‌ଗୁଆହାଟୀ ଗର୍ଜନ ସହ ବିରଳ ବିଜୟ: ମିଲରଙ୍କ ବିସ୍ଫୋରକ ଶତକ ସତ୍ତ୍ବେ ଭାରତ ୧୬ ରନ୍‌ରେ ବିଜୟୀ

ମାଳମାଳ ମାଇଲଖୁଣ୍ଟ, ପ୍ରଥମ ଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ

‌ଗୁଆହାଟୀ: ଗୁଆହାଟୀରେ ରବିବାର ବର୍ଷାର ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ରନ୍‌ ବର୍ଷା ଦେଖିବାକୁ ମିଳିଲା। ଭାରତ ଓ ଦକ୍ଷିଣ ଆଫ୍ରିକାର ଉଭୟ ପାଳିରୁ ୪୫୮ ରନ୍‌ ସଂଗୃହୀତ ହୋଇଥିଲା। ଏହା ମଧ୍ୟରେ ୬୫ ବାଉଣ୍ଡରି (ଭାରତ-୩୮, ଦକ୍ଷିଣ ଆଫ୍ରିକା ୨୭) ସାମିଲ ଥିଲା। ଭାରତର ଦଳଗତ ଲଢ଼େଇ ଆଗରେ କିନ୍ତୁ ଦକ୍ଷିଣ ଆଫ୍ରିକା ହାର ମାନିଯାଇଥିଲା। ଭାରତ ୨୩୭ ରନ୍‌ ସଂଗ୍ରହ କରିବା ପରେ ଡେଭିଡ୍ ମିଲର୍‌ (୪୭ ବଲ୍‌ରୁ ୧୦୬*)ଙ୍କ ଶତକ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ୧୬ ରନ୍‌ରେ ହାରିଯାଇଥିଲା। ମିଲର୍ ଏବଂ କ୍ବିଣ୍ଟନ୍ ଡି’କକ୍ (୪୮ ବଲ୍‌ରୁ ୬୯* ରନ୍‌) ୧୩.୪ ଓଭରରୁ ୧୭୪* ରନ୍‌ ଭାଗୀଦାରି କରିଥିଲେ ମଧ୍ୟ ଭାରତ ହାତରୁ ବିଜୟ ଛଡାଇ ପାରିନଥିଲେ। ଭାରତ ମାଟିରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଥିବା ବେଳେ ରୋହିତ ଶର୍ମାଙ୍କ ଦଳ ଏକ ବହୁ ପ୍ରତୀକ୍ଷିତ ତଥା ବିରଳ ସଫଳତା ପାଇଥିଲା। ଦକ୍ଷିଣ ଆଫ୍ରିକାକୁ ଘରୋଇ ମାଟିରେ ପ୍ରଥମ ଥର ଏକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାସ୍ତ କରିଦେଲା। ଏଥି ସହିତ ୨୦୨୧ ବିଶ୍ବକପ୍‌ ପରଠାରୁ ନବମ ଦ୍ବିପାକ୍ଷିକ ଶୃଙ୍ଖଳାରୁ ଅଷ୍ଟମ ବିଜୟ ପାଇଗଲା। ୩ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୨-ରେ ଅପରାଜିତ ଅଗ୍ରଣୀ ନେଇଗଲା। ମଙ୍ଗଳବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଇନ୍ଦୋରରେ ଖେଳାଯିବ।

ଦକ୍ଷିଣ ଆଫ୍ରିକା ଟସ୍ ଜିତିବା ପରେ ବ୍ୟାଟିଂ କରିଥିଲା। ଏକମାତ୍ର ପରିବର୍ତନ କରି ସ୍ପିନର୍‌ ତାବ୍ରାଇଜ୍ ସାମସୀଙ୍କ ବଦଳରେ ଲୁଙ୍ଗି ଏନ୍‌ଗିଡିଙ୍କୁ‌ ଖେଳାଇଥିଲା। ମେଘୁଆ ପାଗକୁ ଦେଖି ଦ୍ରୁତ ବୋଲିଂ ବିଭାଗକୁ ଅଧିକ ଦୃଢ଼ କରିଥିଲା। ଭାରତ କିନ୍ତୁ ତିରୁଅନନ୍ତପୁରମ୍‌ରେ ବିଜୟୀ ଦଳରେ କୌଣସି ପରିବର୍ତନ କରିନଥିଲା। ଭାରତୀୟ ଓପନିଂ ଯୋଡ଼ି କେଏଲ୍ ରାହୁଲ୍‌ ଓ ରୋହିତ ଶର୍ମା ପ୍ରଥମ ୱିକେଟ୍ ପାଇଁ ୯.୫ ଓଭରରେ ୯୬ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ରୋହିତ ଶର୍ମା ୩୭ ବଲ୍‌ରୁ ୪୩ ଏବଂ କେଏଲ୍‌ ରାହୁଲ୍‌ ୨୮ ବଲ୍‌ରୁ ୫୭ କରିବା ପରେ ବିଦାୟ ନେଇଥିଲେ। ଉଭୟଙ୍କୁ ସ୍ପିନର୍‌ କେଶବ ମହାରାଜ ଆଉଟ୍‌ କରିଥିଲେ। କିନ୍ତୁ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଶତକୀୟ ଭାଗୀଦାରି (୪୨ ବଲ୍‌ରୁ ୧୦୨ ରନ୍) ଭାରତକୁ ବିଶାଳ ସ୍କୋର୍‌ ପ୍ରଦାନ କରିଥିଲା। ସୂର୍ଯ୍ୟ କୁମାର କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ ୧୮ ବଲ୍‌ରୁ ଏବଂ ରାହୁଲ ୨୪ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ଭାରତକୁ ବଡ଼ ସ୍କୋର୍‌ ବାଟ ଫିଟାଇଥିଲା। ଶେଷ ଓଭରରେ ବ୍ୟାଟିଂ ସୁଯୋଗ ନପାଇ ବିରାଟ କୋହଲି ୨୮ ବଲ୍‌ରୁ ୪୯* ରନ୍‌ରେ ଅପରାଜିତ ରହି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଋଷଭ ପନ୍ତଙ୍କୁ ପଛରେ ପକାଇ ଆସିଥିବା ଦୀନେଶ କାର୍ତିକ ୨ ଛକା ମାରି ୭ ବଲ୍‌ରୁ ୧୭ ରନ୍‌ ସଂଗ୍ରହ କରିଥିଲେ। କେଏଲ୍‌ ରାହୁଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଡେଥ୍‌ ଓଭର୍‌ରୁ ୧୬୦ ରନ୍

-ରବିବାର ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟ୍ବେଣ୍ଟି-୨୦ର ଉଭୟ ପାଳି ଡେଥ୍ (୧୬ରୁ ୨୦) ଓଭରରୁ ମୋଟ ୧୬୦ ରନ୍‌ (ଭାରତ ୮୨, ଦକ୍ଷିଣ ଆଫ୍ରିକା ୭୮) ସଂଗୃହିତ ହୋଇଥିଲା। ଯାହାକି ୧୨ ବର୍ଷ ତଳର କୀର୍ତ୍ତିମାନକୁ କାଟିଥିଲା। ୨୦୧୦ରେ ଗ୍ରସ୍‌ ଆଇସଲେଟ୍‌ରେ ପାକିସ୍ତାନ (୭୩)-ଅଷ୍ଟ୍ରେଲିଆ (୭୫) ମ୍ୟାଚ୍‌ରୁ ୧୪୮ ରନ୍‌ ମିଳିଥିଲା। ଭାରତ ମଧ୍ୟ ଶେଷ ଥର ପାଇଁ ୨୦୦୭ରେ ଡର୍ବାନ୍‌ରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୮୦ ରନ୍‌ ପାଇଥିଲା ଯାହାକୁ ରବିବାର ଅତିକ୍ରମ କରିଥିଲା। ସେହି ମ୍ୟାଚ୍‌ରେ ଇଂଲଣ୍ଡ ୬୫ ରନ୍‌ ଡେଥ୍‌ ଓଭରରେ ସଂଗ୍ରହ କରିବାରୁ ଏହି ମ୍ୟାଚ୍‌ରୁ ତୃତୀୟ ସର୍ବାଧିକ ୧୪୫ ରନ୍‌ ମିଳିଥିଲା।

-ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତ ଚତୁର୍ଥ ପ୍ରୟାସରେ ପ୍ରଥମ ଥର ଶୃଙ୍ଖଳା ବିଜୟ ପାଇଛି। ୨୦୧୫ରେ ୦-୨ରେ ହାରିଥିବା ଭାରତ ୨୦୧୯ରେ ୧-୧ ଓ ୨୦୨୨ ଜୁନ୍‌ରେ ୨-୨ରେ ଅମୀମାଂସିତ ରଖିଥିଲା। ଦକ୍ଷିଣ ଆଫ୍ରିକା ନିଜର ସପ୍ତମ ଦ୍ବିପାକ୍ଷିକ ଶୃଙ୍ଖଳାରେ ପ୍ରଥମ ପରାଜୟ ବରଣ କରିଛି। ‌

-ଡେଭିଡ୍‌ ମିଲରଙ୍କ ୧୦୬* ରନ୍‌ ବେକାର ଯିବା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ପଶ୍ଚାତଧାବନ ପରାଜୟରେ ଦ୍ବିତୀୟ ଉଦାହରଣ ଶତକ ଥିଲା। ୨୦୧୬ରେ ଲୌଣ୍ଡରହିଲ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କେଏଲ୍ ରାହୁଲ୍‌ ପଶ୍ଚାତଧାବନ ବେଳେ ୧୧୦* ରନ୍‌ କରିଥିଲେ ମଧ୍ୟ ଭାରତ ହାରିଯାଇଥିଲା।

-ରବିବାର ଅତୁଟ ଚତୁର୍ଥ ୱିକେଟ୍‌ରେ ଡି’କକ୍‌-ମିଲର୍‌ ୯୦ ବଲରୁ ୧୭୪* ରନ୍ କରିଥିଲେ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ଏହା ଚତୁର୍ଥ ତଥା ତା’ଠାରୁ ତଳ ଭାଗୀଦାରିରେ ସର୍ବୋଚ୍ଚ। ମିଲର୍‌ ମଧ୍ୟ ପ୍ରଥମ ଖେଳାଳି ଭାବେ ୫ ନମ୍ବର କିନ୍ତା ତା’ଠୁ କମ୍‌ ନମ୍ବରରେ ବ୍ୟାଟିଂ କରି ଏକାଧିକ ଶତକ ହାସଲ କରିଛନ୍ତି। ୨୦୧୭ରେ ସେ ବାଂଲାଦେଶ ବିପକ୍ଷରେ ପଶ୍ଚଷ୍ଟ୍ରୁମ୍‌ଠାରେ ୩୬ ବଲ୍‌ରୁ ୧୦୧* ରନ୍‌ କରିଥିଲେ।

image credit : icc

ମାଳମାଳ ମାଇଲଖୁଣ୍ଟ

ସର୍ବାଧିକ ୫୦+ ଭାଗୀଦାରି
ରୋହିତ ଶର୍ମା ଏବଂ କେଏଲ୍ ରାହୁଲ୍‌ ରବିବାର ୯୬ ରନ୍‌ର ଓପନିଂ ଭାଗୀଦାରି କରିବା ସହିତ ଏକ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ସର୍ବାଧିକ ୧୫ ଥର ୫୦+ ଭାଗୀଦାରି କରିଥିଲେ ଏହି ଦୁଇ ଭାରତୀୟ ବ୍ୟାଟର୍‌। ପୂର୍ବରୁ ଏହି କୀର୍ତ୍ତିମାନ ପାକିସ୍ତାନ ଯୋଡ଼ି ବାବର ଆଜମ-ମହମ୍ମଦ ରିଜୱାନ (୧୪ ଥର)ଙ୍କ ନାମରେ ଥିଲା। ଆୟର୍ଲାଣ୍ଡ୍‌ର ପଲ୍‌ ଷ୍ଟର୍ଲିଂ-କେଭିନ୍ ଓ’ବ୍ରାଏନ୍‌ ୧୩ ଥର ଏଭଳି ଭାଗୀଦାରି କରି ତୃତୀୟ ସ୍ଥାନକୁ ଖସିଯାଇଛନ୍ତି।

ଭାରତ ପାଇଁ ଦ୍ରୁତତମ ଶତକୀୟ ଭାଗୀଦାରି
ଭାରତ ପାଇଁ ରବିବାର ସୂର୍ଯ୍ୟକୁମାର ଯାଦବ ଏବଂ ବିରାଟ କୋହଲି ଦ୍ରୁତତମ ଶତକୀୟ ଭାଗୀଦାରି (୪୨ ବଲ୍‌ରୁ ୧୦୨ ରନ୍‌) ପ୍ରତିଷ୍ଠା କରିଥିଲେ। ପୂର୍ବରୁ ଏହି କୀର୍ତ୍ତିମାନ କେଏଲ୍ ରାହୁଲ୍‌-ମହେନ୍ଦ୍ର ସିଂହ ଧୋନି (୪୯ ବଲ୍‌ରୁ ୧୦୭ ରନ୍‌ ବନାମ ୱେଷ୍ଟଇଣ୍ଡିଜ୍, ଲୌଣ୍ଡରହିଲ୍‌, ୨୦୧୬)ଙ୍କ ନାମରେ ଥିଲା। ୨୦୧୭ରେ ଇନ୍ଦୋରରେ ଶ୍ରୀଲଙ୍କା ବିପକ୍ଷରେ କେଏଲ୍ ରାହୁଲ୍‌-ରୋହିତ ଶର୍ମା ୭୬ ବଲ୍‌ରୁ ୧୬୫ ରନ୍‌ ଯୋଡ଼ି ଏବେ ତୃତୀୟ ସ୍ଥାନରେ ରହିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବୋଚ୍ଚ ଦଳଗତ ସ୍କୋର୍‌
ଭାରତ ରବିବାର ସ୍କୋର୍ କରିଥିବା ୨୩୭/୩ ମଧ୍ୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଯେ କୌଣସି ଦଳ ପାଇଁ ସର୍ବୋଚ୍ଚ ଦଳଗତ ସ୍କୋର୍‌ କୀର୍ତ୍ତିମାନ ପ୍ରତିଷ୍ଠା କରିଛି। ପୂର୍ବରୁ ୨୦୧୫ରେ ଜୋହାନ୍ସବର୍ଗରେ ୱେଷ୍ଟଇଣ୍ଡିଜ୍ ସ୍କୋର୍‌ କରିଥିବା ୨୩୬/୬ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭ ବର୍ଷ ପର୍ଯ୍ୟନ୍ତ ଶୀର୍ଷରେ ଥିଲା। ଚଳିତ ବର୍ଷ ବ୍ରିଷ୍ଟଲ୍‌ରେ ଇଂଲଣ୍ଡ (୨୩୪/୬) ଏବଂ ୨୦୧୬ରେ ମୁମ୍ବାଇରେ ଇଂଲଣ୍ଡ (୨୩୦/୮)ର ମଧ୍ୟ ଏହି ଦଳ ବିପକ୍ଷରେ ପରବର୍ତୀ ୨ ସର୍ବୋଚ୍ଚ ସ୍କୋର୍‌ ହୋଇ ରହିଛି। ଦକ୍ଷିଣ ଆଫ୍ରିକା ପେସ୍ ବୋଲରଙ୍କ ପାଇଁ ଏହି ମ୍ୟାଚ୍‌ରୁ ସବୁଠୁ ଖରାପ ଇକୋନୋମି ରେଟ୍‌ (୧୩.୫୦) ମିଳିଛି। ଅନ୍ୟୁନ ୧୦ ଓଭର ବୋଲିଂ ହୋଇଥିବା ପାଳିରେ ଦକ୍ଷିଣ ଆଫ୍ରିକା ପେସ୍‌ ବୋଲର୍ ୧୫ ଓଭର ଯାଏ ୱିକେଟ୍‌ ନ ପାଇବା ଏହି ଦଳ ପାଇଁ ଏକ ଆଲୋଡ଼ା କୀର୍ତ୍ତି ଆଣି ଦେଇଛି।

ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ବାଉଣ୍ଡରି
ଭାରତ ଦଳଗତ ଭାବେ ୨୩୭ ରନ୍‌ ସଂଗ୍ରହ କରିବା ଅବସରରେ ମୋଟ ୩୮ ବାଉଣ୍ଡରି (୨୫ ଚୌକା, ୧୩ ଛକା) ମାରିଥିଲା। ଯାହାକି ଭାରତ ପାଇଁ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଦ୍ବିତୀୟ ସର୍ବାଧିକ। ୨୦୧୭ରେ ଭାରତ ଇନ୍ଦୋରରେ ସର୍ବାଧିକ ୪୨ ବାଉଣ୍ଡରି ଶ୍ରୀଲଙ୍କା ବିପକ୍ଷରେ ମାରି ରେକର୍ଡକୁ ଅତୁଟ ରଖିଛି। ୨୦୧୯ରେ ମୁମ୍ବାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩୫ ବାଉଣ୍ଡରି ଏବେ ତୃତୀୟ ସ୍ଥାନକୁ ଖସି ଆସିଛି। ରବିବାର ମ୍ୟାଚ୍‌ରେ କିନ୍ତୁ ଭାରତ ମାରିଥିବା ୨୫ ଚୌକା ଗୋଟିଏ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ସର୍ବାଧିକ।

ସୂର୍ଯ୍ୟଙ୍କ ଦ୍ରୁତତମ ୧୦୦୦ ରନ୍‌
ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ରବିବାର ସୂର୍ଯ୍ୟକୁମାର ଯାଦବ ବଲ୍‌ ଦୃଷ୍ଟିରୁ ଦ୍ରୁତତମ ୧,୦୦୦ ରନ୍ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ୧୭୪ ଷ୍ଟ୍ରାଇକ୍ ରେଟ୍‌ରେ ସେ ମାତ୍ର ୫୭୩ ବଲ୍‌ ଖେଳି ୧,୦୦୦ ରନ୍‌ ପୂର୍ଣ୍ଣ କରିଛନ୍ତି। ପୂର୍ବରୁ ଗ୍ଲେନ୍ ମ୍ୟାକ୍ସୱେଲ୍‌ ୬୦୪ ବଲ୍‌ରୁ), କଲିନ୍ ମୁନ୍‌ରୋ (୬୩୫ ବଲ୍‌ରୁ), ଏଭିନ୍ ଲୁଇସ୍ (୬୪୦ ବଲ୍‌ରୁ), ତିସରା ‌ପେରେରା (୬୫୪ ବଲ୍‌ରୁ) ଏହି ମାଇଲଖୁଣ୍ଟ୍ ଛୁଇଁଥିଲେ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଭାରତ ପାଇଁ ରବିବାର ସୂର୍ଯ୍ୟକୁମାର ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ମାତ୍ର ୧୮ ବଲ୍‌ରୁ ସେ ୫୦ ରନ୍‌ ପୂର୍ଣ୍ଣ କରି କେଏଲ୍ ରାହୁଲଙ୍କ ସହ ଯୁଗ୍ମ ଭାବେ ଦ୍ବିତୀୟ ଦ୍ରୁତତମ ରହିଛନ୍ତି। ରାହୁଲ୍‌ ଗତବର୍ଷ ଦୁବାଇରେ ସ୍କଟ୍‌ଲାଣ୍ଡ୍ ବିପକ୍ଷରେ ମଧ୍ୟ ୧୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଯୁବରାଜ ସିଂହ (୧୨ ବଲ୍‌ ବନାମ ଇଂଲଣ୍ଡ, ଡର୍ବାନ୍‌, ୨୦୦୭) ଦୀର୍ଘ ୧୨ ବର୍ଷ ଧରି ରେକର୍ଡକୁ ନିଜ ନାମରେ ରଖିଛନ୍ତି। ଯେଉଁ ପାଳିରେ ସେ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ ଛକା ମାରିଥିଲେ। ରବିବାର ସୂର୍ଯ୍ୟକୁମାର କିନ୍ତୁ ଗୌତମ ଗମ୍ଭୀର (୧୯ ବଲ୍‌ ବନାମ ଶ୍ରୀଲଙ୍କା, ନାଗପୁର, ୨୦୦୯)ଙ୍କୁ ଅତିକ୍ରମ କରିଥିଲେ। ଏହ‌ି ପାଳି ଅବସରରେ ସେ ମଧ୍ୟ ଯୁବରାଜ ସିଂହଙ୍କ ଦୁଇ ପାଳି (୨୦ ବଲ୍‌ ବନାମ ଅଷ୍ଟ୍ରେଲିଆ, ଡର୍ବାନ୍‌, ୨୦୦୭ ଏବଂ ୨୦ ବଲ୍‌ ବନାମ ଶ୍ରୀଲଙ୍କା, ମୋହାଲି, ୨୦୦୯)କୁ ଅତିକ୍ରମ କରିଥିଲେ।

ସମ୍ବନ୍ଧିତ ଖବର