ନୂଆଦିଲ୍ଲୀ: ପାରାଲିମ୍ପିକ୍ସରେ ହାତ ନଥାଇ ପଦକ ଜିତିଥିବା ଭାରତୀୟ ତୀରନ୍ଦାଜ ଶୀତଲ ଦେବୀଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଚାଲିଛି। ଏବେ ତାଙ୍କଠୁ ପ୍ରେରଣା ନେଇ ଅନ୍ୟଜଣେ ଭାରତୀୟ ମଧ୍ୟ ତୀରନ୍ଦାଜିରେ ଶୀର୍ଷସ୍ତରକୁ ଯିବା ଲକ୍ଷ୍ୟ ରଖିଛନ୍ତି। ଜମ୍ମୁ କଶ୍ମୀରର କିସ୍ତୱର ଅଞ୍ଚଳର ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ହାତ ଓ ଗୋଡ଼ ନଥିବା ଏହି ନାବାଳିକା ଜଣକ ଲକ୍ଷ୍ୟ ଭେଦ କରିବା ପାଇଁ ଶୀତଲଙ୍କ ପ୍ରଶିକ୍ଷକ କୁଲଦୀପ ଭେଦୱନଙ୍କ ଅଧୀନରେ ଅଭ୍ୟାସ ଜାରି ରଖିଛନ୍ତି। ନାବାଳିକା ଜଣକ କୃତ୍ରିମ ଅଙ୍ଗ ସହାୟତାରେ ପାରା ତୀରନ୍ଦାଜଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଧନୁରେ ଅଭ୍ୟାସ କରୁଥିବା ଦେଖାଯାଇଛି। ଶାରୀରିକ ଭିନ୍ନକ୍ଷମ ସତ୍ତ୍ବେ ନାବାଳିକା ଜଣକଙ୍କ ଉତ୍ସର୍ଗୀକୃତ ତଥା ଦୃଢ଼ସଂକଳ୍ପ ମନୋଭାବ ରଖି ତୀରନ୍ଦାଜୀକୁ କ୍ୟାରିୟର କରୁଥିବାରୁ ତାଙ୍କ କାହାଣୀ ମଧ୍ୟ ହୃଦୟସ୍ପର୍ଶୀ ହୋଇପାରିଛି। 

Advertisment

ଏପରିକି ତାଙ୍କୁ ଶୀତଳ ଦେବୀଙ୍କ ସହିତ ତୁଳନା କରାଯିବା ମଧ୍ୟ ଆରମ୍ଭ ହୋଇଯାଇଛି। ଶୀତଲ ଦେବୀ ମଧ୍ୟ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡିଂରେ ଥିଲେ। ପାରାଲିମ୍ପିକ୍ସରେ ମହିଳା କମ୍ପାଉଣ୍ଡର ଯୋଗ୍ୟତା ପର୍ଯ୍ୟାୟରେ ୭୦୩ ସ୍କୋର କରି ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଥିଲେ। କିନ୍ତୁ ପଦକ ଜିତିପାରି ନଥିଲେ। ପରେ ମିଶ୍ରିତ ଯୁଗଳରେ ରାକେଶ କୁମାରଙ୍କୁ ସାଥୀ କରି କାଂସ୍ୟ ପଦକ ଜିତିଥିଲେ। ପଦକ ଜିତିବା ପରଠୁ ସେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଯିବା ସହ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୩.୨୯ ଲକ୍ଷ ଅତିକ୍ରମ କରିଯାଇଥିଲା। ଅନେକଙ୍କ ପାଇଁ ‌ସେ ପ୍ରେରଣା ପାଲଟିଯାଇଛନ୍ତି। ସେତେବେଳେ ଶୀତଲ ମଧ୍ୟ କହିଥିଲେ ଯେ, ଉପରୋକ୍ତ ନାବାଳିକା ଜଣକ ତାଙ୍କ ପାଖକୁ ଏକ ମେସେଜ୍‌ ଦେଇଥିଲେ। ହାତ ଓ ଗୋଡ଼ ନଥାଇ ମଧ୍ୟ ସେ ଅଭ୍ୟାସ ଆରମ୍ଭ କରିଥିବାରୁ ବହୁତ ଖୁସି ଲାଗୁଥିଲା। ଶୀତଲ ଯେଉଁଠାରେ ଅଭ୍ୟାସ କରୁଥିଲେ, ସେହି ସମାନ ସ୍ଥାନରେ ନାବାଳିକା ଜଣକ କୃତ୍ରିମ ଗୋଡ଼ ଲଗାଇ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି।