ରାଉରକେଲା: ଦୀର୍ଘ ସାତ ବର୍ଷର ବ୍ୟବଧାନ ପରେ ନୂଆ ରୂପରେ ଏବଂ ଆକର୍ଷଣୀୟ ଢଙ୍ଗରେ ଶନିବାରଠାରୁ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍‌ (ହିଲ୍‌)। ଉଦ୍‌ଘାଟନୀ ମ୍ୟାଚ୍‌କୁ ଦେଖିବାକୁ ହକିପ୍ରେମୀଙ୍କ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପାଖାପାଖି ୧୫ ହଜାର ଦର୍ଶକ ଟିମ୍‌ ଗୋନାସିକା ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ ମ୍ୟାଚ୍‌କୁ ଉପଭୋଗ କରିଛନ୍ତି।

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିଧନ ଯୋଗୁଁ ସମଗ୍ର ଦେଶ ରାଷ୍ଟ୍ରୀୟ ଶୋକ ପାଳନ କରୁଥିବାରୁ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବକୁ ବାତିଲ କରାଯାଇଥିଲା ସତ; କିନ୍ତୁ ରଙ୍ଗବେରଙ୍ଗ ଲାଇଟ୍‌ସୋ’ ସମସ୍ତଙ୍କୁ କିମିଆ କରିଥିଲା। ପ୍ରସିଦ୍ଧ ହିନ୍ଦୀ ଗୀତର ତାଳେତାଳେ ଲାଇଟ୍‌ ସୋ’ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଦର୍ଶକଙ୍କ ପାଇଁ ଟିକଟ୍‌ ମାଗଣା କରାଯାଇଥିଲା। ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ଦର୍ଶକଙ୍କ ଆଗମନ ଆରମ୍ଭ ହୋଇଯାଇଥିଲା। ଦର୍ଶକ ଗେଟ୍‌ ନଂ ୨ ଓ ୬ ଦେଇ ଷ୍ଟାଡିୟମ୍‌କୁ ପ୍ରବେଶ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ସ୍ବତନ୍ତ୍ର ଅତିଥି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଏସୀୟ ହକି ମହାସଂଘ ସଭାପତି ତୟାବ ନୟିମ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ସାଧାରଣ ସଂପାଦକ ଭୋଳାନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରସିଦ୍ଧ ଉଦ୍‌ଘୋଷକ ଜୟ ଭାନୁଶାଲୀ ସଂଯୋଜନା କରିଥିଲେ।

ଟିମ୍‌ ଗୋନାସିକା ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ ମଧ୍ୟରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ ସୁଟ୍‌ଆଉଟ୍‌ରେ ସରିଛି। ଉଭୟ ଦଳର ଖେଳାଳିଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ସୁଟ୍‌ ଆଉଟ୍‌ରେ କିନ୍ତୁ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ୪-୨ ଗୋଲ୍‌ରେ ବାଜି ମାରିନେଇଛି। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ରୁ ଦିଲ୍ଲୀ ଆକ୍ରମଣ ଆରମ୍ଭ କରିଥିଲା। ଫଳରେ ପଞ୍ଚମ ମିନିଟ୍‌ରେ ଏକ ସଫଳତା ବି ମିଳିଥିଲା। ତେବେ ଗୋନାସିକା ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଲାଗ୍‌ ଲାଗ୍‌ ଦୁଇଟି ଗୋଲ୍‌ ଦେଇ ୨-୧ ଗୋଲ୍‌ରେ ଆଗୁଆ ହୋଇଥିଲା। କିନ୍ତୁ ଏସ୍‌ସି ପାଇପର୍ସ ଟୋମାସ ଡୋମିନି ଦୁଇଟି ଗୋଲ୍‌ ‌(୫ ଓ ୩୯ ମିନିଟ୍‌) ଦେଇ ମ୍ୟାଚ୍‌କୁ ଡ୍ର କରିଥିଲେ। ଟିମ୍‌ ଗୋନାସିକାର ଷ୍ଟ୍ରୁଆନ ୱାକର୍‌(୨୬) ଓ ଭିକ୍ଟର ଚାର୍ଲେଟ୍‌(୩୫) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ।