ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ରେକର୍ଡ ୬୦୦ ଆବେଦନ: ଖେଳରତ୍ନ ପାଇଁ ୩୫, ଅର୍ଜୁନ ଦୌଡ଼ରେ ୨୧୫

ନୂଆଦିଲ୍ଲୀ: ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ଓ ଅର୍ଜୁନ ପୁରସ୍କାର ଭଳି ସମ୍ମାନଜନକ ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ଏବର୍ଷ ରେକର୍ଡ ୬୦୦ ଆବେଦନ ପତ୍ର ମିଳିଛି। କେନ୍ଦ୍ର କ୍ରୀଡ଼ା‌ ମନ୍ତ୍ରାଳୟ ବୁଧବାର ଏହି ସୂଚନା ଦେଇଛି। ପୂର୍ବରୁ ଏହିସବୁ ବାର୍ଷିକ କ୍ରୀଡ଼ା ପୁରସ୍କାର ଲାଗି ସର୍ବାଧିକ ୪୦୦ ଆବେଦନ ପତ୍ର ମିଳିଥିଲା। ଏବର୍ଷ କିନ୍ତୁ ତା’ର ପାଖାପାଖି ଦେଢ଼ଗୁଣ ଖେଳାଳି, ପ୍ରଶିକ୍ଷକ ଓ କ୍ରୀଡ଼ା ସଂଗଠନ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନ କରିଛନ୍ତି। ଫଳରେ ଏଗୁଡ଼ିକର ତର୍ଜମା କରିବା ଲାଗି ମନ୍ତ୍ରାଳୟର ଅଧିକାରୀମାନଙ୍କୁ ରାତିଦିନ କାମ କରିବାକୁ ପଡ଼ୁଛି। ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଲାଗି ୩୫ ଜଣ ଖେଳାଳି ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଅର୍ଜୁନ ପୁରସ୍କାର ଦୌଡ଼ରେ ୨୧୫ ଜଣ ଖେଳାଳି ଅଛନ୍ତି। ହେ‌ଲେ କ୍ରୀଡ଼ା ମନ୍ତ୍ରାଳୟର ନିଜସ୍ବ ନିର୍ଦ୍ଦେଶାବଳୀ ଅନୁସାରେ ଖେଳରତ୍ନ ଲାଗି ୨ ଜଣ ଏବଂ ଅର୍ଜୁନ ପୁରସ୍କାର ଲାଗି ୧୫ ଜଣଙ୍କ ନାମ ସୁପାରିସ କରିବାର ନିୟମ ରହିଛି।

ସେହିଭଳି କ୍ରୀଡ଼ାକ୍ଷେତ୍ର ପାଇଁ ଜୀବନ ବ୍ୟାପୀ ସେବା ଲାଗି ଦିଆଯାଉଥିବା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ୧୦୦ ଆବେଦନ ପତ୍ର ମିଳିଛି। ଯାହା ଆଉ ଏକ ‌କୀର୍ତ୍ତିମାନ। ସାଧାରଣ ବର୍ଗର ଦ୍ରୋଣାଚାର୍ଯ୍ୟ ଏବଂ ଦ୍ରୋଣାଚାର୍ଯ୍ୟ ଜୀବନ ବ୍ୟାପୀ ସେବା ସମ୍ମାନ ପାଇଁ ଆଶ୍ଚର୍ଯ୍ୟଜନକ ଭାବେ ମୋଟ ୧୩୮ ଆବେଦନ ମିଳିଛି। ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ବର୍ଗ ଲାଗି ୩୬ ସ୍ବେଚ୍ଛାସେବୀ ଓ କ୍ରୀଡ଼ା ସଂଗଠନ ଆବେଦନ କରିଛନ୍ତି।

ଚଳିତ ବର୍ଷର ପୁରସ୍କାର ଲାଗି ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ସାମିଲ କରାଯାଇଥିବାରୁ ଆବେଦନ ପତ୍ର ସଂଖ୍ୟା ବହୁଗୁଣ ବଢ଼ିଯାଇଥିବା ଅନୁମାନ କରାଯାଉଛି। ସେହିଭଳି ଖେଳାଳିମାନଙ୍କୁ ନିଜ ନିଜର ଆବେଦନ ପଠାଇବା ଲାଗି ଅନୁମତି ମିଳିବା ଏହାର ଆଉ ଏକ କାରଣ ହୋଇପାରେ ବୋଲି ଜଣେ କ୍ରୀଡ଼ା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ପୁରସ୍କାର ରାଶି ବଢ଼ିବାକୁ ମଧ୍ୟ ଏଭଳି ଉତ୍ସାହଜନକ ସଂଖ୍ୟକ ଆବେଦନ ପତ୍ର ମିଳିବାର ଅନ୍ୟତମ କାରକ ବୋଲି କୁହାଯାଇପାରେ। ସୂଚନାଯୋଗ୍ୟ ଯେ ଗତବର୍ଷ ଖେଳ ରତ୍ନ ପୁରସ୍କାର ରାଶିକୁ ୨୫ ଏବଂ ଅର୍ଜୁନ ପୁରସ୍କାର ଅର୍ଥ ରାଶିକୁ ୧୫ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ଏହି ଦୁଇ ବର୍ଗର ପୁରସ୍କାର ରାଶି ଯଥାକ୍ରମେ ୧୦ ଏବଂ ୫ ଲକ୍ଷ ଟଙ୍କା ଥିଲା।

ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତା ବାଛିବା ଲାଗି କ୍ରୀଡ଼ା ମନ୍ତ୍ରାଳୟ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ମୁକୁନ୍ଦକମ ଶର୍ମାଙ୍କ ଅଧ୍ୟକ୍ଷତାରେ ଚୟନ ସମିତି ଗଠନ କରିଛି। ଏଥିରେ ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ, ଅଞ୍ଜୁମ ଚୋପ୍ରାଙ୍କ ଭଳି ପ୍ରତିଷ୍ଠିତ କ୍ରୀଡ଼ା ତାରକା ସଦସ୍ୟ ଅଛନ୍ତି। ତେବେ ଖେଳରତ୍ନ ପୁରସ୍କାର ଲାଗି ଟୋକିଓ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳିଙ୍କ ନାଁ ସିଧାସଳଖ ବିଚାରକୁ ନେବାକୁ ମନ୍ତ୍ରାଳୟ ଚୟନ ସମିତିକୁ ସୁପାରିସ୍ କରିଥିବା ଜଣାପଡ଼ିଛି। ସେହିଦୃଷ୍ଟିରୁ ଚଳିତବର୍ଷ ଟୋକିଓ ପାରାଲିମ୍ପିକ୍ସର ଏସ୍‌ଏଲ୍‌-୩ ବ୍ୟାଡମିଣ୍ଟନ୍‌ର ପୁରୁଷ ଏକକରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରମୋଦ ଭଗତ ଖେଳ ରତ୍ନ ପୁରସ୍କାର ପାଇବାରୁ ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର