗିଛି। ଅପରାହ୍ଣରେ ଭାରତୀୟ ମହିଳା ଦଳ ସ୍ପେନ୍ଠାରୁ ୩-୪ ଗୋଲ୍ରେ ହାରିଯାଇଛି। ରାତିରେ ପୁରୁଷ ଦଳ ଅନ୍ୟତମ ୟୁରୋପୀୟ ଶକ୍ତି ତଥା ବିଶ୍ବବିଜେତା ଜର୍ମାନୀଠାରୁ ଶୋଚନୀୟ ଭାବେ ୧-୪ ଗୋଲ୍ରେ ପରାଜିତ ହୋଇଛି। ଫଳରେ କଳିଙ୍ଗ ହକିପ୍ରେମୀ ନିରାଶ ହୋଇଛନ୍ତି। ଉଭୟ ଦଳ ଏବେ ପାଲଟା ମୁକାବିଲାରେ ଏହି ଦୁଇ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବେ। ନିଜନିଜ ପାଲଟା ମୁକାବିଲାରେ ବୁଧବାର ଯଥାକ୍ରମେ ସ୍ପେନ୍ ଓ ଜର୍ମାନୀକୁ ଭେଟି ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବେ।
ଆଜି ଭାରତୀୟ ମହିଳା ଦଳ ସ୍ପେନ୍କୁ କଡ଼ା ଟକ୍କର ଦେଇଥିଲା। ପୁରୁଷ ଦଳ କିନ୍ତୁ ଜର୍ମାନୀ ଆଗରେ ଏକପ୍ରକାର ଆତ୍ମସମର୍ପଣ କରିଥିଲା। ଏକତରଫା ମୁକାବିଲାରେ ଭାରତୀୟ ପୁରୁଷ ଦଳକୁ ଜର୍ମାନୀ ତିନିଟି ଗୋଲ୍ ବ୍ୟବଧାନରେ ପରାସ୍ତ କରିଥିଲା। ଭାରତ ପକ୍ଷରୁ ଏକମାତ୍ର ଗୋଲ୍ ଗୁରଜାଣ୍ଟ ସିଂହ (୧୩ ମିନିଟ୍) ଦେଇଥିଲେ। ଅନ୍ୟପକ୍ଷରେ ଜର୍ମାନୀର ଫ୍ଲୋରିଆନ୍ ସ୍ପିୟରଲିଙ୍ଗ୍ (୭ ମିନିଟ୍), ଥିଏସ୍ ପ୍ରିଞ୍ଜ୍ (୧୪ ମିନିଟ୍), ମାଇକେଲ ଷ୍ଟ୍ରଥପ୍ (୪୮ମିନିଟ୍) ଓ ରାଫଲ ହର୍ଟକଫ୍ (୫୫ ମିନିଟ୍) ସଫଳ ହୋଇଥିଲେ। ଚଳିତ ସଂସ୍କରଣରେ ଭାରତୀୟ ପୁରୁଷ ଦଳର ଏହା ତୃତୀୟ ମ୍ୟାଚ୍ରୁ ଦ୍ବିତୀୟ ପରାଜୟ ଥିଲା।
ନିୟମିତ ଅଧିନାୟକ ହର୍ମନପ୍ରୀତ୍ ସିଂହଙ୍କ ଅନୁପସ୍ଥିତିରେ ଓଡ଼ିଆ ତାରକା ଅମିତ ରୋହିଦାସ ଆଜି ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ବ୍ୟକ୍ତିଗତ ଭାବେ ଅମିତ ଏବଂ ଅନ୍ୟ ଦୁଇ ସ୍ଥାନୀୟ ଖେଳାଳି ଶିଳାନନ୍ଦ ଲାକ୍ରା ଓ ନୀଲମ ସଂଜୀପ ଖେସ୍ ଭଲ କରିଥିଲେ ମଧ୍ୟ ଗତି ଓ ପାସ୍ ଚାଳନାରେ ଭାରତୀୟ ଦଳକୁ ଜର୍ମାନୀ ଚକ୍ମା ଦେବାରେ ସଫଳ ହୋଇଥିଲା। ସେହିଭଳି ପିଆର୍ ଶ୍ରୀଜେଶଙ୍କ ପରେ ଭାରତୀୟ ଗୋଲ୍ ରକ୍ଷଣର ମାନ ଯେ କ୍ରମାଗତ ଭାବେ ତଳମୁହାଁ ହୋଇଛି, ତାହା ଆଜି ମ୍ୟାଚ୍ରୁ ପୁଣି ଥରେ ପ୍ରମାଣିତ ହୋଇଥିଲା। ଭାରତୀୟ ଦଳର ପୁରୁଣା ରୋଗ ଅର୍ଥାତ୍ କନଭର୍ସନ୍ ଦୁର୍ବଳତା ମଧ୍ୟ ଏହି ମ୍ୟାଚ୍ରେ ଜଳଜଳ ହୋଇ ଦେଖିବାକୁ ମିଳିଥିଲା। ଦଳର ଏକାଧିକ ପେନାଲ୍ଟି କର୍ଣ୍ଣର ସୁଯୋଗକୁ ହାତଛଡ଼ା କରି ନିଜ ନିଜ ଗୋଡ଼କୁ ହାଣିଥିଲା। ମ୍ୟାଚ୍ ଆରମ୍ଭ ପୂର୍ବରୁ ରାଜ୍ୟ ସରକାରଙ୍କ ଶିଳ୍ପ, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚୟ ହେବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।
ଲଢ଼ିକି ହାରିଲେ ମହିଳା
ଭାରତୀୟ ମହିଳା ହକି ଦଳ ଲଢ଼େଇ କରି ସ୍ପେନ୍ଠାରୁ ୩-୪ ଗୋଲ୍ରେ ହାରିଛି। ଉଦ୍ଘାଟନୀ ଦିବସରେ ଇଂଲଣ୍ଡକୁ ହରାଇ ଆତ୍ମବିଶ୍ବାସର ସହ ଅଭିଯାନ ଅରମ୍ଭ କରିଥିବା ସଲିମା ଟେଟେଙ୍କ ନେତୃତ୍ବାଧୀନ ଦଳ ପାଲଟା ମୁକାବିଲାରେ ଇଂଲଣ୍ଡଠାରୁ ସୁଟ୍ଆଉଟ୍ ହୋଇଥିଲା। ଏଣୁ ମଙ୍ଗଳବାର ସ୍ପେନ୍ ବିପକ୍ଷରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଏହା ସମ୍ଭବ ହୋଇନି। ୪୫ ମିନିଟ୍ କାଳ ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିବା ସତ୍ତ୍ବେ ଶେଷ କ୍ବାର୍ଟରରେ ଦୁଇଟି ଗୋଲ୍ ବରଣ କରି ପରାଜିତ ହୋଇଛି ଭାରତ। ଏପରିକି ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ୩-୨ରେ ଆଗୁଆ ରହିବା ସତ୍ତ୍ବେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ରୂପାନ୍ତର କରି ନପାରିବାର ଚିରାଚରିତ ଦୁର୍ବଳତା ପାଇଁ ଶେଷରେ ୩-୪ ଗୋଲ୍ରେ ପରାଜିତ ହୋଇଥିଲା। ଫଳରେ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଥିଲା।
ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଘଡ଼ିକୁ ଘଡ଼ି ମୋଡ଼ ବଦଳାଉଥିବା ମୁକାବିଲାରେ ଭାରତ ବଲ୍ଜୀତ କୌର୍ଙ୍କ ଫିଲ୍ଡ ଗୋଲ୍ ବଳରେ ୧୯ ମିନିଟ୍ରେ ଆଗୁଆ ହୋଇଥିଲା। ସ୍ପେନ୍ କିନ୍ତୁ ଚାରି ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ଭାରତୀୟ ଖେଳାଳିଙ୍କ କାନ୍ଧକୁ ଚାପ ଫେରାଇ ଦେଇଥିଲା। ଏହି ଦୁଇଟି ଗୋଲ୍ ୨୧ ଓ ୨୫ ମିନିଟ୍ରେ ସୋଫିଆ ରୋଗୋସ୍କି ଓ ଏସ୍ଟେଲ୍ ପେଟଚେମ୍ ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ସ୍ପେନ୍ ୨-୧ରେ ଆଗୁଆ ରହିଥିଲା। ମଧ୍ୟାନ୍ତର ପରେ କିନ୍ତୁ ଭାରତୀୟ ମହିଳା ଦଳ ମ୍ୟାଚ୍ର ମୋଡ଼ ବଦଳାଇବାକୁ ସକ୍ଷମ ହୋଇଥିଲା। ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କଠାରୁ ଗୁରୁ ମନ୍ତ୍ର ନେଇ ପଡ଼ିଆକୁ ଓହ୍ଲାଇବା ପରେ ଅସାଧାରଣ ଗତି ଏବଂ ଅପୂର୍ବ ତାଳମେଳର ପରିଚୟ ଦେଇ ୩୮ ଓ ୪୫ ମିନିଟ୍ରେ ଦୁଇଟି ଗୋଲ୍ ଦେଇ ପୁଣି ଥରେ ମ୍ୟାଚ୍କୁ ଫେରିଥିଲା ଭାରତ। ସାକ୍ଷୀ ରାଣା ଓ ଋତୁଜା ଦାଦାସୋ ପିସାଲଙ୍କ ଏହି ଦୁଇଟି ଫିଲ୍ଡ ଗୋଲ୍ ବଳରେ ୩-୨ରେ ଆଗୁଆ ରହି ଭାରତ ଚତୁର୍ଥ କ୍ବାର୍ଟର୍କୁ ଯାଇଥିଲା।
ତୃତୀୟ କ୍ବାର୍ଟର୍ରେ ପୂରା ଆଧିପତ୍ୟ ବିସ୍ତାର କରିଥିବା ଭାରତୀୟ ଦଳ ହଠାତ୍ ଚତୁର୍ଥ କ୍ବାର୍ଟରରେ ଶିଥିଳ ପଡ଼ି ଯାଇଥିଲା। ଯାହାର ପୂରା ଫାଇଦା ନେଇ ୪୯ରୁ ୫୨ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ୪-୩ରେ ଆଗୁଆ ରହିବା ସହ ଡ୍ରାଇଭର୍ ସିଟ୍ରେ ବସି ଯାଇଥିଲା ସ୍ପେନ୍। ଅବଶିଷ୍ଟ ୮ ମିନିଟ୍ରେ ଭାରତୀୟ ଖେଳାଳି ଏକାଧିକ ସୁଯୋଗ ହାତଛଡ଼ା କରି ମ୍ୟାଚ୍କୁ ବରାବର ସ୍ଥିତିକୁ ଆଣିବାରେ ବିଫଳ ହୋଇଥିଲେ। ଫଳରେ ସ୍ପେନ୍ ଗୋଟିଏ ଗୋଲ୍ ବ୍ୟବଧାନରେ ଜିତି ପୂରା ୩ ପଏଣ୍ଟ୍ ହାତେଇ ଥିଲା। ପଦାର୍ପଣରେ ସାକ୍ଷୀ ଗୋଲ୍ କରିବା ଭାରତ ପାଇଁ ଏକମାତ୍ର ସାନ୍ତ୍ବନା ହୋଇଥିଲା। ରାଜ୍ୟ ସରକାରଙ୍କ ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଏହି ଅବସରରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଏବଂ ଭାରତୀୟ ମହିଳା ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଉପସ୍ଥିତ ଥିଲେ।