ବିଶ୍ବ କୀର୍ତ୍ତିମାନ ସହ ବ୍ରିଟେନ୍‌କୁ ମିଶ୍ରିତ ଦ୍ବିମୁକୁଟ, ପୋଲାଣ୍ଡ୍‌କୁ ୪୦୦ ମିଟର ମିଶ୍ରିତ ରିଲେ ସ୍ବର୍ଣ୍ଣ

ଟୋକିଓ: ସନ୍ତରଣ ପୁଲ୍ ହେଉ କି ଆଥଲେଟିକ୍ସ ଟ୍ରାକ୍‌ ଟୋକିଓ ଅଲିମ୍ପିକ୍ସରେ ଗ୍ରେଟ୍‌ ବ୍ରିଟେନ୍‌ ନିଜର ଜଲ୍‌ୱା ଦେଖାଇଛି। ସନ୍ତରଣ ପ୍ରତିଯୋଗିତାର ୪ ଗୁଣା ୧୦୦ ମିଟର୍ ମିଶ୍ରିତ (ପୁରୁଷ ଓ ମହିଳା) ମେଡଲେ ରିଲେରେ ଗ୍ରେଟ୍‌ ବ୍ରିଟେନ୍ ନୂଆ ବିଶ୍ବ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ମିଶ୍ରିତ ଟାଏଥଲନ୍‌ ରିଲେରେ ମଧ୍ୟ ଶୀର୍ଷ ସ୍ଥାନ ଦଖଲ କରିଛି। ଉଭୟ ଖେଳ ଟୋକିଓ ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ବେଳେ ଗ୍ରେଟ୍‌ ବ୍ରିଟେନ୍‌ ପ୍ରଥମ ସ୍ବର୍ଣ୍ଣ ବିଜେତାର‌ ଗୌରବ ଅର୍ଜନ କରିଛି। ସନ୍ତରଣରେ କେଟ୍ ଡାଓସନ୍ (ବ୍ୟାକଷ୍ଟ୍ରୋକ୍‌), ଆଦାମ ପିଟି (ବ୍ରେଷ୍ଟଷ୍ଟ୍ରୋକ୍‌), ଜେମ୍ସ ଗଏ (ବଟରଫ୍ଲାଏ) ଏବଂ ଆନ୍ନା ହପକିନ୍ (ଫ୍ରଣ୍ଟ୍‌ କ୍ରଲ୍‌)ଙ୍କୁ ନେଇ ଗଠିତ ଗ୍ରେଟ୍ ବ୍ରିଟେନ୍ ଦଳ ୩ ମିନିଟ୍‌ ୩୭.୫୮ ସେକେଣ୍ଡ୍ ସମୟ ସହ ବିଶ୍ବ କୀର୍ତ୍ତିମାନ କରିଥିଲେ। ୧.୨୮ସେକେଣ୍ଡ୍ ପଛରେ ରହି ଚୀନ ରୌପ୍ୟ ପଦକ ଜିତିଥିଲା। ମହିଳା-ପୁରୁଷ-ପୁରୁଷ-ମହିଳା ଫର୍ମାଟକୁ ଆପଣାଇଥିବା ଗ୍ରେଟ୍ ବ୍ରିଟେନ୍‌ ତୃତୀୟ ଚରଣ ପର୍ଯ୍ୟନ୍ତ ପଛରେ ପଡ଼ିଥିଲେ ମଧ୍ୟ ଶେଷ ଚରଣରେ ଜେମ୍ସ ଗଏ ଚମତ୍କାର ପ୍ରଦର୍ଶନ ଦଳକୁ ଶୀର୍ଷରେ ପହଞ୍ଚାଇ ଦେଇଥିଲେ। ପ୍ରତିଯୋଗିତା ପୂର୍ବରୁ ଚୀନ୍‌ ନାମରେ ୨୦୨୦ ‌ସେପ୍ଟେମ୍ବରରରୁ ବିଶ୍ବ କୀର୍ତ୍ତିମାନ (୩:୩୮.୪୧) ରହିଥିଲା।

ସେହିଭଳି ଓଦାଇବା ମାରିନ୍ ପାର୍କରେ ଅନୁଷ୍ଠିତ ମିଶ୍ରିତ ରିଲେ ଟ୍ରାଏଥଲନ୍‌ରେ ମଧ୍ୟ ଗ୍ରେଟ୍ ବ୍ରିଟେନ୍ ଚମତ୍କାର ଦଳଗତ ପ୍ରଦର୍ଶନ ବଳରେ ସ୍ବର୍ଣ୍ଣ ପଦକ ଜିତି ନେଇଥିଲା। ଜେସିକା ଲିୟରମାଉଥ, ୟୋ‌ନାଥନ ବ୍ରାଉନଲି, ଜର୍ଜିଆ ଟେଲର ବ୍ରାଉନ୍‌ ଆଲେକ୍ସ ୟିଙ୍କୁ ନେଇ ଗଠିତ ଗ୍ରେଟ୍‌ ବ୍ରିଟେନ୍ ଦଳ ୧;୨୩.୪୧ ଟାଇମିଂ ସହ ପ୍ରଥମ ସ୍ଥାନରେ ରହିଥିଲେ। ଏଥି ସହ ଗ୍ରେଟ୍ ବ୍ରିଟେନ୍ ମଧ୍ୟ କେବଳ ଟୋକିଓ ଅଲିମ୍ପିକ୍ସ ଟ୍ରାଏଥଲନରୁ ୩ ପଦକ (୨ ରୌପ୍ୟ ଓ ୧ ସ୍ବର୍ଣ୍ଣ) ହାସଲ କରିଛି। ସମସ୍ତ ପ୍ରତିଯୋଗୀ ୩୦୦ ମିଟର୍‌ ସନ୍ତରଣ, ୬.୮ କିଲୋମିଟର୍‌ ସାଇକେଲିଂ, ୨ କିଲୋମିଟର୍ ଦୌଡ଼ ପରେ ଏହି ଫଳାଫଳ ଚୂଡାନ୍ତ ହୋଇଥିଲା। ଆମେରିକାକୁ କାଟି ଜାଫେର୍ସ, ମୋର୍ଗାନ ପିୟରସନ୍, କେଭିନ୍‌ ମ୍ୟାକ୍‌ଡୋୱେଲ ଓ ଟେଲର୍ ନିବ୍‌ ରୌପ୍ୟ ପଦକ ଦେଇଥିଲେ। ଫ୍ରାନ୍ସକୁ କାଂସ୍ୟ ପଦକ ବିଜେତା କରିଥିଲେ ଲିଓନି ପେରିଆଲ୍ଟ, ଡୋରିଆନ୍‌ କନିକ୍ସ ଓ କାସାନ୍ଦ୍ରେ ବିଉଗ୍ରାଣ୍ଡ୍‌।
ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସରେ ଏକାଧିକ ଖେଳରେ ମିଶ୍ରିତ ଇଭେଣ୍ଟ୍ ପଦାର୍ପଣ କରିଛି। ସନ୍ତରଣ, ଦୌଡ଼କୁଦ, ଜୁଡ଼ୋ, ବଂଧୁକଚାଳନା, ତୀରନ୍ଦାଜି ଓ ଟେବୁଲ୍‌ ଟେନିସ୍‌ ଏଠା‌ରେ ମିଶ୍ରିତ ଉଭେଣ୍ଟ ଦେଖିବାକୁ ମିଳିଛି।

ପୋଲାଣ୍ଡ୍‌କୁ ୪୦୦ ମିଟର ମିଶ୍ରିତ ରିଲେ ସ୍ବର୍ଣ୍ଣ

ଚଳିତ ଟୋକିଓ ଅଲିମ୍ପିକ୍ସରେ ଶନିବାର ପୋଲାଣ୍ଡ୍‌ ବଡ଼ ସଫଳତା ମିଳିଛି। କାରୋଲ ଜାଲେୱିସ୍କି, ନାତାଲିଆ କାଜ୍‌ମାରେକ୍‌, ଜଷ୍ଟିନା ସ୍ବିଟି ଏର୍‌ସେଟିକ୍‌ ଏବଂ କାଜେତାନ୍‌ ଦୁଜିନ୍‌ସ୍କିଙ୍କୁ ନେଇ ଗଠିତ ପୋଲାଣ୍ଡ ଦଳ ୪ ଗୁଣା ୪୦୦ ମିଟର ମିଶ୍ରିତ ରିଲେ ସ୍ବର୍ଣ୍ଣ ପଦକ ଜିତିନେଇଛି। ଏହି ବର୍ଗରେ ଜାପାନ ପାଇଁ ଏହା ପ୍ରଥମ ସ୍ବର୍ଣ୍ଣ। ଏପରିକି ଦଳର ସମସ୍ତ ୪ ଜଣଙ୍କ ପାଇଁ ମଧ୍ୟ ଏହା ପ୍ରଥମ ଅଲିମ୍ପିକ୍‌ ପଦକ। ପୋଲାଣ୍ଡ ଦଳ ୯.୮୭ ସେକେଣ୍ଡ ଟାଇମିଂ ସହ ପ୍ରଥମ ସ୍ଥାନ ଦଖଲ କରିଥିଲା।

ସମ୍ବନ୍ଧିତ ଖବର