କୋପା ଆମେରିକା ଫାଇନାଲ୍‌ରେ ମେସିଙ୍କ ପାଇଁ ମାଇଲଖୁଣ୍ଟ ସୁଯୋଗ

୨ କୀର୍ତ୍ତିମାନ ଅପେକ୍ଷାରେ, ୩ କୀର୍ତ୍ତିମାନ ଭାଙ୍ଗି ସାରିଲେଣି

ରିଓ ଡି ଜାନେଇରୋ: ଆୟୋଜକ ବ୍ରାଜିଲ ଓ ଆର୍ଜେଣ୍ଟିନା ମଧ୍ୟରେ ଆସନ୍ତା ରବିବାର ମାରାକାନା ଷ୍ଟାଡିୟମ୍‌ରେ ଖେଳାଯିବ ଚଳିତ ବର୍ଷର କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ ମୁକାବିଲା। ଏହି ଫାଇନାଲ୍‌ ଅବସରରେ ଆର୍ଜେଣ୍ଟିନାର ତାରକା ଖେଳାଳି ତଥା ଏଫ୍‌ସି ବାର୍ସିଲୋନାର ପୂର୍ବତନ ଅଧିନାୟକ ଲିଓନେଲ୍‌ ମେସିଙ୍କ ପାଇଁ ଏକାଧିକ ମ‌ାଇଲଖୁଣ୍ଟ ପ୍ରତିଷ୍ଠା କରିବାର ସୁଯୋଗ ରହିଛି। ଆନ୍ତର୍ଜାତିକ ଫୁଟ୍‌ବଲ୍‌ରେ ମେସି ଏବେ ଆର୍ଜେଣ୍ଟିନା ପକ୍ଷରୁ ସର୍ବାଧିକ ସଂଖ୍ୟକ ମ୍ୟାଚ୍‌ ଖେଳିବାର କୀର୍ତ୍ତିମାନ ନିଜ ନାମରେ କରିସାରିଛନ୍ତି। କଲମ୍ବିଆ ବିପକ୍ଷ ସେମିଫାଇନାଲ୍‌କୁ ମିଶାଇ ଏପର୍ଯ୍ୟନ୍ତ ମେସି ୧୫୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ପ୍ରତିନିଧିତ୍ବ କରିସାରିଲେଣି। ଚଳିତ କୋପା ଆମେରିକା ପ୍ରତିଯୋଗିତାରେ ସେ ବ୍ୟକ୍ତିଗତ ଭା‌ବେ ୪ ଗୋଲ୍‌ କରିଥିଲା ବେଳେ ୫ ଗୋଲ୍‌ରେ ତାଙ୍କର ସହାୟତା ରଖିଛନ୍ତି। ଫଳରେ ଆର୍ଜେଣ୍ଟିନା ସ୍କୋର୍‌ କରିଥିବା ମୋଟ ୧୧ ଗୋଲ୍‌ ମଧ୍ୟରୁ ୯ଟିରେ ମେସିଙ୍କର ସିଧାସଳଖ ସଂପୃକ୍ତି ରହିଛି। ପୁଣି ତାଙ୍କ ୪ ଗୋଲ୍‌ରୁ ୨ଟି ଫ୍ରିକିକ୍‌ ଜରିଆରେ ପାଇଛନ୍ତି।

୩ କୀର୍ତ୍ତିମାନ ଭାଙ୍ଗି ସାରିଲେଣି
ଏହି ସୁପରଷ୍ଟାର୍‌ ଚଳିତ ପ୍ରତିଯୋଗିତାରେ କେତେକ କୀର୍ତ୍ତିମାନ ରଚି ସାରିଛନ୍ତି। ଏହି ପ୍ରତିଯୋଗିତା ପୂର୍ବରୁ ମେସିଙ୍କ ନାମରେ ୧୪୪ ଆନ୍ତର୍ଜାତିକ ମ୍ୟାଚ୍‌ ରହିଥିଲା। ସେମିଫାଇନାଲ୍‌ ପର୍ଯ୍ୟନ୍ତ ୬ ମ୍ୟାଚ୍‌ ଖେଳିସାରିଥିବାରୁ ଆର୍ଜେଣ୍ଟିନା ପାଇଁ ସର୍ବାଧିକ ଆନ୍ତର୍ଜାତିକ ମ୍ୟାଚ୍‌ (୧୫୦*) ଖେଳିବାରେ ସର୍ବକାଳୀନ ରେକର୍ଡ କରିସାରିଲେଣି। ଏକ୍ଷେତ୍ରରେ ସେ ଦଳୀୟ ସାଥୀ ଲା ଆବିସେଲେ‌ଷ୍ଟେ (୧୪୭)ଙ୍କୁ ପଛରେ ପକାଇ ଦେଇଛନ୍ତି।

କୋପା ଆମେରିକା ପ୍ରତିଯୋଗିତାର ସର୍ବାଧିକ ୬ ସଂସ୍କରଣ ଖେଳିବାରେ ସେ ଆଉ ଏକ କୀର୍ତ୍ତିମାନ ସ୍ବରୂପ ପ୍ରଥମ ଆର୍ଜେଣ୍ଟିନା ଆନ୍ତର୍ଜାତିକ ଖେଳାଳି ହୋଇସାରିଛନ୍ତି। ୨୦୦୭ରୁ ୨୦୨୧ ମଧ୍ୟରେ ସେ କୋପା ଆମେରିକାରେ ପ୍ରତିନିଧିତ୍ବ କରିସାରିଲେଣି। ଏକ୍ଷେତ୍ରରେ ଏହି ବାର୍ସିଲୋନା ଅଧିନାୟକ ଜାଭିଅର୍ ମାଶ୍ଚେରାନୋ (୫ କୋପା ଆମେରିକା)ଙ୍କ କୀର୍ତ୍ତିମାନକୁ ଟପି ଯାଇଛନ୍ତି। ଅନ୍ୟପକ୍ଷରେ ଗୋଟିଏ ସଂସ୍କରଣରେ ସର୍ବାଧିକ ଗୋଲ୍‌ ସହାୟତାରେ ମଧ୍ୟ ମେସି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଚଳିତ ପ୍ରତିଯୋଗିତାରେ ୬ ମ୍ୟାଚ୍‌ରେ ୫ ଗୋଲ୍‌ରେ ସହାୟତା କରି ମେସି କୋପା ଆମେରିକା କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି।

୨ କୀର୍ତ୍ତିମାନ ଅପେକ୍ଷାରେ
ଚଳିତ କୋପା ଆମେରିକା ଅବସରରେ ମେସି ୩ କୀର୍ତ୍ତିମାନ ଭାଙ୍ଗି ସାରିଥିଲା ବେଳେ ଫାଇନାଲ୍‌ ମ୍ୟାଚ୍‌ ଅବସରରେ ଦୁଇଟି କୀର୍ତ୍ତିମାନ ଅପେକ୍ଷାରେ ରହିଛନ୍ତି। ସେଥିରୁ ପ୍ରଥମଟି ହେଲା କୋପା ଆମେରିକାରେ ସର୍ବାଧିକ ମ୍ୟାଚ୍‌ ଖେଳିବାରେ ଯୁଗ୍ମ ଖେଳାଳି ହେବା। ବ୍ରାଜିଲ ବିପକ୍ଷ ଫାଇନାଲ୍‌କୁ ଓହ୍ଲାଇବା ପରେ ମେସି ଏହି ପ୍ରତିଯୋଗିତାରେ ସର୍ବାଧିକ ୩୪ ମ୍ୟାଚ୍‌ ଖେଳିଥିବା ଚିଲିର ସର୍ଗିଓ ଲିଭିଙ୍ଗ୍‌‌‌‌ଷ୍ଟୋନ୍‌ଙ୍କ କୀର୍ତ୍ତିମାନର ସମକକ୍ଷ ହେବେ। ଚଳିତ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ମେସିଙ୍କ ମ୍ୟାଚ୍‌ ସଂଖ୍ୟା ୨୭ ଥିଲା। ସେମିଫାଇନାଲ୍‌ ‌ଖେଳିବା ପରେ ସେ ତାଙ୍କ ସଂଖ୍ୟାକୁ ୩୩କୁ ବୃଦ୍ଧି କରିସାରିଛନ୍ତି।

ଦ୍ବିତୀୟ କୀର୍ତ୍ତିମାନର ସୁଯୋଗ ହେଲା କୋପା ଆମେରିକାରେ ସର୍ବାଧିକ ଗୋଲ୍‌। ଚଳିତ ସଂସ୍କରଣରେ ୬ ମ୍ୟାଚ୍‌ରେ ୪ ଗୋଲ୍‌ କରିଥିବା ମେସି ୬ ସଂସ୍କରଣରେ ମୋଟ ୧୩ ଗୋଲ୍‌ କରିଛନ୍ତି। ଫାଇନାଲ୍‌ରେ ୪ ଗୋଲ୍‌ କରିପାରିଲେ ସେ ବ୍ରାଜିଲର ଜିଜିହ୍ନୋ ଏବଂ ଆର୍ଜେଣ୍ଟିନା‌ର ନର୍ବୋର୍ଟୋ ମେଣ୍ଡେଜ୍‌ (୧୭ ଲେଖାଏଁ)ଙ୍କ ସମକକ୍ଷ ହୋଇପାରିବେ।

ସମ୍ବନ୍ଧିତ ଖବର