କୋହଲିଙ୍କୁ ଦଶମ ଶ୍ରେଣୀ ଛାତ୍ରଙ୍କ ଚିଠି

ନୂଆଦିଲ୍ଲୀ ନିଜ ସ୍କୁଲ୍ ଦଳର ଅଧିନାୟକ ନିଯୁକ୍ତ ହେବା ପରେ ଭାରତୀୟ କ୍ରିକେଟ୍ ଦଳର ସଫଳ ଅଧିନାୟକ ବିରାଟ କୋହଲିଙ୍କୁ ଚିଠି ଲେଖି ଜଣେ ଦଶମ ଶ୍ରେଣୀ ଛାତ୍ର ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଏହି ୧୮ ବର୍ଷୀୟ ଛାତ୍ର ଜଣକ ସେହି ସ୍କୁଲ୍‌ରେ ପଢ଼ୁଛନ୍ତି, ଯେଉଁ ସ୍କୁଲ୍‌ର ଛାତ୍ର ଏକଦା କୋହଲି ଥିଲେ। କୋହଲି ମଧ୍ୟ ଛାତ୍ର ଜୀବନରେ ନିଜ ସ୍କୁଲ୍‌ର ୧୫ ବର୍ଷରୁ କମ୍ ଦଳର ଅଧିନାୟକ ଥିଲେ। ଏଣୁ କୋହଲିଙ୍କ ଜୀବନ ସହ ନିଜ ଜୀବନର ଥିବା ସାମଞ୍ଜସ୍ୟକୁ ବର୍ଣ୍ଣନା କରି ସଂପୃକ୍ତ ପିଲାଜଣକ ତାଙ୍କ ପାଖକୁ ଲେଖିଥିବା‌ ଚିଠି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।

ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲା ବେଳୁ ହିଁ କୋହଲି ‌ଯେ ଦିନେ ନା ଦିନେ ଜଣେ ମହାନ ଖେଳାଳି ହେବେ, ତାର ପ୍ରମାଣ କିଭଳି ମିଳିଯାଇଥିଲା ସେ କଥାକୁ ଛାତ୍ର ଜଣକ ପୂର୍ବ ପ୍ରସଙ୍ଗ ଦେଇ ଅତି ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି। ସେହିଭଳି ସେ ମଧ୍ୟ ଦିନେ ଭାରତ ପାଇଁ ଖେଳିବାର ସ୍ବପ୍ନ ଦେଖୁଛନ୍ତି ଏବଂ ତାଙ୍କୁ ଅନୁସରଣ କରୁଛନ୍ତି, ‌ସେକଥା ବି ଅତି ସରଳ ଓ ସୁଗମ ଭାବେ ଉଲ୍ଲେଖ କରିଛନ୍ତି। ଏଥିଲାଗି ତାଙ୍କ ପାଖକୁ ମଧ୍ୟ ପ୍ରଶଂସାର ସୁଅ ଛୁଟିଛି। ସୂଚନାଯୋଗ୍ୟ ଯେ ୩୨ ବର୍ଷୀୟ କୋହଲିଙ୍କୁ ସଂପ୍ରତି ବିଶ୍ବ କ୍ରିକେଟ୍‌ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ର ମାନ୍ୟତା ମିଳେ। ଆଇପିଏଲ୍‌ରେ ଏବେ ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ନେତୃତ୍ବ ନେଉଛନ୍ତି। ତାଙ୍କ ଦଳ ଲଗାତାର ତିନିଟି ମ୍ୟାଚ୍ ଜିତି ହ୍ୟାଟ୍ରିକ୍ କରିଛି। ପରବର୍ତ୍ତୀ ମ୍ୟାଚ୍‌ରେ କୋହଲିଙ୍କ ଦଳ ଗୁରୁବାର ଆଇପିଏଲ୍‌ର ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ।

ସମ୍ବନ୍ଧିତ ଖବର