ସିମେନ୍ୟାଙ୍କୁ ଶକ୍ତ ଝଟ୍‌କା, ପୁରୁଷ ହର‌େମାନ୍‌ ଅପିଲ ହାରିଲେ

ଦୂତିଙ୍କ ଉପରେ ପ୍ରଭାବ ପଡ଼ିବନି

ଲୁସାନେ: ଦକ୍ଷିଣ ଆଫ୍ରିକାର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ ଧାବିକା କାଷ୍ଟର ସିମେନ୍ୟାଙ୍କୁ ବୁଧବାର ଶକ୍ତ ଝଟ୍‌କା ଲାଗିଛି। ପୁରୁଷ ହରମୋନ୍‌ ବା ଟେଷ୍ଟୋଷ୍ଟେରନ୍‌ର ମାତ୍ରାକୁ ନେଇ ସେ ଲଢ଼ି ଆସୁଥିବା ଲମ୍ବା ଲଢ଼େଇରେ ଏକ ବଡ଼ ପରାଜୟ ବରଣ କରିଛନ୍ତି। ୪୦୦ ମିଟରରୁ ୧୫୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରୁଥିବା ମହିଳା ଧାବିକାଙ୍କ ଶରୀରରେ ପୁରୁଷ ହରମୋନ୍‌ ମାତ୍ରା ଅଧିକ ଥିଲେ, ସେମାନେ ଚକିତ୍ସିତ ହୋଇ ଏହାକୁ ନିର୍ଦ୍ଧାରିତ ସ୍ତରକୁ ଆଣିବାକୁ ପଡ଼ିବ ବୋଲି ବିଶ୍ବ କ୍ରୀଡ଼ାର ସର୍ବୋଚ୍ଚ ଅଦାଲତ କାସ୍ (କୋର୍ଟ ଅଫ୍ ଆର୍ବିଟ୍ରେସନ୍) ଦେଇଥିବା ରାୟ ବିରୋଧରେ କରିଥିବା ଅପିଲକୁ ସିମେନ୍ୟା ହାରିଯାଇଛନ୍ତି। ସ୍ବିଜରଲାଣ୍ଡର ସଂଘୀୟ ଟ୍ରିବ୍ୟୁନାଲ (ଏସ୍‌ଏଫ୍‌ଟି) ତାଙ୍କ ଅପିଲକୁ ଖାରଜ କରି କାସ୍ ରାୟକୁ କାଏମ ରଖିଛି। ତେବେ ଆସନ୍ତାବର୍ଷର ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ୟୁରୋପ ଏବଂ ଘରୋଇ ଅଦାଲତରେ ସେ ତାଙ୍କ ଲଢ଼େଇ ଜାରି ରଖିବେ ବୋଲି ସିମେନ୍ୟା ସଙ୍କେତ ଦେଇଛନ୍ତି।

କାସ୍ ରାୟ ବିରୋଧରେ ସିମେନ୍ୟା ଗତବର୍ଷ ମେ’ ମାସରେ ଏସ୍‌ଏଫ୍‌ଟିର ଦ୍ବାରସ୍ଥ ହୋଇଥିଲେ। ତେବେ ଟ୍ରିବ୍ୟୁନାଲ ହୃଦୟଙ୍ଗମ କରିଥିଲା ଯେ ଭେଷଜ ଚିକିତ୍ସା କିମ୍ବା ଅସ୍ତ୍ରୋପଚାର କରି ମହିଳା ଧାବିକାଙ୍କ ଶରୀରରୁ ପୁରୁଷ ହରମୋନ୍‌ ମାତ୍ରା କମାଇବା ସ୍ବିଜରଲାଣ୍ଡର ରାଷ୍ଟ୍ରୀୟ ନିୟମକୁ ଉଲ୍ଲଂଘନ କରୁନାହିଁ। ଏସ୍‌ଏଫ୍‌ଟିର ଏହି ନିଷ୍ପତ୍ତି ପରେ ସିମେନ୍ୟା ଟୋକିଓ ଅଲିମ୍ପିକ୍ସରେ ନିଜ ପ୍ରିୟ ୮୦୦ ମିଟର ବର୍ଗରେ ଅଂଶଗ୍ରହଣ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶେଷଜ୍ଞଙ୍କ ମତରେ କୌଣସି ଧାବିକାଙ୍କ ଶରୀରରେ ପୁରୁଷ ହର୍ମୋନର ମାତ୍ରା ଅଧିକ ଥିଲେ ଏହା ତାଙ୍କ ଶକ୍ତି, ମାଂସପେଶୀ ଓ ରକ୍ତରେ ହିମୋଗ୍ଲୋବିନର ମାତ୍ରାକୁ ବଢ଼ାଇ ଦେଇଥାଏ। ଫଳରେ ସାଧାରଣ ମହିଳା ଖେଳାଳିଙ୍କ ତୁଳନାରେ ସେମାନେ ଅହେତୁକ ଲାଭରେ ରହି ଥାଆନ୍ତି। ଏସ୍ଏଫ୍‌ଟି ତାଙ୍କ ଅପିଲକୁ ଖ‌ାରଜ କରିବା ପରେ ହତାଶ ସିମେନ୍ୟା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମୋ ପାଇଁ ନିଶ୍ଚିତ ଭାବେ ଏହା ନୈରାଶ୍ୟଜନକ ଖବର। ଏଭଳି ରାୟ ଆସିବ ବୋଲି ମୁଁ ଆଶା କରିନଥିଲି। ହେଲେ ବିଶ୍ବ ଦୌଡ଼କୁଦ ମୋତେ କୌଣସି ଔଷଧ ଖୁଆଇଲେ, ମୁଁ ସିଧା ମନା କରିବି। ମୁଁ ଯେମିତି ଅଛି, ସେମିତି ରହିବାକୁ ଚାହୁଛି। ଜଣକର ପ୍ରାକୃତିକ ଶରୀରକୁ ବଦଳାଇବାକୁ ଚେଷ୍ଟା କରିବା ବିଶ୍ବ ଦୌଡ଼କୁଦକୁ ନିଶ୍ଚିତ ଭାବେ ଇତିହାସର ଭୁଲ ପାର୍ଶ୍ବରେ ରଖିବ। ଆମେ ଯେଭଳି ଭାବେ ଜନ୍ମ ଗ୍ରହଣ କରି‌ଛେ, ସେଭଳି ଭାବେ ଦୌଡ଼ିବାର ସୁଯୋଗ ନପାଇବା ପର୍ଯ୍ୟନ୍ତ ମୁଁ ମହିଳା ଆଥଲେଟଙ୍କ ମାନବୀୟ ଅଧିକାରର ଲଢ଼େଇ ଉଭୟ ଟ୍ରାକ୍ ଭିତରେ ଓ ବାହାରେ ଜାରି ରଖିବି। ସେପଟେ ବିଶ୍ବ ଦୌଡ଼କୁଦ ଏସ୍‌ଟିଏଫ୍‌ର ରାୟକୁ ସ୍ବାଗତ କରିଛି। ଏହି ରାୟ ପରେ ସବୁ ଖେଳାଳିଙ୍କୁ ସମାନ ସୁଯୋଗ ମିଳିବ ବୋଲି ମହାସଂଘ ଆଶା ପ୍ରକାଶ କରିଛି।

SheThePeople

”ଏହି ଲମ୍ବା ଲଢ଼େଇ ଭିତରେ ବିଶ୍ବ ଦୌଡ଼କୁଦ ସବୁବେଳେ କହିଆସିଛି ଯେ ତାହାର ନୀତି ଓ ନିୟମ ଆଇନସମ୍ମତ। ସବୁ ମହିଳା ଆଥଲେଟ୍‌ଙ୍କୁ ସମାନ ସ୍ତର ଓ ସୁଯୋଗ ମିଳୁ ବୋଲି ଆମେ ଚାହୁଛୁ। ଏସ୍‌ଟିଏଫ୍ ରାୟ ଆମକୁ ଖୁସୀ ଦେଇଛି” ବୋଲି ବିଶ୍ବ ଦୌଡ଼କୁଦ ବୁଧବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି। ସିମେନ୍ୟାଙ୍କ ଓକିଲ ଗ୍ରେଗ୍ ନଟ୍ ତାଙ୍କ ପାଇଁ ଆଦୌ ରାସ୍ତା ବନ୍ଦ ହୋଇ ଯାଇନି ବୋଲି ଯୁକ୍ତି କରିଛନ୍ତି। ”ଏହି ଧକ୍କା ସିମେନ୍ୟାଙ୍କ କାହାଣୀର ଅନ୍ତିମ ଅଧ୍ୟାୟ ନୁହେଁ। ଆମେ ଏହି ରାୟକୁ ପଢ଼ୁଛୁ। ୟୁରୋପୀୟ ଏବଂ ଘରୋଇ ଆଦାଲତରେ ଏହା ବିରୋଧରେ ଲଢ଼ିବାର ବିକଳ୍ପ ଆମ ପାଖରେ ରହିଛି” ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ସିମେନ୍ୟା ୨୦୧୨ ଲଣ୍ଡନ ଏବଂ ୨୦୧୬ ରିଓ ଅଲିମ୍ପିକ୍ସର ୮୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବିଶ୍ବ ଚାମ୍ପିଅନସିପ୍‌ରେ ତିନିଟି ସ୍ବର୍ଣ୍ଣ ସହ ଆଫ୍ରିକାନ୍ ଚାମ୍ପିଅନସିପର ୪୦୦, ୮୦୦ ଓ ୧୫୦୦ ମିଟରରେ ୬ ସ୍ବର୍ଣ୍ଣ ଜିତିଥିଲେ। ସେ ମଧ୍ୟ ୨୦୧୮ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଭୟ ୮୦୦ ଓ ୧୫୦୦ ମିଟରର ପ୍ରଥମ ସ୍ଥାନରେ ରହିଥିଲେ।

ଦୂତିଙ୍କ ଉପରେ ପ୍ରଭାବ ପଡ଼ିବନି
ପୁରୁଷ ହରମୋନ୍‌କୁ ନେଇ ଦୌଡ଼ରାଣୀ ଦୂତି ଚାନ୍ଦ ମଧ୍ୟ ଢେର ଚର୍ଚାରେ ରହିଥିଲେ। ଦେଶର ଦ୍ରୁତତମ ଧାବିକା ହେବା ପୂର୍ବରୁ ତାଙ୍କୁ ଏଥିଲାଗି ବହୁ ଦୁଃଖକଷ୍ଟ ଦେଇ ଗତି କରିବାକୁ ପଡ଼ିଥିଲା। ଏହାକୁ ଏକ କାରଣ ଦର୍ଶାଇ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରୁ ଦୂତିଙ୍କୁ ଅନ୍ତିମ କ୍ଷଣରେ ବାଦ୍ ଦିଆଯାଇଥିଲା। ଏପରିକି ସର୍ବଭାରତୀୟ ଦୌଡ଼କୁଦ ମହାସଂଘ ଓ ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ (ଏବେ ବିଶ୍ବ ଦୌଡ଼କୁଦ ଭାବେ ପରିଚିତ) ତାଙ୍କୁ ବିନା ଦୋଷରେ ବାସନ୍ଦ କରିଥିଲେ। ଦୂତି କିନ୍ତୁ ହାର ମାନିନଥିଲେ। ଅନ୍ତର୍ଜାତୀୟ ସଂଘର ପୁରୁଷ ହରମୋନ୍‌ ନିୟମ ବିରୋଧରେ ସେ କାସ୍‌ର ଦ୍ବାରସ୍ଥ ହୋଇଥି‌ଲେ। ପୁରୁଷ ହରମୋନ୍‌ ୧୦୦ କିମ୍ବା ୨୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରୁଥିବା ଧାବିକାଙ୍କ ଶକ୍ତି କିମ୍ବା ସାମର୍ଥ୍ୟ ବଢ଼ାଉ ନଥିବା ବିଶେଷଜ୍ଞମାନେ ମତ ଦେବା ପରେ ଏକ ଐତିହାସିକ ରାୟରେ କାସ୍ ଦୂତିଙ୍କ ଉପରୁ ସମସ୍ତ ପ୍ରତିବନ୍ଧକ ଉଠାଇ ଦେଇଥିଲା। ଏହି ନିୟମ ମଧ୍ୟ ସବୁଦିନ ପାଇଁ ବଦଳି ଯାଇଥିଲା। ଦୂତି ମଧ୍ୟ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ। ଶରୀରରେ ପୁରୁଷ ହରମୋନ୍‌ର ମାତ୍ରା ଅଧିକ ଥିବାରୁ ଟ୍ରାକ୍‌କୁ ନ ଓହ୍ଲାଇପାରିବାର ଭୟ ତାଙ୍କ ମନରୁ ସବୁ ଦିନ ଦୂର ହୋଇ ଯାଇଥିଲା। ତେବେ ସେହି ପୁରୁ‌ଷ ହରମୋନ୍‌ କଥା ପୁଣି ଥରେ ଉଠିବା ପରେ ଦୂତିଙ୍କ ପ୍ରଶଂସକଙ୍କ ମନରେ ପୁଣି ଥରେ ଛନକା ପଶିଛି। ତେବେ ମଙ୍ଗଳବାରର ଏସ୍‌ଟିଏଫ୍ ରାୟ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କାରଣ ଏହି ରାୟ କେବଳ ୪୦୦ ମିଟର କିମ୍ବା ତା’ଠାରୁ ଅଧିକ ଦୂରତା ଦୌଡ଼ୁଥିବା ଧାବିକାଙ୍କ ପାଇଁ ଉଦ୍ଦିଷ୍ଟ।

ସମ୍ବନ୍ଧିତ ଖବର