ସମ୍ବଲପୁରରୁ ଉଠିଯିବ ଫୁଟ୍‌ବଲ୍ ଛାତ୍ରାବାସ, ଭିତ୍ତିଭୂମି ବିକାଶ ବଦଳରେ ଶୃଂଖଳା ଉଚ୍ଛେଦ କରିବା ପ୍ରୟାସ

ସମ୍ବଲପୁର: ଫୁଟବଲ୍‌ରେ ଅନେକ ସୁନାମ ଅର୍ଜନ କରିଥିବା ସମ୍ବଲପୁରରୁ ଫୁଟବଲ୍‌ ଛାତ୍ରାବାସକୁ ଉଚ୍ଛେଦ କରିବା ଭଳି ଏକ ଅଦ୍ଭୁତ ନିଷ୍ପତ୍ତି ନେଇଛି ରାଜ୍ୟ କ୍ରୀଡ଼ା ବିଭାଗ। ଫୁଟବଲ୍‌ରେ ରାଜ୍ୟର ହାତଗଣତି ନାଁ କରା ଜିଲ୍ଲା ଭିତରେ ସମ୍ବଲପୁର ଅନ୍ୟତମ। ରାଜ୍ୟର ଅନ୍ୟ ଅନେକ ଫୁଟବଲ୍ ଛାତ୍ରାବାସ ତୁଳନାରେ ସମ୍ବଲପୁର ଛାତ୍ରାବାସର ସଫଳତା ତାଲିକା ବେଶ ଲମ୍ବା। ସମ୍ବଲପୁର ଦଳ ଏକାଧିକ ବାର ସ୍କୁଲ୍ ଗେମ୍‌ସ ଫେଡେରେସନ୍ ଦ୍ବାରା ଆୟୋଜିତ ପ୍ରତିଯୋଗିତାରେ ବିଜେତା ଓ ଉପବିଜେତା ହୋଇଛି। ବହୁବାର ରାଜ୍ୟସ୍ତରୀୟ ସୁବ୍ରତ କପ୍‌ ଓ ବିଜୁ ପଟ୍ଟନାୟକ ଗୋଲ୍‌ଡ କପ୍‌ ଜିତିଛି। ଅନେକ ରାଜ୍ୟସ୍ତରୀୟ ଓ ସର୍ବଭାରତୀୟ ପ୍ରତିଯୋଗିତାରେ ବିଜୟୀ ହୋଇଛି। ସମ୍ବଲପୁର କ୍ରୀଡ଼ା ଛାତ୍ରାବାସ ପଙ୍କଜ ସୋନା ଏବଂ ରାକେଶ ଓରାମଙ୍କ ଭଳି ଖେଳାଳିଙ୍କୁ ସୃଷ୍ଟି କରିଛି ଯେଉଁମାନେ ଓଡ଼ିଶା ଫୁଟବଲ୍‌ ଇତିହାସର ସର୍ବାଧିକ ସଫଳ ଖେଳାଳିଙ୍କ ମଧ୍ୟରେ ଆଗ ଧାଡ଼ିରେ ଗଣା ହୁଅନ୍ତି। ସମ୍ବଲପୁରରୁ ଲୋଚନା ମୁଣ୍ଡା, ଅହଲ୍ୟା ମୁଣ୍ଡା, ଝିଲି ମୁଣ୍ଡା ସମେତ ୩୦ରୁ ଅଧିକ ଅନ୍ତର୍ଜାତୀୟ ଓ ଜାତୀୟ ମହିଳା ଫୁଟବଲର୍‌ ବାହାରିଛନ୍ତି। ଆଦିବାସୀ ବହୁଳ ସମ୍ବଲପୁର ଜିଲ୍ଲାର ମାଟିପାଣି ଓ ସଂସ୍କୃତିରେ ଫୁଟବଲ୍‌ର ଛାପ ରହିଛି। ଫୁଟବଲ୍‌ର ଅନ୍ୟତମ ପୃଷ୍ଠପୋଷକ ଭାବେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ନିଜସ୍ବ ଉଦ୍ୟମରେ ଏଠାରେ ସମ୍ବଲପୁର ଫୁଟବଲ୍ ଏକାଡେମି ସ୍ଥାପନ କରିଥିଲେ ଯାହା ଓଡ଼ିଶାର ପ୍ରଥମ ଓ ଟାଟା ଫୁଟବଲ୍‌ ଏକାଡେମି ପରେ ସମଗ୍ର ପୂର୍ବ ଭାରତରେ ସେହି ଧରଣର ଦ୍ବିତୀୟ ତାଲିମ କେନ୍ଦ୍ର ଥିଲା।

କିନ୍ତୁ ଏସବୁ ସତ୍ତ୍ବେ ରାଜ୍ୟ କ୍ରୀଡ଼ା ବିଭାଗ ସମ୍ବଲପୁରରେ ଫୁଟବଲ୍‌ର ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ବଦଳରେ ଭିତ୍ତିଭୂମିର ଅଭାବ ଦେଖାଇ ଏଠାରୁ ଫୁଟବଲ୍ ଛାତ୍ରାବାସକୁ ଉଠାଇ ଦେବା ଯୋଜନା କରିଛି। ବୁର୍ଲାଠାରେ ସମ୍ବଲପୁର ସ୍ପୋର୍ଟସ୍ କଂପ୍ଲେକ୍ସ ନିର୍ମାଣାଧୀନ ରହିଛି ଯେଉଁଠି ଅତ୍ୟାଧୁନିକ ଫୁଟବଲ୍ ଷ୍ଟାଡିୟମ୍ ଓ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ସମେତ ହକି, ଟେନିସ୍‌, ସନ୍ତରଣ, ଭଲିବଲ୍‌, ବ୍ୟାଡ୍‌ମିଣ୍ଟନ, ଟେବୁଲ୍ ଟେନିସ୍‌, ତୀରନ୍ଦାଜି ଆଦି କ୍ରୀଡ଼ାଶୃଙ୍ଖଳା ନିମନ୍ତେ ଭିତ୍ତିଭୂମି ନିର୍ମାଣର ଯୋଜନା ରହିଛି। ସ୍ପୋର୍ଟସ୍‌ କଂପ୍ଲେକ୍ସରେ ସମନ୍ବିତ ଆଧୁନିକ ହଷ୍ଟେଲ୍‌ ନିର୍ମାଣ ପରେ ସମ୍ବଲପୁର କ୍ରୀଡ଼ା ଛାତ୍ରାବାସ ସେଠାକୁ ସ୍ଥାନାନ୍ତରିତ ହେବାର ଯୋଜନା ରହିଛି। ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଏମ୍‌ସିଏଲ୍‌ ବହୁ ବ‌ର୍ଷ ତଳୁ ୨୫ କୋଟି ଟଙ୍କା ଦେଇ ସାରିଥିବା ବେଳେ କ୍ରୀଡ଼ା ବିଭାଗ ଅବଶିଷ୍ଟ ଅର୍ଥ ଖର୍ଚ୍ଚ କରି ଏହାକୁ ରାଜ୍ୟର ସବୁଠୁ ଅତ୍ୟାଧୁନିକ କ୍ରୀଡ଼ା କେନ୍ଦ୍ର କରିବ ବୋଲି ପୂର୍ବତନ ମନ୍ତ୍ରୀ ଓ ସଚିବ ମାନେ କହିଆସିଛନ୍ତି। କିନ୍ତୁ ଏହି କାମ ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା ବେଳେ ଏବେ କଚ୍ଛପ ଗତିରେ ଚାଲିଛି। ଏ ସବୁ ଭିତରେ ଫୁଟବଲ୍‌ ଛାତ୍ରାବାସ ଉଠାଇ ନେବା ପାଇଁ ସରକାରଙ୍କ ଯୋଜନା ସମ୍ବଲପୁର କ୍ରୀଡ଼ାପ୍ରେମୀଙ୍କ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ଏହା ପୂର୍ବରୁ ଥରେ ସମ୍ବଲପୁରରୁ ସନ୍ତରଣ ଛାତ୍ରାବାସ ଉଠାଇ ନେବାକୁ କ୍ରୀଡ଼ା ବିଭାଗ ବିଫଳ ପ୍ରୟାସ କରିଥିଲା। ସମ୍ବଲପୁରସ୍ଥିତ ରାଜ୍ୟର ସର୍ବପ୍ରଥମ ସନ୍ତରଣାଗାରର ପାଣି ମଇଳା ଥିବା ବାହାନା ଦେଖାଇ ରାତାରାତି ପ୍ରଶିକ୍ଷାର୍ଥୀମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିଥିଲା। କିନ୍ତୁ ସେତେବେଳେ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। କ୍ରୀଡ଼ା ବିଭାଗ ସନ୍ତରଣ ଛାତ୍ରାବାସକୁ ପୁଣି ସମ୍ବଲପୁର ଫେରାଇ ଆଣିବା ସହ ଏଠାରେ ନୂଆ ସୁଇମିଂ ପୁଲ୍ ତିଆରି କରିବାକୁ ବାଧ୍ୟ ହୋଇଥିଲା। ଏଥର ସନ୍ତରଣକୁ ରଖି ଅନ୍ୟତମ କ୍ରୀଡ଼ା ଶୃଂଖଳା ଫୁଟବଲ୍‌କୁ ଉଠାଇ ନେବାକୁ ପ୍ରୟାସ ଆରମ୍ଭ ହୋଇଛି। ସମ୍ବଲପୁରବାସୀ ଏହାକୁ କିଭଳି ଭାବରେ ଗ୍ରହଣ କରୁଛନ୍ତି ତାହା ଆଗାମୀ କିଛି ଦିନ ମଧ୍ୟରେ ଜଣା ପଡ଼ିବ।

ସମ୍ବନ୍ଧିତ ଖବର