ଭୁବନେଶ୍ବର: ଓଡ଼ିଶାର ଅନ୍ୟତମ ତାରକା କ୍ରିକେଟର୍‌ ଶୁଭ୍ରାଂଶୁ ସେନାପତି ଆସନ୍ତା କ୍ରିକେଟ୍‌ ଋତୁରେ ନିଜ ରାଜ୍ୟରୁ ପ୍ରତିନିଧିତ୍ବ କରିବେନି। ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶ ପାଇଁ ଘ‌ରୋଇ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ଫଳରେ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ଭିଜନ୍‌-୨୦୨୪କୁ ବଡ଼ ଧକ୍କା ଲାଗିବାକୁ ଯାଉଛି। କାରଣ ୨୦୧୯ ମସିହାରେ ୨୦୨୪ ବେଳକୁ ଓଡ଼ିଶାରୁ ଆଇପିଏଲ୍‌ କିମ୍ବା ଆନ୍ତର୍ଜାତିକସ୍ତରର ଖେଳାଳି ସୃଷ୍ଟି କରିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା, ଶେଷ ସମୟରେ ତାହା ଓଲଟା ପରିଣତି ଦେଇଛି। ଓଡ଼ିଶା କ୍ରିକେଟ୍‌ର ଉନ୍ନତି ହେବା ଅପେକ୍ଷା ଜଣେ ଉନ୍ନତମାନର ଖେଳାଳି ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି। ଯାହା କ୍ରିକେଟ୍‌ପ୍ରେମୀଙ୍କୁ ମଧ୍ୟ ନିରାଶ କରିଛି।

Advertisment

ପାଖାପାଖି ୮ ବର୍ଷ ଧରି ଓଡ଼ିଶା ପାଇଁ ଶୁଭ୍ରାଂଶୁ ବରିଷ୍ଠ ସ୍ତରରେ ଖେଳିଆସୁଛନ୍ତି। କିନ୍ତୁ ଦଳ ରଣଜୀ ଟ୍ରଫିରେ କ୍ବଚିତ୍‌ କ୍ବାର୍ଟରଫାଇନାଲ୍‌ ଯାଇଥିଲେ ମଧ୍ୟ ଏହା ଆଗକୁ ବଢ଼ିପାରୁନି। ତଥାପି ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ସେ ଗୋଟିଏ ପଟରୁ ଏକାକୀ ଓଡ଼ିଶାକୁ ବିପଦରୁ ରକ୍ଷା କରିଛନ୍ତି। ଦୁଇ ବର୍ଷ ତଳେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ଆଇପିଏଲ୍‌ରେ ଖେଳାଇବା ପାଇଁ ନେଇଥିଲା। କିନ୍ତୁ ଦୁଇ ବର୍ଷ ଧରି ସେ କେବଳ ଡଗ୍‌ଆଉଟ୍‌ରେ ବସି ଫେରିଥିଲେ। ଏପରିକି କୌଣସି ଔପଚାରିକ ମ୍ୟାଚ୍‌ ନଖେଳି ମଧ୍ୟ ନିଜ କ୍ଷେତ୍ରରକ୍ଷଣ କୌଶଳ ପାଇଁ ଆଇପିଏଲ୍‌ ଇତିହାସରେ ନିଜ ନାମ ଲେଖାଇ ପାରିଥିଲେ। ଏସବୁ ସତ୍ତ୍ବେ ସେ ଆସନ୍ତା ଋତୁଠାରୁ ଆଉ ଓଡ଼ିଶା ପାଇଁ ଖେଳିବେନି ବୋଲି ସ୍ଥିର କରିସାରିଛନ୍ତି। ଯଦିଓ ଓସିଏ କିମ୍ବା ଓଡ଼ିଶା କ୍ରିକେଟ୍‌କୁ ସେ କୌଣସି ଦୋଷ ଦେଇ ନାହାନ୍ତି, ତଥାପି ନିଜ କ୍ୟାରିୟରରେ ଉନ୍ନତି ଆଣିବାକୁ ସେ ଅନ୍ୟ ରାଜ୍ୟକୁ ଖେଳିବା ପାଇଁ ଯିବାକୁ ଚାହୁଥିବା କହିଛନ୍ତି।

ସମ୍ବାଦକୁ ମିଳିଥିବା ସୂଚନା ଅନୁସାରେ, ଗତ ୨୦୨୩-୨୪ ରଣଜୀ ଋତୁରେ ବିଜେତା ମଧ୍ୟପ୍ରଦେଶ ବିପକ୍ଷରେ ଶୁଭ୍ରାଂଶୁ ୨୭୭ ଓ ୩୩* ରନ୍‌ ସ୍କୋର କରି ଓଡ଼ିଶାକୁ ୩ ପଏଣ୍ଟ ଦେବାରେ ବଡ଼ ଭୂମିକା ନେଇଥିଲେ। ସେତେବେଳେ ତାଙ୍କ ବ୍ୟାଟିଂରେ ବେଶ୍‌ ପ୍ରଭାବିତ ହୋଇଥିଲେ ମଧ୍ୟପ୍ରଦେଶ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ। ସେ ହିଁ ଶୁଭ୍ରାଂଶୁଙ୍କୁ ତାଙ୍କ ଦଳ ପକ୍ଷରୁ ଆଗାମୀ ଋତୁରେ ଖେଳିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ଆଇପିଏଲ୍‌ ଖେଳାଇବା ଭଳି ଆଶା ଦେଇଥିଲେ। ଅନ୍ୟପକ୍ଷରେ ଆହତ ଥିବା ଦର୍ଶାଇ ଶୁଭ୍ରାଂଶୁ ଚଳିତ ବର୍ଷର କଳାହାଣ୍ଡି କପ୍‌ କିମ୍ବା ଓଡ଼ିଶା କ୍ରିକେଟ୍‌ ‌ଲିଗ୍‌ (ଓସିଏଲ୍‌)ରେ ଆଦୌ ଖେଳିନାହାନ୍ତି। ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟରୁ ଖେଳିବା ପାଇଁ ସେ ଏନ୍‌ଓସି ପାଇଁ ମଧ୍ୟ ଓସିଏରେ ଆବେଦନ କରିସାରିଛନ୍ତି। କିନ୍ତୁ ତାଙ୍କୁ ଏନ୍‌ଓସି ମିଳିନି। ତେବେ ରବିବାର ଓସିଏଲ୍‌ ଶେଷ ହେବା ପରେ ତାଙ୍କ ଏନ୍‌ଓସି ଉପରେ ସମ୍ପାଦକ ବିଚାର କରିବେ ବୋଲି ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ଓସିଏ ପକ୍ଷରୁ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିପାରିନି।

ଅନ୍ୟ ରାଜ୍ୟରୁ ଖେଳିବା ସୁଯୋଗ ପାଇଲେ ଶୁଭ୍ରାଂଶୁ ଏକ ବିରଳ ଓଡ଼ିଆ କ୍ଲବରେ ସାମିଲ ହୋଇଯିବେ। ରାଜ୍ୟ ବାହାର ଦଳରୁ ପ୍ରଥମ‌ ଶ୍ରେଣୀ କ୍ରିକେଟ୍ ଖେଳିବାରେ ସେ ଦଶମ ଓଡ଼ିଆ ହେବେ। ୮୦ ଦଶକର ବ୍ୟାଟର୍‌ ଦେବାଶିଷ ମହାନ୍ତି (ଦିଲ୍ଲୀ), ସୀତାଂଶୁ ଷଡ଼ଙ୍ଗୀ (ସର୍ଭିସେସ୍‌), ଶାନ୍ତନୁ ଶତପଥୀ (ଉତ୍ତରପ୍ରଦେଶ), ଶିବସୁନ୍ଦର ଦାସ (ବିଦର୍ଭ), କୁଳମଣି ପରିଡ଼ା (ରେଳବାଇ), ରଶ୍ମିରଂଜନ ପରିଡ଼ା (ରାଜସ୍ଥାନ, ଆସାମ), ସୌମ୍ୟରଂଜନ ସ୍ବାଇଁ (ସର୍ଭିସେସ୍‌), ପ୍ରଜ୍ଞାନ ଓଝା (ହାଇଦ୍ରାବାଦ), ଅଭିଷେକ ରାଉତ (ମହାରାଷ୍ଟ୍ର, ଗୋଆ) ପ୍ରମୁଖ ଓଡ଼ିଶା ସହିତ ଅନ୍ୟ ରାଜ୍ୟ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିଛନ୍ତି। ଶୁଭ୍ରାଂଶୁ ଓଡ଼ିଶା ପାଇଁ ୫୧ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲା ବେଳେ ୩୭.୫୫ ହାର, ୮ ଶତକ ଓ ୧୨ ଅର୍ଦ୍ଧଶତକ ସହାୟତାରେ ୨୯୬୭ ରନ୍‌ ସଂଗ୍ରହ କରିଛନ୍ତି। ଯାହାମଧ୍ୟରେ ମଧ୍ୟପ୍ରଦେଶ ବିପକ୍ଷରେ ଗତ ଋତୁରେ କରିଥିବା ୨୭୭ ରନ୍‌ ତାଙ୍କର ସର୍ବୋଚ୍ଚ ପାଳି ହୋଇ ରହିଛି। ସେହିପରି ୪୯ ଲିଷ୍ଟ ଏ’ରୁ ୧୩୮୦ ରନ୍‌ ଓ ୩୯ ଟ୍ବେଣ୍ଟି-୨୦ ରୁ ୧୦୮୨ ରନ୍ ସଂଗ୍ରହ କରିଛନ୍ତି।