ନୂଆଦିଲ୍ଲୀ: ପ୍ରତି କ୍ରିକେଟର୍ଙ୍କ ଜୀବନରେ ଉତ୍ଥାନ ପତନ ଥାଏ। ଖେଳ ଜୀବନରେ ସେଭଳି ସଂଘର୍ଷମୟ ପରିସ୍ଥିତିର ବି ସମ୍ମୁଖୀନ ହୋଇଥିଲେ ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର। ୨୦୦୭ ମସିହାର ଦିନିକିଆା ବିଶ୍ବକପ୍ ବିପର୍ଯ୍ୟୟ ପରେ ସଚିନ ମାନସିକ ଭାବେ ପ୍ରବଳ ଚାପଗ୍ରସ୍ତ ହୋଇଥିଲେ। ଏପରିକି ଅବସର ନେବାକୁ ସମ୍ପୂର୍ଣ୍ଣ ମନସ୍ଥ କରିସାରିଥିଲେ। କିଛି ଦିନ ଭିତରେ ଏମିତି କିଛି ଘଟିଥିଲା ଯାହା ସଚିନଙ୍କ ମାନସିକତାକୁ ବଦଳାଇ ଦେଇଥିଲା, ସେ ଏତେ ଦୃଢ଼ମନା ହୋଇଯାଇଥିଲେ ଯେ ପରବର୍ତୀ ୬ ବର୍ଷ ଭଲରେ ଭାରତୀୟ ଦଳରୁ ଖେଳିବାର ସୌଭାଗ୍ୟ ଅର୍ଜନ କରିଥିଲେ। ସଚିନଙ୍କ ଆତ୍ମବିଶ୍ବାସ ଫେରାଇ ଆଣିବାରେ କିଛି ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଅବଦାନ ରହିଥିଲା। ସଚିନପ୍ରେମୀମାନେ ଜାଣିଛନ୍ତି, ଏପରିକି ସଚିନ ବି ଅତୀତରେ କେତେଥର କହିଛନ୍ତି, ତାଙ୍କ ବଡ଼ ଭାଇ ଅଜିତ ହିଁ ନିର୍ଣ୍ଣାୟକ ପରାମର୍ଶ ଦେଇଥିଲେ ଅବସର ନିଷ୍ପତ୍ତିରୁ ଓହରିଯିବାକୁ। ୨୦୧୯ ମସିହାରେ କିନ୍ତୁ ଏହି ବ୍ୟାଟିଂ ମାଷ୍ଟର୍ ଆଉ ଜଣେ ମହାନ କ୍ରିକେଟରଙ୍କ ପ୍ରଭାବୀ ପରାମର୍ଶ କଥା ସ୍ବୀକାର କରିଥିଲେ। ସେ ହେଉଛନ୍ତି ମହାନ୍ ୱେଷ୍ଟଇଣ୍ଡିଆନ୍ ଅଲ୍ରାଉଣ୍ଡର୍ ଭିଭିଆନ୍ ରିଚାର୍ଡସ। ‘କାରବୀୟ କ୍ରିକେଟ୍: ଦ ଭିଣ୍ଟେଜ୍ କଲେକ୍ସନ୍’ ନିଜ ଟ୍ବିଟର୍ ପୃଷ୍ଠାରେ ଏହା ଉଲ୍ଲେଖ କରିଛି।
ସଚିନ ସେତେବେଳେ ୨୦୦୭ ମସିହାକୁ ତାଙ୍କ ଖେଳ ଜୀବନର ସବୁଠୁ ଖରାପ ସମୟ ଭାବେ ଅଭିହିତ କରିଥିଲେ। ‘ମୁଁ ଅନୁଭବ କରିଥିଲି ସେଦିନ ଆସିଗଲା। ସେ ସମୟରେ ଭାରତୀୟ କ୍ରିକେଟ୍ରେ ଅନେକ କିଛି ଘଟୁଥିଲା ଯାହା ସୁସ୍ଥ ପରମ୍ପରା ନଥିଲା। ଆମକୁ କିଛି ପରିବର୍ତନର ଆବଶ୍ୟକତା ଥିଲା। ଅନୁଭବ କରିଥିଲି ଯଦି ସେଭଳି ପରିବର୍ତନ ନହୁଏ ତେବେ ମୁଁ କ୍ରିକେଟ୍ ଛାଡ଼ିଦେବି। ମୁଁ ପ୍ରାୟ ୯୦ ପ୍ରତିଶତ ନିଶ୍ଚିତ ଥିଲି କ୍ରିକେଟ୍ ଛାଡିଦେବାକୁ ଯାଉଛି। ବଡ଼ ଭାଇ ଅଜିତ କିନ୍ତୁ କହିଥିଲେ ୨୦୧୧ ବିଶ୍ବକପ୍ ଫାଇନାଲ୍ ମୁମ୍ବାଇରେ ଖେଳାଯିବ। ସେହି ସୁନ୍ଦର ବିଶ୍ବକପ୍ ଟ୍ରଫିରେ ତୁମେ ହାତ ରଖିବାର ପରିକଳ୍ପନା କର। ଏହା ପରେ ମୁଁ ମୋ ଫାର୍ମ ହାଉସ୍କୁ ଚାଲିଯାଇଥିଲି। ସେଠାରେ ଥିବାବେଳେ ସାର୍ ଭିଭିଆନ୍ଙ୍କ ଟେଲିଫୋନ୍ କଲ୍ ପାଇଥିଲି। ଆମେ ପ୍ରାୟ ୪୫ ମିନିଟ୍ ଧରି ଗପିଥିଲୁ। ଏହା ହୃଦୟସ୍ପର୍ଶୀ ଥିଲା, କାରଣ ନିଜ ବ୍ୟାଟିଂ ଆଦର୍ଶ ଯେତେବେଳେ ଆପଣଙ୍କୁ ଫୋନ୍ କରିବେ ଏହା ଅନେକ କିଛି ଗୁରୁତ୍ବ ରଖିଥାଏ। ସେହି ମୁହୂର୍ତ ହିଁ ମୋତେ ବଦଳାଇ ଦେଇଥିଲା, ଏହା ପରଠାରୁ ମୁଁ କ୍ରମେ ଭଲ ଖେଳିବାରେ ଲାଗିଥିଲି।’’ ସଚିନ ୨୦୧୯ ମସିହାରେ ଯେଉଁ ଉତ୍ସବରେ ଏହା କହିଥିଲେ ସେଠାରେ ତାଙ୍କ ଆଦର୍ଶ ରିଚାର୍ଡସ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ସେ କହିଥିଲେ, ‘ମୁଁ ସବୁବେଳେ ଏହି ଛୋଟ ପିଲାଟି ଉପରେ ବିଶ୍ବାସ ରଖିଥାଏ’। ଭାରତୀୟ ବ୍ୟାଟିଂର ପିତାମହ ସୁନିଲ ଗାଭାସ୍କରଙ୍କ ବିପକ୍ଷରେ ବି ମୁଁ ଖେଳିଛି। ଏହା ପରେ ସଚିନ ଆସିଛନ୍ତି। ଏବେ ବିରାଟ କୋହଲି। କିନ୍ତୁ ସଚିନଙ୍କ ଭଳି ଜଣେ ଛୋଟିଆ ବ୍ୟକ୍ତି କିଭଳି ଏତେ ପ୍ରଭାବୀ ହୋଇପାରିଲେ ତାହା ନିଶ୍ଚିତ ମନମୁଗ୍ଧକର ବୋଲି ରିଚାର୍ଡସ ପ୍ରକାଶ କରିଥିଲେ। ୨୦୦୩ ଦିନିକିଆ ବିଶ୍ବକପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆ ନିକଟରୁ ପରାଜୟ ବରଣ କରିବାକୁ ମଧ୍ୟ ସଚିନ ନିଜ ଜୀବନର ଅନ୍ୟତମ ଅନୁତାପ ଭାବେ ଅଭିହିତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/54h654f65hf65fhfhs.jpg)