ଦୁବାଇରେ କୋହଲିଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

ଦୁବାଇ: ଦୁବାଇରେ ନୂଆ କରି ସ୍ଥାପିତ ‌ହୋଇଥିବା ମାଡାମ ତୁସାଡ୍ସ ସଂଗ୍ରହାଳୟରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆକର୍ଷଣୀୟ ମହମ ପ୍ରତିମୂର୍ତ୍ତି ବୁଧବାର ଉନ୍ମୋଚିତ ହୋଇଛି। ଏହି ସଂଗ୍ରହାଳୟରେ ଫୁଟବଲ୍‌ କିବଂଦନ୍ତି କ୍ରିଷ୍ଟିଆନୋ ରୋନାଲ୍‌ଡୋ, ଲିଓନେଲ ମେସି ଓ ଫର୍ମୁଲା ୱାନ୍ ଚାଳକ ଲୁଇସ୍ ହାମିଲଟନ୍‌ଙ୍କ ସହ ବହୁ ବିଶ୍ବପ୍ରସିଦ୍ଧ ସେଲିବ୍ରେଟି ଏବଂ ସଫଳ ତାରକାଙ୍କ ମହମ ପ୍ରତିମୂର୍ତ୍ତି ରହିଛି। ଏଭଳି ଏକ ସମ୍ମାନଜନକ କ୍ଲବ୍‌ରେ ସାମିଲ ହୋଇଥିବା କୋହଲିଙ୍କ ପ୍ରତିମୂର୍ତ୍ତୀ ଭାରତୀୟ ଦଳର ସୀମିତ ଓଭର ଜର୍ସି ଓ ଉପକରଣ ପିନ୍ଧିଥିବା ଦେଖିବାକୁ ମିଳୁଛି। ଏହା ପୂର୍ବରୁ ୨୦୧୯ ଏକଦିବସୀୟ ବିଶ୍ବକପ୍‌ର ଠିକ୍ ପୂର୍ବରୁ ଲଣ୍ଡନସ୍ଥିତ ମାଡାମ ତୁସାଡ୍ସର ମୁଖ୍ୟ ସଂଗ୍ରହାଳୟରେ ଅନୁରୂପ ଭାବେ କୋହଲିଙ୍କର ଏକ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଦୁବାଇର ମାଡାମ ତୁସାଡ୍ସ ସଂଗ୍ରହାଳୟରେ କୋହଲିଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେବାର ଫଟୋ ପଦାକୁ ଆସିବା ପରେ ତାଙ୍କ ପ୍ରଶଂସକ ଖୁସିରେ ପାଗଳ ହୋଇଯାଇଛନ୍ତି। ନିଜ ପ୍ରିୟ ତାରକା କୋହଲିଙ୍କ ପାଇଁ ସେମାନେ ଲକ୍ଷ ଲକ୍ଷ ଆବେଗଭରା ବାର୍ତ୍ତା ଲେଖିଛନ୍ତି। ଜଣେ ପ୍ରଶଂସକ ‌ଲେଖିଥିଲେ ଯେ ଏବେ ଦୁବାଇର ମାଡାମ ତୁସାଡ୍ସ ସଂଗ୍ରହାଳୟରେ କୋହଲିଙ୍କ ମହମ ପ୍ରତିମୂର୍ତ୍ତି, ବିଶ୍ବସ୍ତରୀୟ ମହାନାୟକ ହେବାର ଆଉ ଏକ କାରଣ। ଅନ୍ୟ ଜଣେ ପ୍ରଶଂସକ ଉଲ୍ଲେଖ କରିଥିଲେ ଯେ ତିନି ଜଣ ସର୍ବକାଳୀନ ଶ୍ରେଷ୍ଠ ତାରକା! ମା‌ଡାମ ତୁସାଡ୍ସ ସଂଗ୍ରହାଳୟରେ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ଲିଓନେଲ ମେସିଙ୍କ ମହମ ପ୍ରତିମୂର୍ତ୍ତି।

ସମ୍ବନ୍ଧିତ ଖବର