କ୍ରିକେଟ୍‌ରେ ନୂଆଧାରା, ଗୋଡ଼ ହଲେଇ ଉତ୍ସବ ପାଳନ

ସୀମା ରେଖାରେ ସାନିଟାଇଜର, ପ୍ରଶଂସକ ନାହାନ୍ତି, ଲଗାଇଲେନି ଲାଳ

କିଙ୍ଗ୍‌ଷ୍ଟନ୍: ଷ୍ଟାଡିୟମ୍‌ରେ ପ୍ରଶଂସକ ନାହାନ୍ତି କି ବଲ୍‌ରେ ଲାଳ ଲଗେଇବାକୁ ଅନୁମତି ନାହିଁ ଏବଂ ସୀମାରେଖା ଅଞ୍ଚଳରେ ରହିଛି ହସ୍ତ ପ୍ରକ୍ଷାଳନର ବ୍ୟବସ୍ଥା। ମହାମାରୀ କରୋନା ଭୂତାଣୁ ସମୟରେ କାରବୀୟରେ ଏସବୁକୁ ନେଇ ଚଳିତ ସପ୍ତାହରେ କ୍ରିକେଟ୍‌କୁ ସ୍ବାଗତ କରାଯାଇଛି। ଶୁକ୍ରବାରଠୁ ୬ ଦଳକୁ ନେଇ ସେଣ୍ଟ୍‌ ଭିନ୍‌ସେଣ୍ଟ୍‌ର ମୁଖ୍ୟ ସହର କିଙ୍ଗ୍‌ଷ୍ଟନ୍ ନିକଟସ୍ଥ ଆର୍ନୋସ୍ ଭାଲେରେ ଆରମ୍ଭ ହୋଇଛି ଭିନ୍‌ସି ଟି-୧୦ ପ୍ରିମିୟର ଲିଗ୍‌। କରୋନା ଭୂତାଣୁ ସାରା ବିଶ୍ବରେ ବ୍ୟାପୀବା ପ‌ରେ ଏହା ପ୍ରଥମ କ୍ରିକେଟ୍‌ ପ୍ରତିଯୋଗିତା। ଏହି ଦେଶରେ କେବଳ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ‌ଦର୍ଶକଙ୍କୁ ଖେଳ ଦେଖିବାକୁ ଅନୁମତି ମିଳିବାର ଆଶା କରାଯାଉଥିଲା। ହେଲେ ଏହା ହେଲା ନାହିଁ, ଖାଲି ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଗଲା। ସେଣ୍ଟ ଭିନ୍‌‌ସେଣ୍ଟ୍‌ ଓ ଗ୍ରେନାଡାଇନ୍ସ କ୍ରିକେଟ୍ ସଂଘ (ଏସ୍‌ଭିଜିସିଏ) ଷ୍ଟାଡିୟମରେ ସୀମିତ ସଂଖ୍ୟକ ଦର୍ଶକ (୩୦୦ରୁ ୫୦୦)ଙ୍କ ବିକଳ୍ପକୁ ପସନ୍ଦ କରିଥିଲା। ହେଲେ ବିଶେଷଜ୍ଞମାନେ ଏହା କରିବାକୁ ମନା କରିଥିଲେ ବୋଲି ଏସ୍‌ଭିଜିସିଏ ସଭାପତି କିଶୋର ସାଲୋ କହିଛନ୍ତି। ମେ ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଥିଲା ବେଳେ ଘରୋଇ ତାରକା ସୁନିଲ ଅମ୍ବ୍ରିସଙ୍କ ଖେଳ ଦେଖିବା ଲାଗି ପ୍ରଶଂସକମାନେ ଅଶା ରଖିଥିଲେ। ହେଲେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ହଁ, ମୁଁ ଦର୍ଶକଙ୍କ ନିରାଶାକୁ ବୁଝିପାରୁଛି। ହେଲେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ସାମାଜିକ ସମାବେଶକୁ ଅନୁମତି ଦେଉ ନାହାନ୍ତି। ଏଭଳି ସମୟରେ ସେମାନଙ୍କ କଥାକୁ ସମ୍ମାନ ଦେବା ଆମର କାମ। ଆମ ପାଇଁ ସୁରକ୍ଷା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।

ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ସଲ୍ଟ ପଣ୍ଡ୍‌ ବ୍ରେକର୍ସ ପକ୍ଷରୁ ଖେଳୁଥିବା ୨୭ ବର୍ଷୀୟ ଅମ୍ବ୍ରିସ୍‌ ଗ୍ରେନାଡାଇନ୍ସ ଡାଇଭର୍ସ ବିପକ୍ଷରେ ୨ ୱିକେଟ୍‌ ନେଇଥିଲେ ଏବଂ ତାଙ୍କ ଦଳ ୩ ୱିକେଟ୍‌ରେ ବିଜୟୀ ହୋଇଥିଲା। ଅନ୍ୟଏକ ମ୍ୟାଚ୍‌ରେ ଡେସ୍‌ରନ ମାଲ୍‌ଡନେଙ୍କ ୧୯ ବଲ୍‌ରୁ ୪୧ ରନ୍‌ ସହାୟତାରେ ଲା ସାଉଫ୍ରେରି ହାଇକର୍ସ ୯ ୱିକେଟ୍‌ରେ ବଟାନିକାଲ ଗାର୍ଡେନ୍‌ ରେଞ୍ଜର୍ସକୁ ପରାସ୍ତ କରିଥିଲା। ବୋଲରମାନେ ବଲ୍‌ରେ ଲାଳ ନଲଗାଇବାରେ ଏହା ପ୍ରଥମ ପ୍ରତିଯୋଗିତା ହୋଇଥିଲା ବେଳେ ସୀମାରେ ହସ୍ତ ପ୍ରକ୍ଷାଳନ ରହିଛି। ଯାହା କ୍ରିକେଟ୍‌ରେ ନୂଆ। ଖେଳାଳିମାନଙ୍କ ସହ ଅଧିକାରୀ ଓ କର୍ମଚାରୀଙ୍କ ତାପମାତ୍ରା ଯାଞ୍ଚ କରାଯାଉ ଥିଲା ବେଳେ ଅମ୍ପାୟାରମାନେ ‌ମାସ୍କ ପିନ୍ଧି ମ୍ୟ‌ାଚ୍‌ ପରିଚାଳନା କରୁଛନ୍ତି। ବୋଲର ୱିକେଟ୍‌ ନେଲାପରେ ଆଉ ଡେଇଁକି ‌କୋଳାକୋଳି ହେଉନାହାନ୍ତି, ହାତ ବାଡ଼ାଉ ନାହାନ୍ତି। ସେମାନେ ଗୋଡ଼ ହଲାଇବା ସହ ଭୂମିକୁ ପିଟି ଉତ୍ସବ ପାଳନ କରୁଥିବାର ଏହି ଲିଗ୍‌ରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର