ଶ୍ରୀଶଙ୍କରଙ୍କୁ ଐତିହାସିକ ରୌପ୍ୟ

ବର୍ମିଂହ‌ାମ : ଲଙ୍ଗ ଜମ୍ପର୍‌ ମୁରଲୀ ଶ୍ରୀଶଙ୍କର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଐତିହାସିକ ରୌପ୍ୟ ପଦକ ଜିତିଛନ୍ତି। ଗୁରୁବାର ଲମ୍ବ ଡିଆଁରେ ଜାତୀୟ କୀର୍ତ୍ତିମାନଧାରୀ ଶ୍ରୀଶଙ୍କର ୮.୦୮ ମିଟର ଲମ୍ଫ ମାରି ଦ୍ବିତୀୟ ସ୍ଥାନରେ ରହି ଏହି ପଦକ ହାସଲ କରି ନେଇଛନ୍ତି। ସେ ପଞ୍ଚମ ପ୍ରୟାସରେ ଏହି ମାର୍କ ଛୁଇଁଥିଲେ। ସ୍ବର୍ଣ୍ଣ ଜିତିଥିବା ବାହାମାସର ନାଇରିନ ଲାକ୍ବାନ (୮.୦୮ମିଟର୍‌) ସମାନ ମାର୍କ ଛୁଇଁଥିଲେ ମଧ୍ୟ ଦ୍ବିତୀୟ ଶ୍ରେଷ୍ଠ ଡିଆଁରେ ଶ୍ରୀଶଙ୍କର ପଛରେ ପଡ଼ି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ।

ଦକ୍ଷିଣ ଆଫ୍ରିକାର ଜୁଭାନ ଭାନ୍‌ ଭୁରେନ (୮.୦୬) କାଂସ୍ୟ ଜିତିଥିଲେ। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ମହମ୍ମଦ ଅନିସ ୟାହିୟା (୭.୯୭ ମିଟର) ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ୨୩ ବର୍ଷୀୟ କେରଳୀ ଯୁବକ ଶ୍ରୀଶଙ୍କର ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲମ୍ବ ଡିଆଁରେ ରୌପ୍ୟ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି। ୪୪ ବର୍ଷ ପରେ ଜଣେ ଭାରତୀୟ ପୁରୁଷ ଲଙ୍ଗ ଜମ୍ପର୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତ ପାଇଁ ପଦକ ଜିତିଛନ୍ତି। ୧୯୭୮ରେ ସୁରେଶ ବାବୁ କାଂସ୍ୟ ପଦକ ଜିତିବା ପରେ ଏହି ସଫଳତା ମିଳିଛି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ଭାରତର ଏହା ଦ୍ବିତୀୟ ପଦକ। ବୁଧବାର ଉଚ୍ଚ ଡିଆଁରେ ତେଜସ୍ବିନ ଶଙ୍କର କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର