ଲର୍ଡସ : ଐତିହାସିକ ପଡିଆରେ ଐତିହାସିକ ବିଜୟ ସହିତ ଝୁଲଣ ଗୋସ୍ବାମୀଙ୍କୁ ୩-୦ ଶୃଙ୍ଖଳା ବିଜୟ ସମର୍ପଣ କରିଛି ଭାରତୀୟ ମହିଳା କ୍ରିକେଟ୍ ଦଳ। ଶେଷ ଶୃଙ୍ଖଳା ଓ ଶେଷ ମ୍ୟାଚ୍ରେ ସାଥି ଖେଳାଳିମାନେ ବି ନିରାଶ କରିନଥିଲେ। ଶନିବାର ଅନ୍ତିମ ଦିନିକିଆରେ ଇଂଲଣ୍ଡକୁ ଭାରତ ୧୬ ରନ୍ରେ ପରାସ୍ତ କରିବା ସହ ପ୍ରଥମ ଥର ପାଇଁ ୩-୦ରେ ଶୃଙ୍ଖଳା ବିଜୟ ପାଇଥିଲା। ଏହା ପରେ ହର୍ମନପ୍ରୀତ୍ କୌରଙ୍କ ଦଳ ଝୁଲଣଙ୍କୁ କାନ୍ଧରେ ବସାଇ ଲର୍ଡସ ପଡିଆ ବୁଲାଇ ଯଥାର୍ଥ ବିଦାୟୀ ଦେଇଥିଲେ।
ସ୍ମୃତି ମନ୍ଧାନା (୭୯ ବଲ୍ରୁ ୫୦ ରନ୍) ଏବଂ ଦୀପ୍ତି ଶର୍ମା (୧୦୬ ବଲ୍ରୁ ୬୮* ରନ୍)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ୪୫.୪ ଓଭରରେ ୧୬୯ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଥିଲା। ଏ ଦୁହିଁଙ୍କ ବ୍ୟତୀତ କେବଳ ପୂଜା ବସ୍ତ୍ରକାର ଦୁଇ ଅଙ୍କ (୨୨ ରନ୍) ସ୍କୋର୍ କରିଥିଲେ। ଇଂଲଣ୍ଡ ପକ୍ଷରୁ କେଟ୍ କ୍ରସ୍ (୪/୨୬), ଫ୍ରେୟା କେମ୍ପ୍ (୨/୨୪), ସୋଫି ଏସେଲଷ୍ଟୋନ୍ (୨/୨୭), ଚାର୍ଲି ଡିନ୍ (୧/୪୩) ୱିକେଟ୍ ବାଣ୍ଟି ନେଇଥିଲେ। ଜବାବରେ ଭାରତୀୟ ବୋଲରମାନେ ମଧ୍ୟ ଇଂଲଣ୍ଡକୁ ବାଟ ଛାଡିନଥିଲେ। ଏମା ଲାମ୍ବ (୨୧), ଆମି ଜୋନ୍ସ (୨୮) ଏବଂ ଶେଷକୁ ଚାର୍ଲି ଡିନ୍ (୪୭ ରନ୍) ବେଶ୍ ଲଢ଼ିଥିଲେ। ଶେଷ ୱିକେଟ୍ ପାଇଁ ଚାର୍ଲି ଡିନ୍ ଏବଂ ଫ୍ରେୟା ଡାଭିସ୍ (୧୦*) ୩୫ ରନ୍ ଯୋଡ଼ିଥିଲେ ମଧ୍ୟ ୧୬ ରନ୍ ଦୂରରେ ରହିଯାଇଥିଲେ। ଚାର୍ଲିଙ୍କୁ ମଙ୍କଡିଂ ରନ୍ ଆଉଟ୍ କରି କରି ଦୀପ୍ତି ଶର୍ମା ଏହି ଐତିହାସିକ ବିଜୟର ମୁଣ୍ଡି ମାରିଥିଲେ। ଏହା ପରେ ଭାରତୀୟ ଖେଳାଳି ଝୁଲଣଙ୍କୁ ନେଇ ବିଜୟ ଉତ୍ସବରେ ମାତିଯାଇଥିଲେ।
ନିଜ ଜାଜୁଲ୍ୟମାନ ଖେଳ ଜୀବନର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍ରେ ଝୁଲଣ ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ ମଧ୍ୟ ବୋଲିଂ ଛାପ (୧୦-୩-୩୦-୨) ଛାଡ଼ିଥିଲେ। ରେଣୁକା ସିଂହ (୪/୨୯), ରାଜେଶ୍ବରୀ ଗାଏକ୍ବାଡ଼ (୨/୩୮), ଦୀପ୍ତି ଶର୍ମା (୧/୨୪) ୱିକେଟ୍ ବାଣ୍ଟି ନେଇଥିଲେ। ପ୍ରଥମ ଥର ପାଇଁ ଭାରତ ୩-୦ରେ ଇଂଲଣ୍ଡକୁ ହରାଇବାର ଅପୂର୍ବ ସଫଳତା ମଧ୍ୟ ପାଇଥିଲା। ରେଣୁକା ସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଓ ହର୍ମନପ୍ରୀତ୍ କୌର ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।