ଅହମଦାବାଦ: ଚଳିତ ଆଇପିଏଲ୍ରେ ବୁଧବାର ଗୁଜରାଟ ଟାଇଟନ୍ସ ଶୋଚନୀୟ ପରାଜୟ ବରଣ କରିଛି। ମାତ୍ର ୮୯ ରନ୍ରେ ଅଲଆଉଟ୍ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ୱିକେଟ୍ରେ ପରାସ୍ତ ହୋଇଛି। ୯୦ ରନ୍ର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ମାତ୍ର ୮.୫ ଓଭରରେ ୪ ୱିକେଟ୍ ହରାଇ ହାସଲ କରିବା ସହ ନିଜ ରନ୍ ରେଟ୍କୁ ବଢ଼ାଇଛି। ସେହିଭଳି ସପ୍ତମ ମ୍ୟାଚ୍ରୁ ଦିଲ୍ଲୀ ତୃତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ଗୁଜରାଟ ସେହି ୭ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଛି। ପୂର୍ବରୁ ଗୁଜରାଟ ଟାଇଟନ୍ସ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିଜର ସର୍ବନିମ୍ନ ଦଳଗତ ସ୍କୋର୍ କରିଥିଲା। ଗତବର୍ଷ କରିଥିବା ୧୨୫ରନ୍ର ଛୋଟିଆ ସ୍କୋର୍ଠୁ ଆହୁରି ଢେର ତଳକୁ ଖସି ବୁଧବାର ମାତ୍ର ୮୯ ରନ୍ରେ ଅଲଆଉଟ୍ ହୋଇଯାଇଛି। ସଂଯୋଗବଶତଃ ଉଭୟ ଥର ଦିଲ୍ଲୀ କ୍ୟାପିଟାଲ୍ସ ହିଁ ଏହି ଦଳକୁ ଏତେ କମ୍ ରନ୍ରେ ରୋକିଛି। ସବୁଠୁ ଦୁଃଖର କଥା ହେଲା ଘରୋଇ ପରିବେଶରେ ହିଁ ଦୁଇ ଥର ଯାକ ଗୁଜରାଟ ଏଭଳି ଶୋଚନୀୟ ବ୍ୟାଟିଂ କରି ସମାଲୋଚିତ ହୋଇଛି। ଚଳିତ ଋତୁରେ ମଧ୍ୟ କୌଣସି ଦଳ ପ୍ରଥମ ଥର ଲାଗି ୧୦୦ରୁ କମ୍ ରନ୍ କରିଛି।
ଦିଲ୍ଲୀ କ୍ୟାପିଟାଲ୍ସ ଆଜି ଟସ୍ ଜିତି ଗୁଜରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ଋଷଭ ପନ୍ତଙ୍କ ଏହି ନିଷ୍ପତ୍ତି ଯଥାର୍ଥ ବୋଲି ପ୍ରମାଣିତ କରି ଦିଲ୍ଲୀ ବୋଲର୍ମାନେ ପାୱାର ପ୍ଲେ ଭିତରେ ୪ଟି ୱିକେଟ୍ ନେଇ ଗୁଜରାଟର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଏହା ପରେ ମଧ୍ୟ ଗୁଜରାଟ ବ୍ୟାଟର୍ଙ୍କୁ କ୍ରିଜ୍ରେ ଜମିବାର କୌଣସି ସୁଯୋଗ ଦେଇ ନଥିଲେ। ଲଗାତାର ୱିକେଟ୍ ନେଇ ୧୫ ବଲ୍ ପୂର୍ବରୁ ଗୁଜରାଟ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଅଧିନାୟକ ଶୁବମନ ଗିଲ୍ଙ୍କ ସମେତ ୭ଜଣ ବ୍ୟାଟର୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ସ୍ପିନର ରସିଦ ଖାନ୍ଙ୍କ ୩୧ ରନ୍ ଦଳର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଥିଲା। ଅନ୍ୟପକ୍ଷରେ ଦିଲ୍ଲୀର ସବୁ ବୋଲର ମିତବ୍ୟୟୀ ବୋଲିଂ କରିଥିଲେ। ତେବେ ମୁକେଶ କୁମାର ଗୋଟିଏ ଓଭରରେ ଦୁଇଟି ୱିକେଟ୍ ସହ ମାତ୍ର ୧୪ ରନ୍ରେ ୩ ୱିକେଟ୍ କରାୟତ୍ତ କରି ଗୁଜରାଟର ସବୁଠାରୁ ଅଧିକ କ୍ଷତି ଘଟାଇଥିଲେ। ପୁରୁଖା ବୋଲର ଈଶାନ୍ତ ଶର୍ମା ଓ ଟ୍ରିଷ୍ଟନ ଷ୍ଟବ୍ସ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର୍: ଗୁଜରାଟ ଟାଇଟନ୍ସ ୧୭.୩ ଓଭରରେ ୮୯ (ରସିଦ ଖାନ୍ ୩୧, ସାଇ ସୁଦର୍ଶନ ୧୨, ମୁକେଶ କୁମାର ୩/୧୪, ଈଶାନ୍ତ ଶର୍ମା ୨/୮, ଟ୍ରିଷ୍ଟନ୍ ଷ୍ଟବ୍ସ ୨/୧୧)। ଦିଲ୍ଲୀ କ୍ୟାପିଟାଲ୍ସ ୮.୫ ଓଭରରେ ୯୨/୪ (ଜେକ ଫ୍ରେଜର ମ୍ୟାକ୍ଗର୍କ-୨୦, ସାଇ ହୋପ-୧୯, ଋଷଭ ପନ୍ତ-୧୬*, ସନ୍ଦୀପ ୱାରିୟର-୨/୪୦, ରସିଦ ଖାନ-୧/୧୨, ସ୍ପେନସର ଜନସନ-୧/୨୨)।