ବିଦାୟ ପରେ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା: ରାଗରେ ଜଳୁଛନ୍ତି ପ୍ରଶଂସକ, ଘରକୁ ନଫେରିବାକୁ ଧମକ

ଖେଳାଳିଙ୍କ ଦରମା କଟିବ, ବାର୍ଷିକ ଚୁକ୍ତିର ସମୀକ୍ଷା ହେବ, ଦଳ ତିନିଟି ଗୋଷ୍ଠୀରେ ବିଭାଜିତ ହୋଇଥିଲା, ସମନ୍ବୟ ନଥିଲା

ଲାହୋର: ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ସହ ପ୍ରଥମ ଥର ବିଶ୍ବକପ୍ ଖେଳୁଥିବା ଆମେରିକାଠାରୁ ଆଶ୍ଚର୍ଯ୍ୟଜନକ ଭାବେ ହାରି ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବାର ଲଜ୍ଜା ପରେ ପାକିସ୍ତାନରେ ଅଦିନିଆ ଝଡ଼ ସୃଷ୍ଟି ହୋଇଛି। କ୍ରିକେଟର୍‌ମାନଙ୍କୁ ଆଉ ଘରକୁ ନଫେରିବାକୁ ପ୍ରଶଂସକମାନେ ଚେତାବନୀ ପରେ ଚେତାବନୀ ଦେଇ ଚାଲିଛନ୍ତି। ଅନେକ ସ୍ଥାନରେ ଖେଳାଳି ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅଧିକାରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ରାଗରେ ଜଳୁଥିବା ସମର୍ଥକ। ସେହିଭଳି ସାମାଜିକ ଗଣମାଧ୍ୟମରେ ମିମ୍‌ର ବର୍ଷା କରି ନିଜ ଦଳକୁ ହିଁ ସେମାନେ ଟ୍ରୋଲ୍‌ କରୁଛନ୍ତି। ଏଥିରେ ୱାସିମ ଆକ୍ରମଙ୍କ ଭଳି ପୂର୍ବତନ ଖେଳାଳି ମଧ୍ୟ ସାମିଲ ହୋଇଛନ୍ତି। ଦଳ ଗଠନ, ଖେଳାଳିଙ୍କ ଫିଟନେସ୍, ଦଳୀୟ ଶୃଙ୍ଖଳା, ଦଳଗତ ଭାବନା ଆଦି ନେଇ ଆକ୍ରମ ପ୍ରଶ୍ନ ଉଠାଇଛନ୍ତି। ଆମେରିକାକୁ ପଦାର୍ପଣରେ ସୁପର-୮ ପ୍ରବେଶ ନେଇ ଅଭିନନ୍ଦନ ଜଣାଇଥିଲା ବେଳେ ପାକିସ୍ତାନକୁ କଟାକ୍ଷ କରିଛନ୍ତି।

ଅନ୍ୟପକ୍ଷରେ ଏଭଳି ଅପ୍ରତ୍ୟାଶିତ ବିପର୍ଯୟ ପରେ ପିସିବି ଖେଳାଳିଙ୍କ ଦରମା କାଟିବା ସହ ସେମାନଙ୍କ ସହ ହୋଇଥିବା ବାର୍ଷିକ ଚୁକ୍ତିର ସମୀକ୍ଷା କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ପିସିବି ଅଧ୍ୟକ୍ଷ ମୋହସିନ ନକଭି ଏଭଳି ସଙ୍କେତ ଦେଇଛନ୍ତି। ପୂର୍ବତନ ଦ୍ରୁତ ବୋଲର ତଥା ଚୟନକର୍ତ୍ତା ୱାହାବ ରିଆଜ ଶୁକ୍ରବାର ମୋହସିନଙ୍କୁ ଭେଟି ଦଳର ବିପର୍ଯ୍ୟୟ ନେଇ ବିସ୍ତୁତ ରିପୋର୍ଟ ଦେଇଥିବା ସୂଚନା ମିଳିଛି। ସେଥିପାଇଁ ଆସନ୍ତା କିଛି ଦିନ ଭିତରେ କିଛି ମୁଣ୍ଡ ଗଡ଼ିବାର ଆଶଙ୍କା ବଢ଼ିଯାଇଛି। ପ୍ରଶଂସକମାନେ କିନ୍ତୁ ଏକମତ ହୋଇ ଅଧିନାୟକ ବାବର ଆଜମ ଓ ନୂଆ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି। ପୁଥୁଳାକାୟ ଶରୀରର ଅଧିକାରୀ ଆଜମ ଖାନ୍, ଦଳ ହାରୁଥିଲା ବେଳେ ନ୍ୟୁୟର୍କର ଏକ ରେ‌ସ୍ତୋରାଁରେ ପିଜ୍ଜା, ବର୍ଗର ଭଳି ଫାଷ୍ଟଫୁଡ୍ ଖାଉଥିବାର ଦୃଶ୍ୟ ପଦାକୁ ଆସିବା ପରେ ଏହା ମଧ୍ୟ ପାକିସ୍ତାନର ପ୍ରତ୍ୟେକ ଟେଲିଭିଜନ୍ ଚ୍ୟାନେଲରେ ଚର୍ଚ୍ଚାର ବିଷୟ ହୋଇଛି। ପାକିସ୍ତାନର ବିଶ୍ବକପ୍ ଅଭିଯାନ ଶେଷ ହୋଇଗଲା ବୋଲି ଧାଡ଼ିକିଆ ଲେଖା ‘ଏକ୍ସ’ରେ ଲେଖି ପୂର୍ବତନ କ୍ରିକେଟ୍‌ର ସୋଏବ ଅଖତର ଦୁଃଖର ସହ ନିଜ ମନର ଭାବନା ପ୍ରକାଶ କରିଛନ୍ତି। ସେପଟେ ଗୋଷ୍ଠୀ କନ୍ଦଳ ଏଭଳି ଲଜ୍ଜାଜନକ ପରାଜୟର ପ୍ରମୁଖ କାରଣ ବୋଲି କିଛି ପୂର୍ବତନ କ୍ରିକେଟର୍ ଖୋଲାଖୋଲି ଭାବେ କହିଛନ୍ତି। ବାବର ଆଜମ ଓ ସାହିନ ସାହ ଆଫ୍ରିଦିଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା ବେଳେ ମହମ୍ମଦ ରିଜୱାନଙ୍କୁ ଅଧିନାୟକ ପଦ ନମିଳିବାରୁ ସେ ମଧ୍ୟ ଦକ୍ଷତା ମୁତାବକ ଖେଳ ଖେଳି ନଥିଲେ ବୋଲି ଆଉ କିଛି ପୂର୍ବତନ କ୍ରିକେଟର୍ ଅଭିଯୋଗ କରିଛନ୍ତି। ଦଳ ତିନି ଭାଗରେ ବିଭକ୍ତ ହୋଇଥିଲା। କିଛି ଖେଳାଳି ବାବରଙ୍କୁ ସମର୍ଥନ କରୁଥିଲା ବେଳେ ଆଉ କିଛି ଆଫ୍ରିଦିଙ୍କ ପାଇଁ ବାହାରୁଥିଲେ। ରିଜୱାନ ମଧ୍ୟ ନିଜର ଏକ ‌ଗୋଷ୍ଠୀ ଗଢ଼ିଥିଲେ। ଏଭଳି ସ୍ଥିତିରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ ପାକିସ୍ତାନ ତାର ଶେଷ ଲିଗ୍ ମ୍ୟାଚ୍ ରବିବାର ଫ୍ଲୋରିଡାଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌କୁ ସେମାନେ ବର୍ଜନ କରିବେ ବୋଲି ଅଭିମାନରେ ବହୁ ପାକିସ୍ତାନୀ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଲେଖିବା ଆରମ୍ଭ କରି ଦେଇଛନ୍ତି। କ୍ଷୁବ୍ଧ ପ୍ରଶଂସକମାନେ ନିୟମିତ ଭାବେ ଚେତାବନୀ ଦେଉଥିବାରୁ କିଛି ପାକିସ୍ତାନୀ ଖେଳାଳି ବିଶ୍ବକପ୍ ଅଭିଯାନ ଶେଷ ହେବା ପରେ ଘରକୁ ନଫେରି ଦୁବାଇ ଚାଲିଯିବାକୁ ଚିନ୍ତା କରୁଥିବାର ଖବର ମଧ୍ୟ ଚର୍ଚ୍ଚାକୁ ଆସିଛି। ମ୍ୟାଚ୍ ଫିକ୍ସିଂ ପାଇଁ ବାସନ୍ଦାଦେଶ ଭୋଗିଥିବା ଦ୍ରୁତ ବୋଲର ମହମ୍ମଦ ଆମିର ପୁଣି ଥରେ ପାକିସ୍ତାନ ଦଳକୁ ଫେରିବା ମଧ୍ୟ ଦଳ ମଧ୍ୟରେ ଅସନ୍ତୋଷର ଭାବନା ସୃଷ୍ଟି କରିଥିଲା। ଇମାଦ ୱାସିମଙ୍କ ଦୁର୍ବଳ ପ୍ରଦର୍ଶନ ମଧ୍ୟ ଦଳ ପାଇଁ କାଳ ହୋଇଥିଲା। ଉଭୟଙ୍କୁ କିଛି କହିବାକୁ ବାବର ଡରୁଥିଲେ।

ସର୍ଜରି ହେବ: ନକବି
ପାକିସ୍ତାନ କ୍ରିକେଟ୍‌ର ଦୁର୍ଦ୍ଦଶା ଲାଗି କିଛି କ୍ରିକେଟ୍ ବିଶେଷଜ୍ଞ ବାବର ଆଜମଙ୍କ ଦୁର୍ବଳ ନେତୃତ୍ବକୁ ଦାୟୀ କରିଛନ୍ତି। ହେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ତାଙ୍କୁ ସମର୍ଥନ କରିଛନ୍ତି। ଆଗାମୀ ସମୟରେ ପାକିସ୍ତାନ ବହୁ ବଡ଼ ବଡ଼ ପ୍ରତିଯୋଗିତା ଖେଳିବ। ଦଳରେ ସ୍ଥିରତା ଆଣିବା ଲାଗି ବାବରଙ୍କୁ ପିସିବି ସମର୍ଥନ କରିବା ଉଚିତ। ଅଧିନାୟକ ପଦ ଜାରି ରଖିବାକୁ ତାଙ୍କୁ ସୁଯୋଗ ଦେବା ଦରକାର ବୋଲି ଭନ୍ ଏକ ସାକ୍ଷାତକାରରେ କହିଛନ୍ତି। ପିସିବି ଅଧ୍ୟକ୍ଷ ମୋହସିନ ନକବି କହିଛନ୍ତି, ପାକିସ୍ତାନ ଦଳରେ ତୁରନ୍ତ ବଡ଼ ଧରଣର ଅସ୍ତ୍ରୋପଚାର କରିବାର ଆବଶ୍ୟକତା ରହିଛି। ପାକିସ୍ତାନ କ୍ରିକେଟ୍ ଦଳକୁ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଦଳ ଭାବେ ଗଢ଼ି ତୋଳିବାକୁ ଯାହା ଦରକାର ଆମେ ସେ ସବୁ କରିବୁ। ଏଭଳି ଦୟନୀୟ ଓ ଦୁର୍ବଳ ପ୍ରଦର୍ଶନକୁ ପିସିବି ବରଦାସ୍ତ କରିବନି।

ସମ୍ବନ୍ଧିତ ଖବର