ଭୁବନେଶ୍ବର: ପୂର୍ବତନ ଭାରତୀୟ ଫୁଟ୍‌ବଲର୍‌ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଜାତୀୟ ଦଳର ବିଭିନ୍ନ କାର୍ଯ୍ୟକୁ ସଫଳତାର ସହ ଶେଷ କରି ପ୍ରାୟ ୫ ମାସ ପ‌ରେ ଓଡ଼ିଶା ଫେରିଛନ୍ତି। ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳର ପ୍ରଶିକ୍ଷକ ଭାବେ ୪ ମାସ ରହିବା ପରେ ‌ଭାରତୀୟ ମହିଳା ଲିଗ୍‌ (ଆଇଡବ୍ଲୁଏଲ୍‌)ରେ ଚୟନକର୍ତ୍ତା ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କ ପ୍ରଦର୍ଶନକୁ ତର୍ଜମା କରିଥିଲେ। ଆଇଡବ୍ଲୁଏଲ୍‌ ଶେ‌ଷ ହେବା ପରେ ସେ ଅହମଦାବାଦରୁ ଭୁବନେଶ୍ବର ଫେରିଛନ୍ତି। ୨୦୨୪ ପ୍ୟାରିସ ଅଲିମ୍ପିକ୍‌ କ୍ବାଲିଫାୟାର ରାଉଣ୍ଡ-୨ ପାଇଁ ଜାତୀୟ ଦଳ ଘୋଷଣା ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କ ମତାମତ ନିଆଯିବ। ତାଙ୍କ ପ୍ରଶିକ୍ଷଣରେ ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳ ବାଂଲାଦେଶ ଓ କିର୍ଗିଜସ୍ତାନରେ ଭଲ ପ୍ରଦର୍ଶନ କରିଥିଲା। ସେ ଭୁବନେଶ୍ବରସ୍ଥିତ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପ୍ରତିନିଧି ଓ କ୍ରୀଡ଼ାପ୍ରେମୀ ପାଛୋଟି ଆଣିଥିଲେ। ଏହି ଲମ୍ବା ସମୟର ସଫଳତା ପରେ ଶ୍ରଦ୍ଧାଞ୍ଜଳି ଏଥି ପାଇଁ ଏଆଇଏଫଏଫ, ଫାଓ, ନିଯୁକ୍ତିଦାତା ନାଲକୋ ସହିତ କ୍ରୀଡ଼ା‌ ଓ ଯୁବସେବା ବିଭାଗ ନିକଟରେ ଚିର କୃତଜ୍ଞ ବୋଲି ଏହି କିଂବଦନ୍ତି ଫୁଟ୍‌ବଲ୍‌ର ପ୍ରକାଶ କରିଛନ୍ତି।