ଜୈବ ବଳୟ ଭାଙ୍ଗିଲେ କୋଟିଏ ଜରିମାନା, ୨ ପଏଣ୍ଟ୍‌ ପେନାଲ୍ଟି

ଦୁବାଇ: ଆଇପିଏଲ୍ ଜୈବ ବଳୟ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ସଙ୍କେତ ଦେଇଛି ବିସିସିଆଇ। ଲିଗ୍‌ର ୮ଟି ଯାକ ଦଳକୁ ପଠାଇଥିବା ନିର୍ଦ୍ଦେଶାବଳୀରେ ବିସିସିଆଇ ଏଥିନେଇ ସ୍ଥିର କରିଥିବା ଦଣ୍ଡବିଧାନ ବିଷୟରେ ମଧ୍ୟ ବିସ୍ତୃତ ବିବରଣୀ ଦେଇଛି। ତଦନୁଯାୟୀ ଯଦି କୌଣସି ଖେଳାଳି ଅଣସ୍ବୀକୃତ ଭାବେ ଜୈବ ବଳୟ ବାହାରକୁ ଯାଆନ୍ତି, ତେବେ ତାଙ୍କୁ ୬ ଦିନର ବାଧ୍ୟତାମୂଳକ ସଙ୍ଗରୋଧକୁ ପଠାଇ ଦିଆଯିବ। ସଂପୃକ୍ତ ଖେଳାଳି ଯଦି ଦ୍ବିତୀୟ ଥର ଏଭଳି ଭୁଲ ଦୋହରା’ନ୍ତି, ତାହାଲେ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ନିଲମ୍ବନ କରାଯିବ। ତୃତୀୟ ଭୁଲ ପାଇଁ ସଂପୂର୍ଣ୍ଣ ପ୍ରତିଯୋଗିତାରୁ ବିଦା କରିଦିଆଯିବା ସହ ତାଙ୍କ ସ୍ଥାନରେ କୌଣସି ବଦଳ ଖେଳାଳି ନେବାକୁ ଅନୁମତି ମଧ୍ୟ ମିଳିବ ନାହିଁ। ସେହିଭଳି ଖେଳାଳିମାନେ ତାଙ୍କ ଦୈନିକ ସ୍ବାସ୍ଥ୍ୟ ସାରଣୀକୁ ଠିକ୍ ଭାବେ ପରିଚାଳନା ନକଲେ, ଜିପିଏସ୍ ଟ୍ରାକର୍‌କୁ ନପିନ୍ଧିଲେ ଏବଂ ସୂଚୀ ମୁତାବକ କୋଭିଡ୍-୧୯ ପରୀକ୍ଷା ନକରିଲେ, ଭାରତୀୟ ମୁଦ୍ରାରେ ପାଖାପାଖି ୬୦,୦୦୦ ଟଙ୍କା ଜରିମାନାର ସମ୍ମୁଖୀନ ହେବେ। ଏହି ନିୟମ ଖେଳାଳିଙ୍କ ପରିବାର ସଦସ୍ୟ ଏବଂ ଅଧିକାରୀମାନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ସଂପ୍ରତି ସମସ୍ତ ଖେଳାଳି, ଦଳୀୟ ଅଧିକାରୀ ଓ ସହାୟକ କର୍ମଚାରୀଙ୍କର ପ୍ରତି ପାଞ୍ଚ ଦିନରେ କୋଭିଡ୍-୧୯ ପରୀକ୍ଷା କରାଯାଉଛି।

ଜୈବ ବଳୟ ନିୟମ ଅନୁସରଣ ଲାଗି ଦଳୀୟ ଅଧିକାରୀଙ୍କୁ ବି ଉତ୍ତରଦାୟୀ କରାଯାଇଛି। କୌଣସି ଦଳ ଯଦି ଖେଳାଳି କିମ୍ବା ସହାୟକ ଅଧିକାରୀଙ୍କ ସହ ବାର୍ତ୍ତାଳାପ ପାଇଁ ବାହାରର କୌଣସି ବ୍ୟକ୍ତିଙ୍କୁ ଅନୁମତି ଦିଅନ୍ତି, ତାହାଲେ ସଂପୃକ୍ତ ଦଳକୁ ପ୍ରଥମ ଉଲ୍ଲଂଘନ ପାଇଁ ୧ କୋଟି ଟଙ୍କାର ଜରିମାନା ଦେବାକୁ ହେବ। ଦ୍ବିତୀୟ ଓ ତୃତୀୟ ଭୁଲ ପାଇଁ ଯଥାକ୍ରମେ ୧ ଓ ୨ ପଏଣ୍ଟ, ସେହି ଦଳର ପଏଣ୍ଟ୍‌ ତାଲିକାରୁ କାଟି ଦିଆଯିବ। ତେବେ ଏଭଳି ଘଟଣା ଘଟିବ ନାହିଁ ବୋଲି ବିସିସିଆଇ ଆଶା ପ୍ରକାଶ କରିଛି। କିନ୍ତୁ ସଂପ୍ରତି ସବୁ ଦଳ ପାଖରେ ନିର୍ଧାରିତ ସଂଖ୍ୟାଠାରୁ କମ୍ ଖେଳାଳି ଥିବାରୁ ଏଭଳି ଆଶଙ୍କାକୁ ସଂପୂର୍ଣ୍ଣ ଏଡ଼ାଇ ଦିଆଯାଇ ନପାରେ। ଅଧିକାଂଶ ‌ଦଳ ୧୨ ଜଣ ଖେଳାଳିଙ୍କୁ ନେଇ ଖେଳୁଥିବାରୁ ଯଦି ଏକ ଦଳ ପାଖରେ ୧୧ ଜଣ ଖେଳାଳି ନାହାନ୍ତି, ତାହାଲେ ବିସିସିଆଇ ସେହି ମ୍ୟାଚ୍‌ର ସୂଚୀ ବଦଳାଇବାକୁ ଚେଷ୍ଟା କରିବ। ଏହା ହୋଇ ନପାରିଲେ ମ୍ୟାଚ୍‌କୁ ବାତିଲ କରିବ। ଲିଗ୍ ପାଇଁ ସ୍ଥିର କରାଯାଇଥିବା ସ୍ବାସ୍ଥ୍ୟ ଓ ସୁରକ୍ଷା ନିୟମ ଭାଙ୍ଗିଲେ ମଧ୍ୟ ଦଳଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବିସିସିଆଇ। ଏଥିଲାଗି ତଦନ୍ତ କରାଯାଇ ଦୋଷୀଙ୍କୁ କଠୋର ଜରିମାନା ଦିଆଯିବ ବୋଲି ବୋର୍ଡ ଚେତାବନୀ ଦେଇଛି। ସୂଚନାଯୋଗ୍ୟ ଯେ ୟୁଏଇରେ ଆୟୋଜିତ ହେଉଥିବା ଆଇପିଏଲ୍-୧୩ ଆରମ୍ଭ ହେବା ପରେ କୌଣସି ଦଳ ଏପର୍ଯ୍ୟନ୍ତ କୋଭିଡ୍-୧୯ ସଙ୍କଟର ସମ୍ମୁଖୀନ ହୋଇନାହାନ୍ତି।

ସମ୍ବନ୍ଧିତ ଖବର