ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ରବିବାର ବିଶ୍ବ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍  (କାଂସ୍ୟ) ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହେବ। ଏହି ଦିନିକିଆ ପ୍ରତିଯୋଗିତାର ଆୟୋଜନ ସହ ଓଡ଼ିଶା କ୍ରୀଡ଼ା ଇତିହାସରେ ଆ‌ଉ ଏକ ନୂଆ ଅଧ୍ୟାୟ ଯୋଡ଼ିହେବ। କଳିଙ୍ଗ ଷ୍ଟାଡିୟମ୍‌ ଏହି ବହୁରାଷ୍ଟ୍ରୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାରେ ଭାରତର ପ୍ରଥମ ବହୁମୁଖୀ ଷ୍ଟାଡିୟମ୍ ହେବାର ଗୌରବ ଅର୍ଜନ କରିବ। ୮ବର୍ଷ ତଳେ ମାତ୍ର ୯୦ ଦିନର ସ୍ବଳ୍ପ ସମୟରେ ପୂର୍ବ ଭାରତର ଏହି ପ୍ରତିଷ୍ଠିତ ଷ୍ଟାଡିୟମ୍ ଏସିଆନ୍ ଆଥଲେଟିକ୍ସ ଭଳି ବଡ଼ ଚାମ୍ପିଅନ୍‌ସିପ୍ ଆୟୋଜନ କରି ଅଜସ୍ର ପ୍ରଶଂସା ସାଉଣ୍ଟିଥିଲା। ଏଥର ଏସିଆ ମହାଦେଶରୁ ବାହାରି ବିଶ୍ବ ପ୍ରତିଯୋଗିତା ଆୟୋଜନ କରିବାର ପ୍ରତୀକ୍ଷିତ ସଫଳତାକୁ ନିଜ କ୍ରୀଡ଼ା ଇତିହାସରେ ସାମିଲ କରିବ। ଓଡ଼ିଶା ସରକାର ମଧ୍ୟ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍, ହକି ବିଶ୍ବକପ୍, ଏଫ୍‌ଆଇଏଚ୍ ପ୍ରୋ ହକି ଲିଗ୍,  ଇଣ୍ଡିଆନ୍ ଗ୍ରାଁ ପ୍ରି, ଜାତୀୟ ଅନ୍ତଃରାଜ୍ୟ ଆଥଲେଟିକ୍ସ ଭଳି ଆଉ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜକ ଓ ପ୍ରାୟୋଜକ ଭାବେ ନୂଆ ଇତିହାସ ରଚିବେ। 

Advertisment

ବିଶ୍ବ ଆଥଲେଟିକ୍ସ, ଭାରତୀୟ ଆଥଲେଟିକ୍ସ ମହାସଂଘ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ୧୭ ଦେଶର ପାଖାପାଖି ୧୬୦ ପ୍ରତି‌ଯୋଗୀ ଅଂଶଗ୍ରହଣ କରିବେ। ଭାରତୀୟ ଖେଳାଳିଙ୍କ ସଂଖ୍ୟା ପାଖାପାଖି ୧୦୦ ରହିବ। ଓଡ଼ିଶାର ୫ଜଣ ଖେଳାଳି ଶ୍ରାବଣୀ ନନ୍ଦ (ମହିଳା ୧୦୦ ମିଟର), ଅନିମେଷ କୁଜୁର (ପୁରୁଷ ୧୦୦ ଓ ୨୦୦ ମିଟର), କିଶୋର ଜେନା (ପୁରୁଷ ଜାଭଲିନ୍), ଲାଲୁ ପ୍ରସାଦ ଭୋଇ (ପୁରୁଷ ୧୦୦ ଓ ୨୦୦ ମିଟର) ଓ ପ୍ରଜ୍ଞା ପ୍ରଶାନ୍ତି ସାହୁ (ମହିଳା ବାଧାଦୌଡ଼)‌‌ଙ୍କ ନାଁ ପ୍ରାରମ୍ଭିକ ତାଲିକାରେ ଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ କିଶୋର ଆହତ ଥିବାରୁ ଖେଳିବେ ନାହିଁ। ସେହିଭଳି ଅବଶିଷ୍ଟ ୪ଜଣ ଖେଳାଳିଙ୍କ ମଧ୍ୟରୁ ଜଣେ ଖେଳାଳି ଆହତ ଥିବାରୁ ଶେଷ ମୁହୂର୍ତ୍ତରେ ଏହି ପ୍ରତିଯୋଗିତାରୁ ଓହରି ଯିବାର ଯଥେଷ୍ଟ ଆଶଙ୍କା ରହିଛି। ଏଣୁ କେବଳ ୩ଜଣ ସ୍ଥାନୀୟ ଖେଳାଳି ହିଁ ପ୍ରତିଦ୍ବନ୍ଦ୍ବିତା କରୁଥିବାର ଦେଖିବାକୁ ମିଳିବେ। ତେବେ ଏହି ପ୍ରତିଯୋଗିତାରୁ ଜାପାନର ଟୋକିଓଠାରେ ଆସନ୍ତାମାସରେ ଆୟୋଜିତ ହେବାକୁ ଥିବା ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ୍ ଲାଗି ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ଥିବାରୁ ସ୍ଥାନୀୟ ଖେଳାଳିଙ୍କ ପାଇଁ ଏହା ବହୁତ ବଡ଼ ସୁଯୋଗ ଭାବେ ଉଭା ହୋଇଛି।

ସକାଳେ ହିଟ୍, ସଂଧ୍ୟାରେ ଫାଇନାଲ୍‌
ଓଡ଼ିଶାକୁ ବିଶ୍ବ ଦୌଡ଼କୁଦ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ କରିବାର କ୍ଷମତା ରଖୁଥିବା ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ (କାଂସ୍ୟ) ପ୍ରତିଯୋଗିତା ରବିବାର ସକାଳେ ଆରମ୍ଭ ହେବ। ରବିବାର ସକାଳ ୭.୪୦ରେ ପୁରୁଷ ୪୦୦ ମିଟର ହିଟ୍‌ରୁ ପ୍ରତିଯୋଗିତାର ଶୁଭାରମ୍ଭ ହେବ। ପୂର୍ବାହ୍ନ ପର୍ଯ୍ୟାୟ ୮ଟା ୫୫ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ଅନ୍ୟ ଖେଳଗୁଡ଼ିକ ମଧ୍ୟରେ ମହିଳା ୪୦୦ ମିଟର, ପୁରୁଷ ୧୦୦ ମିଟର, ମହିଳା ୧୦୦ ମିଟର ଏବଂ ପୁରୁଷ ୨୦୦ ମିଟର ହିଟ୍ ଖେଳାଯିବ। ସଂଧ୍ୟା ଅଧିବେଶନ ଅପରାହ୍‌ଣ ୫ଟାରୁ ଆରମ୍ଭ ହୋଇ ୮ଟା ୨୦ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ସମସ୍ତ ୧୭ ଫାଇନାଲ୍ ଆୟୋଜିତ ହେବା ସହ ପୁରସ୍କାର ବିତରଣୀ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ। ଉଭୟ ଅଧିବେଶନ ଲାଗି ଦର୍ଶକମାନେ ମାଗଣାରେ କଳିଙ୍ଗ ଷ୍ଟାଡିୟମ୍ ଗ୍ୟାଲେରିରେ ବସି ଖେଳ ଦେଖିପାରିବେ। ଏହି ଅବସରରେ ଆୟୋଜକ ଭାରତ ସହ ଗ୍ରେଟ୍ ବ୍ରିଟେନ୍, ପର୍ତ୍ତୁଗାଲ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇରାକ, ଇରାନ, କୋରିଆ, ମାଲେସିଆ, ଫିଲିପାଇନ୍ସ, ସୋମାଲିଆ, ଶ୍ରୀଲଙ୍କା, ନେପାଳ, ଭୁଟାନ, ଆଲେଜେରିଆ ଓ ତୁର୍କିମେନିସ୍ତାନ ଭଳି ଦେଶର ଖେଳାଳିଙ୍କ ନିଜନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଉଥିବାର ସେମାନେ ଦେଖିବାକୁ ପାଇବେ। ପ୍ରତିଯୋଗିତାରେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ପାଖାପାଖି ୨୨ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ପ୍ରତି ଇଭେଣ୍ଟର ଶ୍ରେଷ୍ଠ ୪ଜଣ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।  

ଓଡ଼ିଶା କ୍ରୀଡ଼ାରେ ଯୋଡ଼ିହେବ ନୂଆ ଅଧ୍ୟାୟ
ବିଶ୍ବ ଚାମ୍ପିଅନସିପ୍ ଯୋଗ୍ୟତା ସୁଯୋଗ
୨୦୦ ମିଟର ଉପରେ ଧ୍ୟାନ: ଅନିମେଷ

ଭୁବନେଶ୍ବରରେ ବିଶ୍ବ ‌‌ଦୌଡ଼କୁଦ ସମ୍ଭାବନା
‘‘ଭାରତକୁ ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ କାଂସ୍ୟ ଆୟୋଜନ ପଛର ଲକ୍ଷ୍ୟ ହେଉଛି ଆମ ଦେଶରେ ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବା। ତେବେ ଏହା ପୂର୍ବରୁ ଆମେ କଣ୍ଟିନେଣ୍ଟାଲ ଟୁର୍‌ର ରୌପ୍ୟ ଓ ସ୍ବର୍ଣ୍ଣ ବର୍ଗ ପ୍ରତିଯୋଗିତା ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛୁ। ତା’ ପରେ ଡାଏମଣ୍ଡ୍ ଲିଗ୍ ଉପରେ ନଜର ପକାଇବୁ। ଶେଷରେ ବିଶ୍ବ ଚାମ୍ପିଅନସିପ୍ ଆୟୋଜନ ପାଇଁ ବିଡ୍ ଦାଖଲ କରିବୁ। ବିଶ୍ବ ଚାମ୍ପିଅନସିପ୍ ଆୟୋଜନ ପାଇଁ ଆମେ ଭାରତର ଦୁଇଟି ସହରକୁ ଚୂଡ଼ାନ୍ତ କରିଛୁ। ଗୁଜରାଟର ଅହମଦାବାଦ ଏବଂ ଭୁବନେଶ୍ବରକୁ ଚୂଡ଼ାନ୍ତ କରିଛୁ। ତେବେ ଏହା ପୂର୍ବରୁ ଆମକୁ ଆମ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ହେବ। କଣ୍ଟିନେଣ୍ଟାଲ ଟୁର୍‌ର ରୌପ୍ୟ ଓ ସ୍ବର୍ଣ୍ଣ ବର୍ଗ ପ୍ରତିଯୋଗିତାର ସଫଳତା ଆୟୋଜନ କରି ବିଶ୍ବ ଆଥଲେଟିକ୍ସକୁ ଦେଖାଇବାକୁ ହେବ।’’ ଶନିବାର କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ ସେଣ୍ଟର୍ ଅଡିଟୋରିୟମ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଭାରତୀୟ ଦୌଡ଼କୁଦ ମହାସଂଘର ପୂର୍ବତନ ସଭାପତି ତଥା ବିଶ୍ବ ଦୌଡ଼କୁଦର ଉପସଭାପତି ଆଦିଲ ସୁମରିୱାଲା କହିଛନ୍ତି। ‘ସମ୍ବାଦ’ ପକ୍ଷରୁ ଭୁବନେଶ୍ବରରେ ବିଶ୍ବ ଦୌଡ଼କୁଦ ଆୟୋଜନର ଆଶା ଓ ସମ୍ଭାବନାକୁ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ  ସୁମରିୱାଲ କହିଥିଲେ ‘ଏହା ଏକ ଜଟିଳ ଓ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ପ୍ରକ୍ରିୟା।‌ ପରବର୍ତ୍ତୀ ବିଶ୍ବ ଦୌଡ଼କୁଦ ଚାମ୍ପିଅନସିପ୍ ଜାପାନରେ ଖେଳାଯିବ। ୨୦୨୭ ବିଶ୍ବ ଦୌଡ଼କୁଦ ଆୟୋଜନ ଅଧିକାର ଚୀନର ବେଜିଂ ସହରକୁ ମିଳିଛି। ଏଣୁ ଆମେ ୨୦୩୧ କିମ୍ବା ୨୦୩୩ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ହିଁ ବିଡ୍ ଦାଖଲ କରିପାରିବୁ। ଏହି ବିଷୟରେ ଭାରତୀୟ ଦୌଡ଼କୁଦ ସଂଘ ସଜାଗ ରହିଛି। ତେବେ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ ଲାଗି ଆମକୁ ଅନ୍ୟ ଦେଶଗୁଡ଼ିକରୁ ନିଶ୍ଚିତ ଭାବେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ମିଳିବ। ତଥାପି ଆମେ ଆଶାବାଦୀ ଅଛୁ’’।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଏଫ୍‌ଆଇର ସଭାପତି ବାହାଦୁର ସିଂହ ସାଗୁ, ସଂପାଦକ ସନ୍ଦୀପ ମେହଟା, ଓଡ଼ିଶା କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ସଚିନ ରାମଚନ୍ଦ୍ର ୟ‌ାଦବ, କ୍ରୀଡ଼ା ନିର୍ଦ୍ଦେଶକ ବିଜୟ ୟେଦୁଲା, ଦେଶର ଦ୍ରୁତତମ ଧାବକ ଅନିମେଷ କୁଜୁର, ଜାଭଲିନ୍ ତାରକା ସଚିନ ଯାଦବ, ଅନୁ ରାଣୀ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଯାଦବ ଏହି ଅବସରରେ ଏଭଳି ଏକ ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରି କହିଥିଲେ ଯେ ଏହି ପ୍ରତିଯୋଗିତାର ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରୁଛନ୍ତି। ଆମେ ଭିତ୍ତିଭୂମି ସହ ଆର୍ଥିକ ସହଯୋଗ ବି ଦେଉଛୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଆମେ ଖେଳାଳିଙ୍କୁ ହାତ ପାଆନ୍ତାରେ ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତାର ଅଭିଜ୍ଞତା ପ୍ରଦାନ କରିବା। ଯୁବ ଓ ଉଦୀୟମାନ ଖେଳାଳି ଏଭଳି ଏକ ପ୍ରତିଯୋଗିତା ପାଖରୁ ଦେଖିବା ଓ ଅନୁଭବ କରିବାର ସୁଯୋଗ ଦେବା। ଅନିମେଷ କୁଜୁର ତାଙ୍କ ପୂର୍ବ ରେକର୍ଡକୁ ଟପିବା ଲକ୍ଷ୍ୟରେ ଅଛନ୍ତି। ତେବେ ୨୦୦ ମିଟର ଉପରେ ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କହିଛନ୍ତି। ଅନିମେଷଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୨୦.୩୨ ସେକେଣ୍ଡ୍‌ ଥିଲା ବେଳେ ୨୦.୧୬ ସେକେଣ୍ଡ ସମୟ ପାଇଲେ ବିଶ୍ବ ଚାମ୍ପିଅନ୍‌ସିପ୍‌କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ସେ।