ଲୋକସେବା ଭବନରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ: ବିଶ୍ବକପ୍‌ ହେବ ଭବ୍ୟ,ଚିତ୍ତାକର୍ଷକ ଓ ଦର୍ଶନୀୟ

ସବୁ ବିଭାଗ ମଧ୍ୟରେ ସମନ୍ବୟ ଲୋଡ଼ିଲେ ମୁଖ୍ୟ ଶାସନ ସଚିବ, ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ପ୍ରଚା ର ଉପରେ ଗୁରୁତ୍ବ

ଭୁବନେଶ୍ବର: ୨୦୧୭ରେ ଏସୀୟ ଦୌଡ଼କୁଦ ଏବଂ ୨୦୧୮ରେ ପ୍ରଥମ ଥର ଲାଗି ହକି ବିଶ୍ବକପ୍‌ର ଭବ୍ୟ, ସ୍ମରଣୀୟ ତଥା ସଫଳ ଆୟୋଜନ ପରେ ଓଡ଼ିଶା ୨୦୨୩ ଲଗାତାର ଦ୍ବିତୀୟ ଥର ଲାଗି ହକି ବିଶ୍ବକପ୍‌ ଆୟୋଜନ କରିବାକୁ ଯାଉଛି। ଏହାକୁ ଆହୁରି ଅଧିକ ଚିତ୍ତାକର୍ଷକ, ଦର୍ଶନୀୟ ତଥା ଅଭୁଲା କରିବା ଲାଗି ‌ଲୋକସେବା ଭବନରେ ସୋମବାର ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥରର ବିଶ୍ବକପ୍‌କୁ ଗତ ସଂସ୍କରଣଠାରୁ ବୃହତ୍ ଓ ଉନ୍ନତ ଧରଣର କରିବା ଉପରେ ଏଥିରେ ଗୁରୁତ୍ବାରୋପ କରାଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ସହ ବିଭିନ୍ନ ବିଭାଗର ପ୍ରଧାନ ସଚିବ, ବିଭାଗୀୟ ମୁଖ୍ୟ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଯୋଗଦେଇଥି‌ଲେ। କଟକ ଓ ରାଉରକେଲାର ପ୍ରଶାସନିକ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିଥିଲେ।

ଲୋକସେବା ଭବନରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସବୁ ବିଭାଗ ମଧ୍ୟରେ ସମନ୍ବୟ ଲୋଡ଼ିଲେ ମୁଖ୍ୟ ଶାସନ ସଚିବ

ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ପ୍ରଚା ର ଉପରେ ଗୁରୁତ୍ବ

ଅଭୁଲା ଅଭିଜ୍ଞତା ପାଇଁ ଖେଳାଳି ହେବେ ଓଡ଼ିଶାର ଦୂତ

ଏଥରର ବିଶ୍ବକପ୍‌ ଦୁଇଟି ସହର ଯଥା ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେଉଥିବାରୁ ଏଥିନେଇ ସୃଷ୍ଟି ହେବାକୁ ଥିବା ଆହ୍ବାନକୁ ସଫଳତାର ସହ ମୁକାବିଲା କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଅବସରରେ ମତାମତ ରଖିଥିଲେ। ତେବେ ଖେଳାଳି, ଦର୍ଶକ ଓ ପ୍ରଶଂସକଙ୍କ ପାଇଁ ଏକ ବିଭ୍ରାଟବିହୀନ, ସଫଳ ଏବଂ ସ୍ମରଣୀୟ ବିଶ୍ବକପ୍‌ ଆୟୋଜନ କରିବାର ଆତ୍ମବିଶ୍ବାସ ଥିବା ଦୋହରାଇ ଥିଲେ। ‘‘ବିଶ୍ବର ଶୀର୍ଷସ୍ତରୀୟ ଦଳଗୁଡ଼ିକୁ ସ୍ବାଗତ କରିବାକୁ ଆମେ ଚାହି ରହିଛୁ। କେତେକ ଦିଗ ଉପରେ ଆମକୁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ହେବ। ନିର୍ମାଣ ଓ ବିକାଶ କାର୍ଯ୍ୟର ସମୀକ୍ଷା ଆମେ ନିମୟିତ ଭାବେ କରିବୁ। ବିଭିନ୍ନ ବିଭାଗର ମିଳିତ ପ୍ରୟାସ ଲାଗି ୨୦୧୮ ମସିହାରେ ଓଡ଼ିଶା ସଫଳତାର ସହ ହକି ବିଶ୍ବକପ୍‌ ଆୟୋଜନ କରିଥିଲା। ଏଥିପାଇଁ ଆମରାଜ୍ୟର ଭାବମୂର୍ତ୍ତି ବିଶ୍ବସ୍ତରରେ ବଢ଼ିଥିଲା। ଏଥର ବିଶ୍ବକପ୍ ଆଡ଼କୁ ଅଧିକରୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିବା ସହ ପର୍ଯ୍ୟଟକଙ୍କୁ ଭିନ୍ନ ପ୍ରକାର ଅଭିଜ୍ଞତା ଯୋଗାଇଦେବା ଏବଂ ପ୍ରଶଂସକଙ୍କୁ ଯୋଡ଼ିବାକୁ ଆମେ କିଛି ନୂଆ କଥା ସଂଯୋଗ କରିବାକୁ ଯାଉଛୁ।’’ ବୋଲି କହିଥିଲେ ସେ। ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ନିଜ ମତ ରଖିବାକୁ ଯାଇ କହିଥିଲେ ‌ଯେ ଓଡ଼ିଶା ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବକପ୍‌ ଆୟୋଜନ ଅଧିକାର ପାଇବା ସମ୍ମାନର ବିଷୟ। ଦୁଇଟି ସ୍ଥାନରେ ହକି ବିଶ୍ବକପ୍ ଆୟୋଜନ ପୂର୍ବରୁ କେବେ ହୋଇନି ଏବଂ ଏଥିନେଇ ଆମେ ସମସ୍ତେ ଗର୍ବିତ ହେବା ଉଚିତ। ଓଡ଼ିଶା ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନର ନୂଆ ସ୍ତର ସୃଷ୍ଟି କରିସାରିଛି। ବିଶ୍ବକପ୍‌କୁ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ଲାଗି ଏକ ମାଧ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କ୍ରୀଡ଼ା ସଚିବ ଆର୍‌. ଭିନିଲକ୍ରିଷ୍ଣା ବିଶ୍ବକପ୍‌ ପାଇଁ ଆଗାମୀ ସମୟରେ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ‘‘ସହଆୟୋଜକ ସହର ରାଉରକେଲାରେ ଭିତ୍ତିଭୂମି ନିର୍ମାଣ ଦ୍ରୁତ ଗତିରେ ଚାଲିଛି। ଏହା ଉପରେ ସରକାରଙ୍କର ତୀକ୍ଷ୍ଣ ନଜର ରହିଛି। ଆସନ୍ତା କିଛି ମାସ ଭିତରେ ସେଠାକାର ସବୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ। ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଜିଲ୍ଲା ପ୍ରଶାସନର ତଦାରଖରେ ଦ୍ରୁତ ଗତିରେ ଆଗେଇ ଚାଲିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ନୂଆ ଟର୍ଫ ବିଛାଯାଇଛି। ଏବେ ଏହା ମ୍ୟାଚ୍ ପାଇଁ ପୂରା ପ୍ରସ୍ତୁତ ବୋଲି।’’ ସୂଚନା ଦେଇଥିଲେ ସେ। ସୁରକ୍ଷା, ପରିବହନ, ଯୋଗଯୋଗ, ଅଗ୍ନି ନିରାପତ୍ତା, ହୋଟେଲ, ପର୍ଯ୍ୟଟନ, ସୂଚନା ପ୍ରଯୁକ୍ତି, ଅର୍ଥ, ପୂର୍ତ୍ତ ଆଦି ବିଷୟରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଅଧିକାରୀଙ୍କ ଭୂମିକା ଓ ଉତ୍ତରଦାୟିତ୍ବ ନିର୍ଦ୍ଧାରଣ କରିବାକୁ ମଧ୍ୟ ଏଥିରେ ନିଷ୍ପତ୍ତି ନିଆଯାଇଥିଲା।

ହକି ଇଣ୍ଡିଆ ନିର୍ବାଚନ ପାଇଁ ଅଜୟ ନାୟକ ରିଟର୍ଣ୍ଣିଂ ଅଫିସର୍‌
ନୂଆଦିଲ୍ଲୀ: ହକି ଇଣ୍ଡିଆର ନିର୍ବାଚନ ପାଇଁ ଅଜୟ ନାୟକଙ୍କୁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି। ବିହାର ସରକାରଙ୍କ ଏହି ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହକାରୀ ଭାବେ ଏ କେ ମଜୁମଦାର ଦାୟିତ୍ବ ତୁଲାଇବେ। ଅକ୍ଟୋବର ୯ ତାରିଖ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଶେଷ ହେବାକୁ ଦିନ ଧାର୍ଯ୍ୟ ହୋଇଛି। ଅଗଷ୍ଟ ୧୭ ତାରିଖରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଆଇଏଫ୍‌ଏଫ୍‌) ଏବଂ ହକି ଇଣ୍ଡିଆର ପ୍ରଶାସନିକ ସମିତି (ସିଓଏ) ମଧ୍ୟରେ ହୋଇଥିବା ବୈଠକରେ ରିଟର୍ଣ୍ଣିଂ ଅଫିସର ଓ ସହକାରୀ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା। ଉଭୟଙ୍କ ନିଯୁକ୍ତି ପରେ ଏବେ ସେମାନେ ତୁରନ୍ତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏଫଆଇଏଚ୍‌-ସିଓଏ ବୈଠକରେ ଏଫ୍‌ଆଇଏଚ୍ କାର୍ଯ୍ୟକାରୀ ସଭାପତି ସେଫ୍‌ ଅହମ୍ମଦ, ସିଇଓ ଥିଏରି ୱେଲ୍‌ ଏବଂ ସିଓଏ ସଦସ୍ୟ ବିଚାରପତି ଏନିଲ ଡି ଡାଭ୍‌, ଏସ୍‌ ୱାଇ ଚନ୍ଦ୍ରଚୂଡ଼ ଓ ଜାଫର ଇକବାଲ୍ ସାମିଲ ଥିଲେ।

ସମ୍ବନ୍ଧିତ ଖବର