ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ସ୍ପିନ୍ କିଂବଦନ୍ତି ବିଶନ ସିଂହ ବେଦୀଙ୍କର ସୋମବାର ୭୭ ବର୍ଷ ବୟସରେ ଦେହାନ୍ତ ଘଟିଛି। ବିଗତ ଦୁଇ ବର୍ଷ ଧରି ଅସୁସ୍ଥ ଥିବା ବିଶନ ଏକାଧିକ ଅସ୍ତ୍ରୋପଚାର କରାଇଥିଲେ। ଗତ ମାସରେ ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଥିଲା। ପତ୍ନୀ ଅଞ୍ଜୁ, କନ୍ୟା ନେହା ଓ ପୁଅ ଅଙ୍ଗଦକୁ ସେ ଛାଡ଼ିଯାଇଛନ୍ତି। ତାଙ୍କ ପ୍ରଥମ ପତ୍ନୀ ଗ୍ଲେନିଥ୍‌ ମାଇଲ୍ସଙ୍କ ପୁଅ ଗାଭାସିନ୍ଦର ଓ ଗିଲିଣ୍ଡର୍‌ ମଧ୍ୟ ରହିଛନ୍ତି।

Advertisment

ବିଶ୍ବ କ୍ରିକେଟ୍‌ର ଅନ୍ୟତମ ମହାନ ସ୍ପିନର୍ ଭାବେ ପରିଚିତ ବିଶନ ସିଂହ ବେଦୀ ଭାରତ ପାଇଁ ସାଠିଏ-ସତୁରୀ ଦଶକରେ ୬୭ ଟେଷ୍ଟ୍‌ ଖେଳିଥିଲେ। ୨୮.୭୧ ହାରରେ ୨୬୬ ୱିକେଟ୍ ଅକ୍ତିଆର କରି ଅବସର ବେଳକୁ ସେ ଦେଶର ଅଗ୍ରଣୀ ୱିକେଟ୍ ଦଖଲକାରୀ ଥିଲେ। ମୋଟ ୧୪ ଥର ସେ ଟେଷ୍ଟ୍ କ୍ରିକେଟ୍‌ରେ ୫ ୱିକେଟ୍ ଏବଂ ଥରେ ମୋଟ ୧୦ ୱିକେଟ୍ ମଧ୍ୟ ଅକ୍ତିଆର କରିଥିଲେ। ଭାରତୀୟ କ୍ରିକେଟ୍‌ରେ ପ୍ରାଧାନ୍ୟ ବିସ୍ତାର କରିଥିବା ସ୍ପିନ୍‌ ଚତୁର୍ଦ୍ଧାମୂର୍ତ୍ତୀର ଅନ୍ୟତମ ଅଂଶୀଦାର ଥିଲେ। ଲେଗ୍‌ସ୍ପିନର୍ ଭଗବତ ଚନ୍ଦ୍ରଶେଖର, ଅଫସ୍ପିନର୍ ଏରାପଲ୍ଲୀ ପ୍ରସନ୍ନା, ଶ୍ରୀନିବାସନ ଭେଙ୍କଟରାଘବନଙ୍କ ସହ ମିଶି ସେ ଏହି ଖ୍ୟାତି ଅର୍ଜନ କରିଥିଲେ। ଭାରତୀୟ କ୍ରିକେଟ୍ ବାହାରେ ସେ ମଧ୍ୟ କାଉଣ୍ଟି ଚାମ୍ପିୟନସିପ୍ ଖେଳି ପ୍ରଥମ ଶ୍ରେଣୀରେ ୨୦.୮୯ ହାରରେ ୪୩୪ ୱିକେଟ୍ ଅକ୍ତିଆର କରିଥିଲେ। ଲମ୍ବା ସ୍ପେଲ୍ ବୋଲିଂ, ସୌନ୍ଦର୍ଯ୍ୟଭରା ବୋଲିଂ ଢଙ୍ଗ, ଠିକ୍ ଲେନ୍ଥ, ଗତି ଓ ବିବିଧତାରେ ସେ ଛ‌‌ା‌ଡ଼ି ଯାଇଥିଲେ ଅନନ୍ୟ ଉଦାହରଣ। ବେଦୀଙ୍କ ବୋଲିଂରେ ଏତେ କମ୍ ତ୍ରୁଟି ରହୁଥିଲା ଯେ ସେ ଅନ୍ୟମାନଙ୍କ ମଧ୍ୟରୁ ଅଧିକ ସଫଳ ଥିଲେ। ଏହା ମଧ୍ୟ ସଂଖ୍ୟାରେ ପ୍ରମାଣିତ ହୋଇଛି। ଟେଷ୍ଟ୍ କ୍ରିକେଟ୍‌ରେ ଅନ୍ୟୁନ ୨୦୦ ୱିକେଟ୍ ଅକ୍ତିଆର କରିଥିବା ୮୨ ଜଣଙ୍କ ମଧ୍ୟରୁ ମାତ୍ର ୩ ଜଣ (ଲାନ୍ସ ଗିବ୍ସ, ରିଚି ବେନ ଏବଂ ଡେରେକ୍‌ ଆଣ୍ଡରଉଡ୍‌)ଙ୍କଠାରୁ ଉନ୍ନତ ଇକୋନୋମି ରେଟ୍‌ (୨.୧୪) ରଖିଥିଲେ। ମୁଁ ଦେଖିଥିବା ଅନ୍ୟତମ ଉତ୍କୃଷ୍ଟ ବାମହାତୀ ସ୍ପିନର ହେଉଛନ୍ତି ବିଶନ ସିଂହ ବେଦୀ ବୋଲି କହିଛନ୍ତି ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର। ବେଦୀ ଓ ଗାଭାସ୍କର ମିଳିତ ଭାବେ ୪୪ ଟେଷ୍ଟ୍ ଖେଳିଥିଲେ।

ଭାରତକୁ ମୋଟ ୨୨ ଟେଷ୍ଟ୍ ମ୍ୟାଚ୍‌ରେ ନେତୃତ୍ବ ଦେଇଥିଲେ। ସେଥି ମଧ୍ୟରୁ ୬ଟି ଜିତିଥିବା‌ ବେଳେ ଏଥିରୁ ତିନିଟି ବିଦେଶ ମାଟିରେ ପାଇଥିଲେ। ୧୯୭୬ରେ ତ୍ରିନିଦାଦର ପୋର୍ଟ ଅଫ୍‌ ସ୍ପେନ୍‌ରେ ଭାରତ ୪୦୩ ରନ୍‌କୁ ପଶ୍ଚାତଧାବନ କରି ରେକର୍ଡ କରିଥିବା ବେଳେ ୨୦୦୩ ମସିହା ପର୍ଯ୍ୟନ୍ତ ଏହା ଅତୁଟ ଥିଲା। ବେଦୀ ଏହ‌ି ଦଳର ଅଧିନାୟକ ଥିଲେ। ଘରୋଇ କ୍ରିକେଟ୍‌ରେ ସେ ଦିଲ୍ଲୀର ନେତୃତ୍ବ ନେଇ ୪ ଥର ଫାଇନାଲ୍ ଖେଳିଥିଲେ। ୧୯୭୮-୭୯ରେ ଦିଲ୍ଲୀ ଗୁଣ୍ଡାପ୍ପା ବିଶ୍ବନାଥଙ୍କ କର୍ଣ୍ଣାଟକକୁ ଏବଂ ପରବର୍ତ୍ତୀ ବର୍ଷ ସୁନିଲ ଗାଭାସ୍କରଙ୍କ ମୁମ୍ବାଇକୁ ପରାସ୍ତ କରିଥିଲା। ତୃତୀୟ ଥର ରଣଜୀ ଟ୍ରଫି ଜିତିଥିଲେ ପ୍ରଶିକ୍ଷକ ଭାବେ। ୧୯୯୨-୯୩ରେ ପଞ୍ଜାବର ପ୍ରଶିକ୍ଷକ ଥିବା ବେଳେ ସେ ବର୍ଷ ତାଙ୍କ ଦଳ ଫାଇନାଲ୍‌ରେ ମହାରାଷ୍ଟ୍ରକୁ ୧୨୦ ରନ୍‌ରେ ହରାଇଥିଲା। ଜଣେ ସାହସୀ ଓ ସ୍ପଷ୍ଟବାଦୀ ଭାବେ ବିଶନ ସିଂ ବେଦୀ ମଧ୍ୟ ଅନେକ ଥର ବିବାଦରେ ରହିଥିଲେ। ୧୯୭୬ ସାବିନା ପାର୍କ ଟେଷ୍ଟ୍‌ର ଅସମତୁଲ ପିଚ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌ ‌ପେସ୍‌ ବୋଲରଙ୍କ ଘାତକ ବୋଲିଂ ବିରୋଧରେ ୩୦୬/୬ରେ ପାଳି ଘୋଷଣା ଏବଂ ଏହାର ୨ ବର୍ଷ ପରେ ପାକିସ୍ତାନୀ ବୋଲରଙ୍କ ମାତ୍ରାଧିକ ବାଉଁସର୍ ବ୍ୟବହାରକୁ ବିରୋଧ କରି ଦିନିକିଆ ମ୍ୟାଚ୍‌ରୁ ଓହରିଯିବା ଘଟଣା ଚର୍ଚ୍ଚାରେ ରହିଥିଲା। ୧୯୭୭ରେ ଚେନ୍ନାଇ ଟେଷ୍ଟ୍‌ରେ ଇଂଲଣ୍ଡ ଦ୍ରୁତ ବୋଲର ରଡ୍ ଲେଭର ବଲ୍‌ରେ ଭେସଲିନ୍‌ ବ୍ୟବହାର କରୁଥିବାରୁ ସେ ମଧ୍ୟ କଡ଼ା ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ଫିଙ୍ଗରସ୍ପିନର୍‌ଙ୍କ ଦୁସରା ବୋଲିଂ, ମଙ୍କିଗେଟ୍ ବିବାଦରେ ଭାରତର ଓହରିଯିବା ଧମକକୁ ବିରୋଧ କରି ଚର୍ଚ୍ଚାରେ ରହିଥିଲେ। ୨୦୨୦ ମସିହା‌ରେ ଫିରୋଜ ସାହା କୋଟଲା ଷ୍ଟାଡିୟମ୍‌କୁ ଏକ ରାଜନୈତିକ ବ୍ୟକ୍ତିଙ୍କ ନାମରେ (ଅରୁଣ ଜେଟଲୀ) ନାମିତ କରାଯିବାରୁ ତାଙ୍କ ଡିଡିସିଏ ସଦସ୍ୟତା ଏବଂ ତାଙ୍କ ନାମରେ ଥିବା ଷ୍ଟାଣ୍ଡ୍‌କୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ।
ଖେଳାଳି ଗଢ଼ିବାରେ ମଧ୍ୟ ବିଶନ ସିଂହ ବେଦୀଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା। ତାଙ୍କଠାରୁ ସ୍ପିନ କଳା ଶିଖି ମନିନ୍ଦର ସିଂହ, ମୁରଲୀ କାର୍ତ୍ତିକ, ସୁନିଲ ଯୋଶୀଙ୍କ ଅଗ୍ରଗତି ପାଇଥିଲେ। ଏପରିକି ବିରାଟ‌ କୋହଲିଙ୍କୁ ମଧ୍ୟ ସେ ଫିଟନେସ୍‌ ମନ୍ତ୍ର ଦେଇଥିଲେ। ୨୦୧୭ରେ କୋହଲି ଡିଡିସିଏ ପୁରସ୍କାର ନେବା ବେଳେ କହିଥିଲେ ‘୧୫, ୧୭ ଓ ୧୯ ବୟସ ବର୍ଗରେ ଖେଳୁଥିବା ବେଳେ ଫିଟନେସ୍‌ର ଗୁରୁତ୍ବ ବିଶନ ସିଂହ ବେଦୀ ହିଁ ବୁଝାଇଥିଲେ। ଆମକୁ ଜୋରଦାର ଅଭ୍ୟାସ କରାଉଥିଲେ, ଯାହାର ମୂଲ୍ୟ ଏବେ ମିଳୁଛି’।

ଅନ୍ତ୍ୟେଷ୍ଟିରେ କପିଳ,‌‌ ସେହବାଗ, ନେହେରା, ଆଜାଦ
ମଙ୍ଗଳବାର ଦିଲ୍ଲୀରେ ବିଶନ ସିଂହ ବେଦୀଙ୍କ ଅନ୍ତ୍ୟେଷ୍ଟି ‌ସମ୍ପନ୍ନ ହୋଇଛି। ବିଶ୍ବକପ୍‌ ବିଜୟୀ ଅଧିନାୟକ କପିଳ ଦେବଙ୍କ ସହିତ ମଦନ ଲାଲ, ବୀରେନ୍ଦ୍ର ସେହବାଗ, କୀର୍ତ୍ତି ଆଜାଦ, ଆଶିଷ ନେହେରା, ଅଜୟ ଜାଡ଼େଜା, ମୁରଲୀ କାର୍ତ୍ତିକ ପ୍ରମୁଖ ଏହି ‘ସର୍ଦାର ଅଫ୍ ସ୍ପିନ୍‌’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମନସୁର ଅଲୀ ଖାନ୍ ପଟୌଦୀଙ୍କ ପରେ ଭାରତୀୟ ଦଳର ନେତୃତ୍ବ ନେଇଥିବା‌ ବିଶନ ସିଂହ ବେଦୀ ଭାରତୀୟ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ ଆଦରଣୀୟ ବ୍ୟକ୍ତି ଥିଲେ।