ଫ୍ଲୋରିଡା: ଆର୍ଜେଣ୍ଟିନା ରବିବାର ରେକର୍ଡ ୧୬ତମ କୋପା ଆମେରିକା ଟ୍ରଫି କରାୟତ୍ତ କରିଛି। ସ୍ଥାନୀୟ ହାର୍ଡରକ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଫାଇନାଲ୍ରେ ଆର୍ଜେଣ୍ଟିନା ୧-୦ ଗୋଲ୍ରେ କଲମ୍ବିଆକୁ ପରାସ୍ତ କରି ଟ୍ରଫି ନିଜ ପାଖରେ ରଖିଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ର ନିର୍ଦ୍ଧାରିତ ସମୟ ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। ଅତିରିକ୍ତ ସମୟରେ ଲୌଟାରୋ ମାର୍ଟିନେଜ୍ଙ୍କ ଗୋଲ୍ରେ ଆର୍ଜେଣ୍ଟିନା ବିଜୟୀ ହୋଇଥିଲା। ଏହି ପ୍ରତିଯୋଗିତାରେ ମାର୍ଟିନେଜ୍ଙ୍କ ଏହା ପଞ୍ଚମ ଗୋଲ୍। ୨୦୨୧ରେ କୋପା ଆମେରିକା ଏବଂ ୨୦୨୨ରେ କତରରେ ବିଶ୍ବକପ୍ ଜିତିବା ପରେ ଆର୍ଜେଣ୍ଟିନାର ଏହା ଲଗାତାର ତୃତୀୟ ବଡ଼ ପ୍ରତିଯୋଗିତାରେ ଟ୍ରଫି ବିଜୟ।
ମ୍ୟାଚ୍ର ୨୦ତମ ମିନିଟ୍ରେ ଅଧିନାୟକ ଲିଓନେଲ ମେସିଙ୍କ ଏକ ସଟ୍କୁ କଲମ୍ବିଆର କାମିଲୋ ଭର୍ଗାସ ଅଟକାଇ ଦେବାରୁ ଆର୍ଜେଣ୍ଟିନା ଅଗ୍ରଣୀ ନେବାରେ ବିଫଳ ହୋଇଥିଲା। ପ୍ରଥମାର୍ଦ୍ଧରେ କଲମ୍ବିଆ ଚମତ୍କାର ଖେଳି ଗୋଟିଏ ସୁଯୋଗ ସୃଷ୍ଟି କରିଥିଲା। ୩୩ତମ ମିନିଟ୍ରେ ଜେଫରସନ ଲେର୍ମା ୨୫ୟାର୍ଡରୁ ଏକ ଲୋ ସଟ୍ ମାରିଥିଲେ, ହେଲେ ଆର୍ଜେଣ୍ଟିନା ଗୋଲି ଏମିଲିଆନୋ ମାର୍ଟିନେଜ ଡାଇଭ୍ ମାରି ଅଟକାଇ ଦେଇଥିଲେ। ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟରେ ସରିଥିଲା। ଦ୍ବିତୀୟାର୍ଦ୍ଧରେ ଆର୍ଜେଣ୍ଟିନା ପ୍ରତ୍ୟାବର୍ତ୍ତନ କରୁଥିଲା ବେଳେ ଅଧିନାୟକ ମେସି ୬୬ତମ ମିନିଟ୍ରେ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ତାଙ୍କ ସ୍ଥାନରେ ନିକୋଲାସ ଗୋଞ୍ଜାଲେସ୍ ଆସିଥିଲେ। ଦ୍ବିତୀୟାର୍ଦ୍ଧରେ ଗୋଲ୍ ନହେବାରୁ ମ୍ୟାଚ୍ ଅତିରିକ୍ତ ସମୟକୁ ଯାଇଥିଲା। ୧୧୨ତମ ମିନିଟ୍ରେ ଜିଓଭାନି ଲୋ ସେଲ୍ସୋଙ୍କ ପାସ୍କୁ ମାର୍ଟିନେଜ୍ କଲିମ୍ବିଆର ଗୋଲ୍ ପୋଷ୍ଟ୍କୁ ସଫଳତା ସହ ପଠାଇ ଦଳକୁ ବିଜୟ ଭେଟି ଦେଇଥିଲେ।
ଆଲ୍ଭେସ୍ଙ୍କୁ ଟପିଲେ ମେସି
କୋପା ଆମେରିକା ବିଜୟ ପରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ସର୍ବାଧିକ ୪୫ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛନ୍ତି। ଏଥିସହ ସେ ଫୁଟ୍ବଲ୍ ଇତିହାସରେ ସର୍ବାଧିକ ଟ୍ରଫି ଜିତିବାରେ ବ୍ରାଜିଲ୍ର ଡାନି ଆଲ୍ଭେସ୍ଙ୍କ କୀର୍ତ୍ତିମାନକୁ ପଛରେ ପକାଇଛନ୍ତି। ୨୦୦୫ରେ ୨୦ ବର୍ଷରୁ କମ୍ ଫିଫା ବିଶ୍ବକପ୍ ଏବଂ ବାର୍ସିଲୋନାରୁ ୨୦୦୪-୦୫ରେ ଲା-ଲିଗା ଟ୍ରଫି ଜିତି ଅଭିଯାନ ଆରମ୍ଭ କରିଥିଲେ। ଏହାପରଠୁ ଏ ପର୍ଯ୍ୟନ୍ତ ସେ ଉଭୟ କ୍ଲବ୍ ଓ ଜାତୀୟ ଦଳରୁ ଏକାଧିକ ଥର କୋପା ଆମେରିକା, ଚାମ୍ପିଅନ୍ସ ଲିଗ୍ ଓ ଗୋଟିଏ ବିଶ୍ବକପ୍ ମୁକୁଟ ଜିତିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/gdjgjdgjgjd.jpg)