ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମୁକାବିଲା ଦେଲା ନୂଆ ରେକର୍ଡ, ଜାଣନ୍ତୁ କ’ଣ ହୋଇଥିଲା ସେଦିନ

ନୂଆଦିଲ୍ଲୀ:  ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ୨୪ ଅକ୍ଟୋବରରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚକୁ ୧୬୭ ମିଲିୟନ୍ ଲୋକ ଦେଖିଛନ୍ତି। ଆଉ  ଏହି ମ୍ୟାଚ୍ ଟି-୨୦ ଅର୍ନ୍ତଜାତୀୟ ମ୍ୟାଚରେ ସର୍ବାଧିକ ଲୋକ ଦେଖିଥିବା ତାଲିକାରେ ସ୍ଥାନ ପାଇଛି । ଷ୍ଟାର ଇଣ୍ଡିଆ ମୁତାବକ, ଗତ ସପ୍ତାହ ସୁଦ୍ଧା ଟି-୨୦ ବିଶ୍ୱକପକୁ ମୋଟ ୨୩୮ ମିଲିୟନ ଦର୍ଶକ ଦେଖିସାରିଛନ୍ତି । ଆଉ ଏହା ମଧ୍ୟରୁ ଭାରତ-ପାକିସ୍ତାନ ମ୍ୟାଚକୁ ସର୍ବାଧିକ ଲୋକ ଦେଖିଛନ୍ତି । ଏହାପୂର୍ବରୁ ୨୦୧୬ ଟି-୨୦ ବିଶ୍ୱକପର ସେମିଫାଇନାଲକୁ ସର୍ବାଧିକ ଲୋକ ଦେଖିଥିଲେ, ଯାହା ଏଯାବତ ରେକର୍ଡ ହୋଇ ରହିଥିଲା । ଏହି ମ୍ୟାଚକୁ ସେତେବେଳେ ୧୩୬ ମିଲିୟନ ଲୋକ ଦେଖିଥିଲେ ।

ଭାରତ-ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ପରେ ମ୍ୟାଚ୍ ହେଉଥିବାରୁ ଅନେକ ଲୋକ ଏହାକୁ ଅପେକ୍ଷା କରି ରହିଥିଲେ । ଏହି ମ୍ୟାଚକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଆଗ୍ରହ ରହିଥିଲା । ଏହି ମ୍ୟାଚର ସବୁ ଟିକେଟ ବିକ୍ରି ହୋଇଥିଲା । ଷ୍ଟାଡିୟମ ଖଚାଖଚ ଭିଡ ରହିଥିଲା । ତେବେ ଏହି ମ୍ୟାଚରେ ଭାରତକୁ ୧୦ ୱିକେଟରେ ମାତ୍ ଦେଇଥିଲା ପାକିସ୍ତାନ । କୌଣସି ବିଶ୍ୱକପ ମୁକାବିଲାରେ ଭାରତ ବିପକ୍ଷରେ ପାକିସ୍ତାନର ଏହା ପ୍ରଥମ ବିଜୟ ଥିଲା ।

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସବୁବେଳେ ଦର୍ଶକଙ୍କ ମଧ୍ୟରେ କ୍ରେଜ ରହିଥାଏ । ଖାସକରି ବିଶ୍ୱକପ ମୁକାବିଲାରେ ଉଭୟ ଦେଶ ମୁହାଁମୁହିଁ ହେଲେ ପୂରା ବିଶ୍ୱର କ୍ରିକେଟପ୍ରେମୀ ଏହାକୁ ଚାହିଁ ରହିଥାନ୍ତି । ତେବେ ଟୁଣ୍ଣାମେଣ୍ଟ ଆରମ୍ଭରୁ ଭାରତ ଟାଇଟଲ ଦାବିଦାର ଥିବା ବେଳେ ପ୍ରଥମ ମୁକାବିଲାରେ ପାକିସ୍ତାନ ମାତ୍ ଦେଇଥିଲା । ଆଉ ଏହା ବିରାଟ ବାହିନୀ ପାଇଁ ସବୁଠୁ ବଡ ଝଟକା ଥିଲା । ଆଉ ଏହା ପରଠାରୁ ପାକିସ୍ତାନ ଆଉ ପଛକୁ ଫେରି ଚାହିଁନାହିଁ । ସୁପର-୧୨ ପର୍ଯ୍ୟାୟରେ ୫ରୁ ୫ଟି ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲ ଟିକେଟ ହାତେଇଛି ପାକିସ୍ତାନ । ଅନ୍ୟପଟେ ସୁପର-୧୨ ପର୍ଯ୍ୟାୟରେ ୩ଟି ମ୍ୟାଚରେ ବିଜୟୀ ହେବା ସତ୍ତ୍ବେ ସେମିଫାଇନାଲ ଟିକେଟ ହାତେଇ ପାରି ନଥିଲା ଟିମ୍ ଇଣ୍ଡିଆ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହେବା ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର