ଅହମଦାବାଦ: ଆଇପିଏଲ୍ ଫାଇନାଲ୍‌ରେ ପଞ୍ଜାବ କିଙ୍ଗ୍ସର ହୃଦୟ ଭାଙ୍ଗିଥିଲା ବେଳେ ଆର୍‌ସିବି ଇତିହାସ ରଚିଛି। ଆର୍‌ସିବି ଟ୍ରଫି ତୋଳି ଧରିଥିବା ବେଳେ ପଞ୍ଜାବ କିଙ୍ଗ୍ସର ସ୍ବପ୍ନ ଭାଙ୍ଗି ଚୂର୍‌ମାର୍‌ ହୋଇଛି। ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ମଙ୍ଗଳବାର ମୋଟେରାର ମନୁଆ ପିଚ୍‌ରେ ପଞ୍ଜାବ ଅଧିନାୟକ ଶ୍ରେୟସ୍ ଆୟର ଟସ୍ ଜିତି ଆରମ୍ଭରୁ ଦୃଢ଼ ଆତ୍ମବିଶ୍ବାସ ପାଇଥିଲେ। ବେଙ୍ଗାଲରୁ ମଧ୍ୟ ସମ୍ମାନଜନକ ଢଙ୍ଗରେ ତା’ର ପାଳି ଆରମ୍ଭ କରିଥିଲା। ପାୱାର ପ୍ଲେ’ରେ ମାତ୍ର ଗୋଟିଏ ୱିକେଟ୍ ହରାଇ ୫୫ ରନ୍ ଯୋଡ଼ି ନେଇଥିଲା। ୧୧ ଓଭର ସୁଦ୍ଧା ୩ ୱିକେଟ୍‌ରେ ୯୭ ରନ୍ କରି ଏକପ୍ରକାର ସୁବିଧାଜନକ ସ୍ଥିତିରେ ରହିଥିଲା। ତେବେ ଶେଷ ଓଭରଗୁଡ଼ିକରେ ଅତ୍ୟନ୍ତ ଦୟନୀୟ ବ୍ୟାଟିଂ କରି ମାତ୍ର ୪୫ ରନ୍‌ରେ ୫ ୱିକେଟ୍ ହରାଇ ଦିଶା ହରାଇଥିଲା। ପଞ୍ଜାବର ଦୁଇ ଦ୍ରୁତ ବୋଲର କାଇଲ୍ ଜାମିସନ୍ ଓ ଅର୍ଶଦୀପ ସିଂହ ଯଥାକ୍ରମେ ଆରମ୍ଭ ଓ ଶେଷରେ ଆର୍‌ସିବି ପାଳିକୁ ତଳମୁହାଁ କରିବାରେ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ଜାମିସନ୍ ବିପଜ୍ଜନକ ଫିଲ୍ ସଲ୍‌ଟ, ରଜତ ପଟିଦାର ଓ ଲିଆମ ଲିଭିଂଷ୍ଟୋନ୍‌ଙ୍କୁ ଶିକାର କରି ଆର୍‌ସିବିର ରନ୍ ହାରରେ ଆବଶ୍ୟକ ଅଙ୍କୁଶ ଲଗାଇଥିଲେ।

Advertisment

sasas

ୱାଇଡ୍‌ରୁ ନିଜ ସ୍ପେଲ୍ ଆରମ୍ଭ କରିଥିବା ଅର୍ଶଦୀପ ଶେଷ ଓଭରରେ ତିନିଟି ୱିକେଟ୍ ନେଇ ଆର୍‌ସିବିକୁ ୨୦୦ ରନ୍ ଛୁଇଁବାର ସୁଯୋଗ ଦେଇ ନଥିଲେ। ତେବେ ମନ୍ଥର ଆରମ୍ଭକୁ ଦ୍ରୁତ ପାଳିରେ ଶେଷ କରିବା ଲକ୍ଷ୍ୟରେ ଥିବା ବିରାଟ କୋହଲିଙ୍କୁ ଚତୁରତାର ସହ ଆଉଟ୍ କରି ଅଜମାତୁଲ୍ଲା ଓମାରଜାଇ ଆର୍‌ସିବିକୁ ସବୁଠୁ ବଡ଼ ଝଟ୍‌କା ଦେଇଥିଲେ। କୋହଲି ଅର୍ଦ୍ଧଶତକର ୭ ରନ୍ ପୂର୍ବରୁ ଆଉଟ୍ ହୋଇ ନିରାଶାର ସହ ପ୍ୟାଭିଲିୟନ ଫେରିଥିଲେ। ତେବେ ପାଳିର ଶେଷ ଭାଗରେ ସମ୍ମୁଖୀନ ହୋଇଥିବା ଅପ୍ରତ୍ୟାଶିତ ବିପର୍ଯ୍ୟୟ ପାଇଁ ସେ କରିଥିବା ୪୩ ରନ୍ ହିଁ ଆର୍‌ସିବି ପାଳିର ସର୍ବୋଚ୍ଚ ସ୍କୋର୍ ହୋଇଥିଲା। ପୂର୍ବରୁ ଅହମଦାବାଦ ଆକାଶ ଦିନସାରା ମେଘାଚ୍ଛନ୍ନ ରହିବା ଏବଂ ମ୍ୟାଚ୍‌ ଆରମ୍ଭ ହେବାର ଘଣ୍ଟାକ ପୂର୍ବରୁ ବର୍ଷା ହେବା ପ୍ରଶଂସକଙ୍କୁ ସଂଶୟରେ ପକାଇଥିଲା। ତେବେ ଠିକଣା ସମୟରେ ବର୍ଷା ଛାଡ଼ିଯିବା ସହ ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ଭାରତୀୟ ସେନାକୁ ସଲାମ କରି ବଲ୍ ଗଡ଼ିବା ସହ ଷ୍ଟାଡିୟମ୍‌ରେ ଥିବା ଏକ ଲକ୍ଷରୁ ଅଧିକ ଦର୍ଶକଙ୍କ ଉତ୍ସାହ ଦେଖିଲା ଭଳି ଥିଲା। 

ସଂକ୍ଷିପ୍ତ ସ୍କୋର୍: ଆର୍‌ସିବି ୨୦ ଓଭରରେ ୧୯୦/୯ (ବିରାଟ କୋହଲି ୪୩, ରଜତ ପଟିଦାର ୨୬, ଲିଆମ ଲିଭିଂଷ୍ଟୋନ୍ ୨୫, ଜିତେଶ ଶର୍ମା ୨୪, କାଇଲ ଜାମିସନ୍ ୩/୪୮, ଅର୍ଶଦୀପ ସିଂହ ୩/୪୦, ୟୁଝବେନ୍ଦ୍ର ଚହଲ ୧/୩୭, ଅଜମତୁଲ୍ଲା ଓମରଜାଇ ୧/୩୫)।  ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୧୮୪/୭ (ଜୋସ ଇଙ୍ଗଲିସ୍‌ ୩୯, ଶଶାଙ୍କ ସିଂହ ୬୧*, ପ୍ରଭସିମରନ ସିଂହ ୨୬, କ୍ରୁନାଲ ପାଣ୍ଡ୍ୟା ୨/୧୭, ଭୁବନେଶ୍ବର କୁମାର ୨/୩୮, ୟଶ ଦୟାଲ ୧/୧୮)।

ସେନାକୁ ସଲାମ
ଆର୍‌ସିବି-ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମଙ୍ଗଳବାର ଆଇପିଏଲ୍‌ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ସେନାବାହାନୀକୁ ସଙ୍ଗୀତ ଭିତ୍ତିକ ସମ୍ମାନାଞ୍ଜଳି ପ୍ରଦାନ କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତୀୟ ସେନା ଦ୍ବାରା ପାକିସ୍ତାନକୁ ‘ଅପରେସନ୍‌ ସିନ୍ଦୁର’ ମାଧ୍ୟମରେ କଡ଼ା ଜବାବ ଦେଇଥିଲା। ଏଥିପାଇଁ ଭାରତୀୟ ସେନାକୁ ସ୍ଥାନୀୟ ମୋଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବଲିଉଡ୍‌ ସଙ୍ଗୀତଜ୍ଞ ଶଙ୍କର ମହାଦେବନ ଏବଂ ତାଙ୍କ ପୁଅଙ୍କ ଦଳ ନୃତ୍ୟ ଓ ବାଦ୍ୟରେ ସମ୍ମାନ ଜଣାଇଛନ୍ତି। ଶଙ୍କରଙ୍କ ଦୁଇ ପୁଅ ସିଦ୍ଧାର୍ଥ ଓ ଶିବମ୍‌ଙ୍କ ସହ ଏହି କାର୍ଯ୍ୟକ୍ରମକୁ ଆହୁରି ମନ୍ତ୍ରମୁଗ୍‌ଧକର କରିବା ସହ ଦର୍ଶକଙ୍କୁ ଝୁମାଇଥିଲେ। ଏଥିସହ ଷ୍ଟାଡିୟମ୍‌ରେ ଲାଗିଥିବା ଡିଜିଟାଲ୍‌ ସ୍କ୍ରିନ୍‌ ବୋର୍ଡରେ ‘ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ମାନ’, ‘ସଶସ୍ତ୍ର ବାହିନୀକୁ ସାଲ୍ୟୁଟ୍‌’, ‘ଧନ୍ୟବାଦ ସଶସ୍ତ୍ର ବାହିନୀ’ ଲେଖା ଦେଖିବାକୁ ମିଳିଥିଲା। ଯୁଦ୍ଧ ଉପରେ ହୋଇଥିବା ‘ଲକ୍ଷ୍ୟ’ ଚଳଚ୍ଚିତ୍ରର ଗୀତ ‘କାନ୍ଧୋସେ ମିଲ୍‌ତେ ହୈ କାନ୍ଧେ’ ଓ ‘ଲକ୍ଷ୍ୟ’, ‘ଏ ୱତନ ମେରେ ଆବଦ ରହେ ତୁ’, ଏଆର୍‌ ରହମାନଙ୍କ ‘ବନ୍ଦେ ମାତରମ୍‌’ ସହ ଶେଷରେ ‘ସବ୍‌ସେ ଆଗେ ହୋଙ୍ଗେ  ହିନ୍ଦୁସ୍ତାନୀ’ରେ ମୋଟେରା ଷ୍ଟାଡିୟମ୍‌ ଭର୍ତ୍ତଥିବା ଦର୍ଶକ ପୂରା ଏକ ଘଣ୍ଟା ବାନ୍ଧି ହୋଇରହିଥିଲେ।