ନୂଆଦିଲ୍ଲୀ: ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜିତ ହେବା ପରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ବିଜୟ ସ୍ବାଦ ଚାଖିଛି। ଅଧିନାୟକ ରୋହିତ ଶର୍ମାଙ୍କ ୬୫ ରନ୍‌ ସହାୟତାରେ ମୁମ୍ବାଇ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କିରିଥିବା ଦିଲ୍ଲୀ ଡେଭିଡ୍‌ ୱାର୍ଣ୍ଣର ଓ ଅକ୍ଷର ପଟେଲ୍‌ଙ୍କ ଅର୍ଦ୍ଧଶତକୀୟ ପାଳି ସହଯୋଗରେ ମୁମ୍ବାଇ ସମ୍ମୁଖରେ ୧୭୩ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ବେଳେ ରୋହିତଙ୍କ ଦଳ ଏହାକୁ ଶେଷ ବଲରୁ ୨ ରନ୍ ସଂଗ୍ରହ କରି ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା। ଶେଷ ଓଭରରୁ ଦଳକୁ ୫ ରନ୍ ଆବଶ୍ୟକ ଥିଲେ ମଧ୍ୟ ରୋହିତଙ୍କ ଦଳ ଶେଷ ବଲ୍ ପର୍ଯ୍ୟନ୍ତ ଖେଳିଥିଲା।

Advertisment

ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ ଟସ୍‌ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା। ପ୍ରଥମ ଥର ପାଇଁ ପୃଥ୍ବୀ ସ’ ଲୟକୁ ଫେରୁଥିବା ଭଳି ଆରମ୍ଭରୁ ମନେ ହେଉଥିଲା। କିନ୍ତୁ ହ୍ରିତିକ ସୋକିନ୍‌ଙ୍କୁ ସୁଇପ୍‌ ମାରିବାକୁ ଯାଉଥିଲା ବେଳେ ବ୍ୟାକୱାର୍ଡ ସ୍କୋୟାର ଲେଗ୍‌ରେ କାମେରନ୍‌ ଗ୍ରିନ୍‌ଙ୍କ ହାତରେ ଧରାପଡ଼ିଥିଲେ। ଡେଭିଡ୍‌ ୱାର୍ଣ୍ଣରଙ୍କ ସହ ମନୀଷ ପାଣ୍ଡେ କିଛି ସମୟ ପାଇଁ ପାଳି ସମ୍ଭାଳି ଦ୍ବିତୀୟ ୱିକେଟ୍‌ରେ ୪୩ ରନ୍ ଯୋଡ଼ିଥିଲେ। ୱାର୍ଣ୍ଣର ଗୋଟିଏ ପଟରୁ ପାଳି ସମ୍ଭାଳିଥିଲେ ମଧ୍ୟ ୟାଶ ଧୂଲ, ରୋଭମନ ପାୱେଲ, ଲଳିତ ଯାଦବ ଜଣକ ପରେ ଜଣେ ପ୍ୟାଭିଲିୟନ୍‌ ଫେରି ଯାଇଥିଲେ। ଅକ୍ଷର ପଟେଲ୍‌ କିନ୍ତୁ ଦିଲ୍ଲୀ ପାଳିକୁ ସଜାଡ଼ିବା ସହ ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ୱାର୍ଣ୍ଣର ୫୧ ରନ୍‌ କରି ବ୍ୟାଟିଂ କରୁଥିଲା ବେଳେ ଅକ୍ଷର ଚୌକା, ଛକାର ବର୍ଷା କରି ମାତ୍ର ୨୨ ବଲ୍‌ରୁ ଚଳିତ ଆଇପିଏଲ୍‌ରେ ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରିଥିଲେ। କିନ୍ତୁ ୧୯ତମ ଓଭରରେ ଅକ୍ଷରଙ୍କ ସହ ୱାର୍ଣ୍ଣର, କୁଲଦୀପ ଯାଦବ (ରନ୍‌ଆଉଟ୍‌) ଓ ଅଭିଷେକ ପୋରେଲ୍‌ ଆଉଟ୍‌ ହୋଇଯିବାରୁ ଦଳର ରନ୍‌ ଗତି ପୂର୍ବାପେକ୍ଷା ଧିମା ହୋଇଥିଲା। ଏପରିକି ଧାର୍ଯ୍ୟ ଓଭରର ଦୁଇଟି ବଲ୍‌ ପୂର୍ବରୁ ଦିଲ୍ଲୀ ସମସ୍ତ ୱିକେଟ୍‌ ହରାଇଥିଲା। ୱାର୍ଣ୍ଣରଙ୍କ ଦଳ ଏହାର ଶେଷ ୫ ୱିକେଟ୍‌କୁ ୭ ରନ୍‌ ଭିତରେ ହରାଇ ୨ ବଲ୍ ପୂର୍ବରୁ ଅଲଆଉଟ୍ ହୋଇଯାଇଥିଲା।

୧୭୩ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଆସିଥିବା ରୋହିତ ଶର୍ମା ଓ ଈଶାନ କିଶନଙ୍କ ଯୋଡ଼ି ବିସ୍ଫୋରକ ଆରମ୍ଭ କରିବା ସହ ପାୱାରପ୍ଲେ ଭିତରେ ୬୮ ରନ୍‌ ଉଠାଇଥିଲେ। କିନ୍ତୁ ଅଷ୍ଟମ ଓଭରରେ ଏକ ଭୁଲ୍‌ ବୁଝାମଣାର ଶିକାର ହୋଇ ଈଶାନ ରନ୍‌ଆଉଟ୍‌ ହୋଇଯାଇଥିଲେ। ଭଲ ଲୟରେ ରହିଥିବା ତିଳକ ବର୍ମା ଦ୍ବିତୀୟ ୱିକେଟ୍‌ରେ ରୋହିତଙ୍କ ସହ ମିଶି ଦଳକୁ ଶତକ ପାର୍‌ କରାଇବା ସହ ବିଜୟ ନିକଟତର କରାଇଥିଲେ। କିନ୍ତୁ ୪୧ ରନ୍‌ କରି ଖେଳୁଥିଲା ବେଳେ ବଲ୍‌ ତାଙ୍କ ବ୍ୟାଟ୍‌ ଏଜ୍‌ ନେଇ ଡିପ୍‌ ମିଡ୍ ୱିକେଟ୍‌ରେ ମନୀଷ ପାଣ୍ଡେଙ୍କ ହାତରେ ଧରାପଡ଼ିଥିଲା। ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ନିରାଶ କରି ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ତେବେ ରୋହିତ ଆଉଟ୍ ହେବା ପରେ ଗ୍ରିନ୍‌ ଓ ଟିମ୍‌ ଡେଭିଡ୍‌ ଦଳକୁ ଶେଷ ଓଭରରେ ଜିତାଇଥିଲେ। ନର୍ଖିୟାଙ୍କ ଶେଷ ବଲ୍‌ରୁ ୨ ରନ୍ ଚୋରାଇ ଟିମ୍‌ ଡେଭିଡ୍‌ ମ୍ୟାଚ୍‌ ଶେଷ କରିଥିଲେ‌।