ଭୁବନେଶ୍ବର: ବାଜିରେ ଲାଗିଛି ଜଣେ କନିଷ୍ଠ କ୍ରିକେଟର୍‌ଙ୍କ ଭବିଷ୍ୟତ। ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାରେ ଭୁବନେଶ୍ବରର ଏହି କନିଷ୍ଠ କ୍ରିକେଟର୍‌ଙ୍କୁ ନେଇ କଟକ ସନ୍‌ସାଇନ୍‌ ପଡ଼ିଆରେ ଗୁରୁବାର ବିବାଦୀୟ ସ୍ଥିତି ଉପୁଜିଥିଲା। ଏହି କ୍ରିକେଟର୍‌ ଜଣକ ହେଉଛନ୍ତି ଶୈଳଶ୍ରୀବିହାରରେ ରହୁଥିବା ଦିବାକର ମହାନ୍ତି ଓ ରୋଜାଲିନ୍‌ ମହାନ୍ତିଙ୍କ ପୁଅ ଆୟୁଷ। ପ୍ରତିଯୋଗିତାର ପ୍ରାଥମିକ (ଲିଗ୍‌) ପର୍ଯ୍ୟାୟରେ ଆୟୁଷ ଖରାପ ପ୍ରଦର୍ଶନ କରିଥିବାରୁ ସୁପରଲିଗ୍‌ ପର୍ଯ୍ୟାୟରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳି ନଥିଲା। ହେଲେ ପ୍ରଶିକ୍ଷକ ପକ୍ଷପାତିତା କରୁଥିବା ଅଭିଯୋଗ ଆଣି ଆୟୁଷଙ୍କ ଅଭିଭାବକ ପିଚ୍‌ ଉପରେ ଧାରଣାରେ ବସି ରହିବାରୁ ଖେଳ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା। ଖେଳ ବିଳମ୍ବିତ ହେବାରୁ ଆୟୋଜକଙ୍କ ତରଫରୁ ସେମାନଙ୍କୁ ବୁଝାସୁଝା କରାଯାଇଥିଲେ ମଧ୍ୟ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ପରେ ପୁଲିସ୍‌ ହସ୍ତକ୍ଷେପ କରି ଆୟୁଷଙ୍କ ଅଭିଭାବକଙ୍କୁ ପୁରୀଘାଟ ଥାନା ଆଣି ବୁଝାସୁଝା କରିବା ପରେ ସେମାନେ ଘରକୁ ଫେରିଥିଲେ।

Advertisment

କଟକର ସନ୍‌ସାଇନ୍ ପଡ଼ିଆରେ ଅଭାବନୀୟ ଘଟଣା
ପିଚ୍‌ ଉପରେ ଦୀର୍ଘ ସମୟ ବସିରହିଲେ ଅଭିଭାବକ
ପୁଲିସ୍‌ ହସ୍ତକ୍ଷେପ ପରେ ଆରମ୍ଭ ହେଲା ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା ମ୍ୟାଚ୍‌
ରିପୋର୍ଟ ତଲବ କଲା ଭୁବନେଶ୍ବର ଦୌଡ଼କୁଦ ସଂଘ

ସୂଚନା ଅନୁସାରେ, ଓସିଏ ଦ୍ବାରା ପରିଚାଳିତ ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାରେ ଭୁବନେଶ୍ବର ‘ଏ’ ପକ୍ଷରୁ ଆୟୁଷ ଖେଳୁଥିଲେ। ପ୍ରାଥମିକ ପର୍ଯ୍ୟାୟରେ ସେ ୩ ମ୍ୟାଚ୍‌ ସୋନପୁର, କୋରାପୁଟ ଓ ଅନୁଗୁଳ ବିପକ୍ଷରେ ଖେଳି ମୋଟ୍‌ ୧୬ ରନ୍‌ ସଂଗ୍ରହ କରିଥିଲେ। ଭୁବନେଶ୍ବର ‘ଏ’ ଗ୍ରୁପ୍‌ ବିଜେତା ହେବାରୁ ଦଳ ସୁପରଲିଗ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। କିନ୍ତୁ ଖରାପ ପ୍ରଦର୍ଶନ ପାଇଁ ଦଳ ପକ୍ଷରୁ ଆୟୁଷଙ୍କୁ ସୁପରଲିଗ୍‌ରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦିଆଯାଇ ନଥିଲା। ଯାହାକୁ ନେଇ ଆୟୁଷ ଭାଙ୍ଗିପଡ଼ିବା ସହ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ବାପା ଓ ମା’ ଅଭିଯୋଗ କରିଛନ୍ତି। ତେଣୁ କାହିଁକି ଦଳରେ ସ୍ଥାନ ଦିଆଗଲାନି ବୋଲି ପ୍ରଶ୍ନ କରି ସେମାନେ ବୁଧବାର ସକାଳେ ସନସାଇନ୍‌ ପଡ଼ିଆରେ ଭୁବନେଶ୍ବର ‘ଏ’ର ଶେଷ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ପିଚ୍‌ ଉପରେ ଧାରଣାରେ ବସିଥିଲେ। ଏଥିସହିତ ସୁପରଲିଗ୍‌ରେ ଖେଳାଇବା ପାଇଁ ଖେଳ ପୋଷାକ ବାବଦକୁ ଆୟୁଷଙ୍କଠୁ ୪୫୦ ଟଙ୍କା ନିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କ ପୁଅକୁ ନ୍ୟାୟ ଦିଆଯାଉ ବୋଲି ଅଡ଼ି ବସିଥିଲେ। ମ୍ୟାଚ୍‌ ଆରମ୍ଭ ସମୟ ସକାଳ ୯ଟା ହୋଇଥିବାରୁ ଆୟୋଜକ ଓ ମ୍ୟାଚ୍‌ ପରିଚାଳନା ଅଧିକାରୀମାନେ ସେମାନଙ୍କୁ ପିଚ୍‌ରୁ ଉଠିଯିବାକୁ ବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ ଏହାଭିତରେ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ଓ ପରେ ହାତାହାତି ପରିସ୍ଥିତି ଉପୁଜିଥିଲା। ଖବର ପାଇ ପୁରୀଘାଟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆୟୁଷଙ୍କ ଅଭିଭାବକଙ୍କୁ ଥାନାକୁ ନେବା ପରେ ଦିନ ୧୦ଟାରେ ଖେଳ ଆରମ୍ଭ ହୋଇଥିଲା। ଥାନାରେ କୌଣସି ଲିଖିତ ଅଭିଯୋଗ କରିବା ପରି‌ବର୍ତ୍ତେ ଏକ ଅଣ୍ଡରଟେକିଂ ଦେଇ ସେମାନେ ଘରକୁ ଫେରିଆସିଥିଲେ। ହେଲେ ଅଭିଯୋଗ ସଂକ୍ରାନ୍ତରେ ଓସିଏ କିମ୍ବା ଭୁବନେଶ୍ବର ଦୌଡ଼କୁଦ ସଂଘ, କେଉଁଠାରେ ବି ଲିଖିତ ଅଭି‌ଯୋଗ କରାଯାଇ ନଥିବା ଜଣାପଡ଼ିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ରୋଜାଲିନ୍‌ଙ୍କୁ ପ୍ରଥମେ କେହି ମାଡ଼ ମାରି ନଥିଲେ। ବରଂ ଉତ୍ତେଜିତ ଅବସ୍ଥାରେ ଦିବାକର ସେଠାରେ ଉପସ୍ଥିତ ଥିବା ଜଣେ ଆୟୋଜକଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କୁ ଧକ୍କା ମାରିଥିଲେ। ରୋଜାଲିନ୍‌ ମଧ୍ୟ ସଂପୃକ୍ତ ଆୟୋଜକଙ୍କ ଉପରକୁ ହାତ ଉଠାଇଥିଲେ। ଏଣୁ ସେ ଆତ୍ମରକ୍ଷା ପାଇଁ ହାତଉଠାଇବାକୁ ବାଧ୍ୟ ହୋଇଥିଲେ। ଅନ୍ୟପକ୍ଷରେ ଅଭିଯୋଗ ସଂକ୍ରାନ୍ତରେ ଦଳର ପ୍ରଶିକ୍ଷକ ବିବିସିସି ମହାପାତ୍ର କହିଛନ୍ତି ଯେ, ପ୍ରାଥମିକ ପର୍ଯ୍ୟାୟରେ ଆୟୁଷ ଖରାପ ପ୍ରଦର୍ଶନ କରିଥିଲେ। ତଥାପି ତାଙ୍କୁ ତିନିଟି ମ୍ୟାଚ୍‌ରେ ସୁଯୋଗ ଦେଲୁ। ସବୁ ମ୍ୟାଚ୍‌ରେ ଖରାପ ଖେଳିବାରୁ ସୁପରଲିଗ୍‌ରେ ଅନ୍ୟ ଖେଳାଳିମାନଙ୍କୁ ସୁଯୋଗ ଦିଆଯାଇଥିଲା। ଖେଳାଳିଙ୍କ ପରିସଂଖ୍ୟାନ ୱେବସାଇଟ୍‌ରେ ଉପଲବ୍ଧ। ଜଣଙ୍କୁ ବାରମ୍ବାର ସୁଯୋଗ ଦେବା ଅପେକ୍ଷା ଅନ୍ୟ ଖେଳାଳିଙ୍କୁ ମଧ୍ୟ ସମାନ ସୁଯୋଗ ଦିଆଯିବାର ଆବଶ୍ୟକତା ରହିଛି। ଏଥିରେ ପକ୍ଷପାତିତା କେଉଁଠି ରହିଲା ବୋଲି ବିବିସିସି କହିଛନ୍ତି। ଖେଳ ପୋଷାକ ଭୁବନେଶ୍ବର ଦୌଡ଼କୁଦ ସଂଘ ପ୍ରଦାନ କରିଛି। କିନ୍ତୁ ସୁପରଲିଗ୍‌‌ରେ ଦଳ ‌ପ୍ରବେଶ କରିବା ପରେ ନୂଆ ପୋଷାକ ପିନ୍ଧି ଖେଳିବା ପାଇଁ ଖେଳାଳିମାନେ ନିଜନିଜ ଭିତରେ ଟଙ୍କା ଆଦାୟ କରିଥିଲେ। ଏଥିରେ ସଂଘ କିମ୍ବା ତାଙ୍କର କୌଣସି ଭୂମିକା ନଥିବା ବିବିସିସି ସ୍ପଷ୍ଟ କରିଛନ୍ତି। ସେହିପରି ଭୁବନେଶ୍ବର ଦୌଡ଼କୁଦ ସଂଘ ସମ୍ପାଦକ ସୌର୍ଯ୍ୟ ରଂଜନ ପରିଜାଙ୍କ କହିବାନୁସାରେ, ମ୍ୟାନେଜର ଓ କୋଚ୍‌ଙ୍କଠୁ୍ ରିପୋର୍ଟ ମିଳିବା ପରେ ଖେଳାଳି ଓ ତାଙ୍କ କ୍ଲବ୍‌ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।