ମାସାଚ୍ୟୁସେଟ୍ସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍ଆଇଟି)ର ବୈଜ୍ଞାନିକମାନେ କ୍ଷୁଦ୍ରତମ ଜିଙ୍କ୍-ଏୟାର ବ୍ୟାଟେରି ବିକଶିତ କରି ବିରଳ ଗୌରବର ଅଧିକାରୀ ହୋଇଛନ୍ତି। ମାତ୍ର ୦.୧ ମିଲିମିଟର ଲମ୍ବା ଓ ୦.୦୦୨ ମିଲିମିଟର ଦୈର୍ଘ୍ୟ ବିଶିଷ୍ଟ କେଶ ଭଳି ଅତି ପତଳା ଏହି କ୍ଷୁଦ୍ର ବ୍ୟାଟେରିକୁ ଅନେକ ଉପାଦେୟ ରୋବଟ୍ରେ ବ୍ୟବହାର କରାଯାଇପାରିବ। କୋଷ ଆକାରର ରୋବଟ୍ ଜରିଆରେ ଶରୀରର ନିର୍ଦ୍ଦିଷ୍ଟ ଅଙ୍ଗରେ ଔଷଧ ପହଞ୍ଚାଇବାଠାରୁ ଆରମ୍ଭ କରି ଗ୍ୟାସ୍ ପାଇପ୍ଲାଇନ୍ରେ ଛିଦ୍ର ଚିହ୍ନଟ ଆଦି କାର୍ଯ୍ୟରେ ଏହି ବ୍ୟାଟେରି ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଏହି ବ୍ୟାଟେରି ବାୟୁରୁ ଅମ୍ଳଜାନ ଗ୍ରହଣ କରି ଜିଙ୍କ୍ ଧାତୁର ଜାରଣ ଦ୍ବାରା ୧ ଭୋଲ୍ଟ ଯାଏ ବିଦ୍ୟୁତ୍ ଶକ୍ତି ସୃଷ୍ଟି କରିପାରିବ।
ପାରମ୍ପରିକ ଭାବେ କ୍ଷୁଦ୍ର ରୋବଟ୍ଗୁଡ଼ିକ ସମ୍ମୁଖୀନ ହେଉଥିବା ଏକ ସାଧାରଣ ସମସ୍ୟା ହେଲା ସେଗୁଡ଼ିକୁ ଶକ୍ତି ଯୋଗାଣ। କ୍ଷୁଦ୍ର ରୋବଟ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣତଃ ବାହ୍ୟ ଆଲୋକରଶ୍ମି ବା ଲେଜର ଉତ୍ସ ଉପରେ ନିର୍ଭର କରିବାକୁ ପଡ଼େ, ଯାହା ସେମାନଙ୍କ ଗତିଶୀଳତା ଓ କ୍ରିୟାଶୀଳତାକୁ ସୀମିତ କରିଦେଇଥାଏ। ତେବେ ଏମ୍ଆଇଟି ବୈଜ୍ଞାନିକମାନଙ୍କ ଏହି କ୍ଷୁଦ୍ର ବ୍ୟାଟେରିର ଶକ୍ତି ଉତ୍ସକୁ ରୋବଟ୍ରେ ସିଧାସଳଖ ଖଞ୍ଜିଦେବା ଦ୍ବାରା ତାହା ସ୍ବାଧୀନ ତଥା ସ୍ବୟଂକ୍ରିୟ ଭାବରେ କାର୍ଯ୍ୟ କରିପାରିବ। ଏବେ ସଂପୃକ୍ତ ଗବେଷକମାନେ ଉକ୍ତ ବ୍ୟାଟେରିରେ ବିଭିନ୍ନ ରୋବଟୀୟ କାର୍ଯ୍ୟଦକ୍ଷତା ସଂଶ୍ଳିଷ୍ଟ କରିବାରେ ଲାଗିଛନ୍ତି, ଯାହାକୁ ବିଭିନ୍ନ ଉପକରଣରେ ଖଞ୍ଜିହେବ।
ଏହି ବ୍ୟାଟେରିର ବ୍ୟବହାର ବିଶେଷ କରି ରୋବୋଟିକ୍ ବାହୁ ଚଳାଉଥିବା ‘ଆକ୍ଚୁଏଟର୍’ ସମେତ ମେମୋରି ସଂରକ୍ଷଣ କରୁଥିବା ‘ମେମ୍ରିଷ୍ଟର୍’ ଓ ରାସାୟନିକ ପଦାର୍ଥ ଚିହ୍ନଟ କରୁଥିବା ‘ସେନ୍ସର’ ଆଦିରେ ହୋଇପାରିବ। ଭବିଷ୍ୟତରେ ଏହି ବ୍ୟାଟେରିଚାଳିତ କ୍ଷୁଦ୍ର ରୋବଟ୍ ମନୁଷ୍ୟ ଶରୀରରେ ଇନ୍ସୁଲିନ୍ ପହଞ୍ଚାଇବାର କାମ କରିପାରିବ। ସେହିପରି ଶିଳ୍ପ କ୍ଷେତ୍ରରେ ପରିବେଶ ପରିବର୍ତ୍ତନ ନିରୀକ୍ଷଣ ପାଇଁ ଉଦ୍ଦିଷ୍ଟ ସୂକ୍ଷ୍ମ ସରଞ୍ଜାମରେ ଏହି ବ୍ୟାଟେରି ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି।