‘ମିଆଁ ଭାଇ’ଙ୍କ ଜୀବନରେ ଅପୂର୍ବ ମୋଡ଼, ମା’ଙ୍କ ଫୋନ୍ କଲ୍ ଦେଇଥିଲା ପ୍ରେରଣା

‘ଉଭୟ ପଟୁ ଚାପ ପ୍ରୟୋଗ କରି ସଫଳ ହେଲୁ’

ହାଇଦ୍ରାବାଦ: ବିରାଟ କୋହଲିଙ୍କ ଜନ୍ମଦିନ ଅବସରରେ ଏକ ବିଳାଶପୂର୍ଣ୍ଣ ପାଣି ଯାହାଜରେ ହାଇଦ୍ରାବାଦର ଲୋକପ୍ରିୟ ଓ ପ୍ରସିଦ୍ଧ ଗୀତ ‘ମିଆଁ ଭାଇ’ର ତାଳେତାଳେ ରାତି ସାରା ନାଚିଥିଲେ ମହମ୍ମଦ ସିରାଜ। ଚଳିତବର୍ଷର ଆଇପିଏଲ୍ ବେଳେ ଅନୁଷ୍ଠିତ ଏହି ପାର୍ଟି ପରେ ସିରାଜଙ୍କୁ ସାଥୀ ଖେଳାଳିମାନେ ‘ମିଆଁ ଭାଇ’ ସମ୍ବୋଧନ କରିବା ଆରମ୍ଭ କରି ଦେଇଥିଲେ। ଏହି ନାଁ ମଧ୍ୟ ତାଙ୍କୁ ବେଶ୍ ପସନ୍ଦ ଆସିଥିଲା। ପରବର୍ତ୍ତୀ ସମୟରେ ନିଜକୁ ‘ମିଆଁ ଭାଇ’ ସମ୍ବୋଧନ କରି ଆନନ୍ଦ ପାଉଥିଲେ ଏହି ହାଇଦ୍ରାବାଦୀ ହିରୋ। ଅଷ୍ଟ୍ରେଲିଆ ମାଟିରେ ଦେଇଥିବା ପ୍ରଦର୍ଶନ କିନ୍ତୁ ମିଆଁଭାଇଙ୍କ ଜୀବନକୁ ନୂଆ ମୋଡ଼ ଦେଇଛି। ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିନଥିଲେ ମଧ୍ୟ ସିରାଜଙ୍କର ଦୁଃଖ ନାହିଁ। ସେ କେବଳ ନିଜ ପିତା ମହମ୍ମଦ ଗଉସଙ୍କ ସ୍ବପ୍ନକୁ ନେଇ ଏକପ୍ରକାର ବଞ୍ଚୁଛନ୍ତି। ଏହାକୁ ସାକାର କରି ଆତ୍ମସନ୍ତୋଷ ପାଇବା ସହ ଅଜସ୍ର ପ୍ରଶସାଂ ବି ସାଉଣ୍ଟିଛନ୍ତି। ତାଙ୍କ ସଫଳତା ଦେଖିବାକୁ ପିତା ଜୀବିତ ନରହିବା କିନ୍ତୁ ସବୁବେଳେ ସିରାଜଙ୍କୁ ବ୍ୟଥିତ କରୁଛି। କେହି ମିଆଁ ଭାଇ ଡାକିଲେ କିନ୍ତୁ ସେ ଗର୍ବ ଅନୁଭବ କରନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ସିରାଜ ଭାରତୀୟ ବ‌ୋଲିଂର ନେତୃତ୍ବ ନେଇଥିଲେ। ବ୍ରିସବେନ୍‌ ଟେଷ୍ଟ୍‌ରେ ପାଞ୍ଚ ୱିକେଟ୍ ସଫଳତା ପାଇ ଭାରତୀୟ ଦ୍ରୁତ ବୋଲିଂର ଭବିଷ୍ୟତ ଯେ ଉଜ୍ଜ୍ବଳ ତାହା ପୁଣି ଥରେ ପ୍ରମାଣିତ କରିଥିଲେ ସିରାଜ। ପ୍ରତିକୂଳ ପରିସ୍ଥିତି ଏବଂ ଆହ୍ବାନପୂର୍ଣ୍ଣ ପିଚ୍‌ରେ କେମିତି ବୋଲିଂ କରିବାକୁ ହୁଏ, ତା’ର ବଳିଷ୍ଠ ଉଦାହରଣ ବି ସୃଷ୍ଟି କରିଥିଲେ ସେ। ନିଜ ନିଆରା ଏବଂ ଅଣପାରମ୍ପରିକ ବୋଲିଂ ଶୈଳୀ ବଳରେ ଯଶପ୍ରୀତ ବୁମ୍‌ରା ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳିବା ପୂର୍ବରୁ ହିଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ସିରାଜ କିନ୍ତୁ ଘରୋଇ କ୍ରିକେଟ୍‌ରେ ଦୀର୍ଘ ଅଭିଜ୍ଞତା କରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ଆସିଛନ୍ତି। ଯାହା ଏବେ ତାଙ୍କୁ ବେଶ୍ ସହାୟ ହେଉଛି। ଇନଷ୍ଟାଗ୍ରାମ ଚାଟ୍ ବେଳେ ପ୍ରଶଂସକ ତାଙ୍କୁ ଯେତେବେଳେ ସିରାଜ, ସିରାଜ କହି ଉତ୍ସାହିତ କରୁଥିଲେ, ସେ କିନ୍ତୁ ବଲିଉଡ୍ ଚଳଚ୍ଚିତ୍ର ଶୈଳୀରେ ‘ଅପୁନ କୋ ବୋଲତେ ମିଆଁ ଭାଇ’ କହି ନିଜର ପରିଚୟ ଦେଇଥିଲେ। ବ୍ରିସ୍‌ବେନରେ ଭାରତର ରୋମାଞ୍ଚକର ବିଜୟ ସହ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ଶୃଙ୍ଖଳା ବିଜୟ ସିରାଜଙ୍କୁ ଭାରତୀୟ ବୋଲିଂର ନୂଆ ନାୟକ ଉପାଧୀ ପ୍ରଦାନ କରିଛି।

ମା’ଙ୍କ ଫୋନ୍ କଲ୍ ଦେଇଥିଲା ପ୍ରେରଣା
ନଭେମ୍ବରରେ ପିତାଙ୍କୁ ହରାଇଥିବା ସିରାଜ ସିଡ୍‌ନି ପ୍ରଶଂସକଙ୍କ ଦ୍ବାରା ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଥିଲେ। ଅସହ୍ୟ ଦୁଃଖ, ଅଦିନିଆ ଚାପ ଓ ତୀବ୍ର ଅସନ୍ତୋଷରେ ଭରି ଯାଇଥିଲା ତାଙ୍କ ମନ। ବୋଲିଂ କରିବାରେ ଆଉ ମନ ଲାଗୁ ନଥିଲା। ହେଲେ ମା’ କରିଥିବା ଗୋଟିଏ ଫୋନ୍ କଲ୍ ହିଁ ସିରାଜଙ୍କ ଦୁନିଆକୁ ବଦଳାଇ ଦେଇଥିଲା। ବ୍ରିସବେନ୍‌ରେ ପାଞ୍ଚ ୱିକେଟ୍ ସଫଳତା ହାସଲ କରିବା ପରେ ସେହି କଥାକୁ ମନେ ପକାଇଥିଲେ ଏହି ହାଇଦ୍ରାବାଦୀ ବୋଲର। ‘‘ପାଞ୍ଚ ୱିକେଟ୍ ପାଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ପିତାଙ୍କ ପରଲୋକ ପର ସମୟ ‌ମୋ ପାଇଁ ବେଶ୍ ଆହ୍ବାନପୂର୍ଣ୍ଣ ରହିଥିଲା। ହେଲେ ମା’ଙ୍କ ସହ କଥା ହେବା ପରେ ମୁଁ ମୋ ଆତ୍ମବିଶ୍ବାସ ଫେରି ପାଇଥିଲି। ତାଙ୍କ ଫୋନ୍ କଲ୍ ମୋତେ ମାନସିକ ସ୍ତରରେ ଆହୁରି ସୁଦୃଢ଼ କରିଥିଲା। ପିତାଙ୍କ ସ୍ବପ୍ନ ପୂରଣ କରିବା ହିଁ ମୋ ଏକମାତ୍ର ଲକ୍ଷ୍ୟ ପାଲଟି ଯାଇଥିଲା। ମ‌ୋ ପିତାଙ୍କ ସ୍ବପ୍ନ ଥିଲା ମୁଁ ଭାରତ ପକ୍ଷରୁ ଖେଳେ। ଆଜି ଯଦି ସେ ବଞ୍ଚିଥା’ନ୍ତେ, ତାହାଲେ ବହୁତ ଖୁସୀ ହୋଇଥା’ନ୍ତେ। ହେଲେ ତାଙ୍କ ଆଶୀର୍ବାଦ ସବୁବେଳେ ମୋ ସହ ଅଛି ଓ ରହିବ ବୋଲି ମୁଁ ଜାଣିଛି। ମୋର ଏଭଳି ପ୍ରଦର୍ଶନ ମୋତେ ମଧ୍ୟ ବାକ୍‌ଶୂନ୍ୟ କରି ଦେଇଛି’’ ବୋଲି ସିରାଜ କହିଥିଲେ।

‘ଉଭୟ ପଟୁ ଚାପ ପ୍ରୟୋଗ କରି ସଫଳ ହେଲୁ’
ଅଷ୍ଟ୍ରେଲିଆରେ ସଫଳ ହେବାର ରହସ୍ୟ ନିକଟରେ ଦେଇଥିବା ଏକ ସାକ୍ଷାତକାର ଅବସରରେ ଉନ୍ମୋଚନ କରିଛନ୍ତି ସିରାଜ। ଭାରତ ଫେରି ସୋମବାର ଦେଇଥିବା ସାକ୍ଷାତକାରରେ ସିରାଜ କହିଛନ୍ତି ଯେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ଉଭୟ ପଟୁ ଚାପ ପ୍ରୟୋଗ କରି ଆମେ ସଫଳ ହେଲୁ। ବରିଷ୍ଠ ବୋଲରମାନଙ୍କୁ ହରାଇବା ପରେ ମୁଁ ଏବଂ ସାର୍ଦୁଳ ଠାକୁର ବ୍ରିସବେନ୍‌ରେ କିଛି ସମୟ ଏକାଠି କଟାଇ ଏହି ଯୋଜନା କରିଥିଲୁ। ବଡ଼ ଖେଳାଳି ଦଳରେ ନଥିବାରୁ ଆମେ ସମସ୍ତେ ଟିକିଏ ଚାପରେ ଥିଲୁ, ଏକଥା ମୋତେ ସ୍ବୀକାର କରିବାକୁ ପଡ଼ିବ। ଏହି ସଫଳତାର ଶ୍ରେୟ ମୁଁ ଆମ ପ୍ରଶିକ୍ଷକ ମଣ୍ଡଳି ଏବଂ ସହକାରୀ ଅଧିକାରୀଙ୍କୁ ଦେବି। ସେମାନେ ନିଜ ନିଜ କାମରେ ଏତେ ଭଲ ଯେ କିଛି ବି କରି ପାରିବେ। ଆମେ ନିୟମିତ ଭାବେ କଙ୍ଗାରୁ ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରି ଚାଲିଥିଲୁ ଏବଂ ସେମାନେ ନିଜ ନିଜ ୱିକେଟ୍ ଫିଙ୍ଗି ଚାଲିଥିଲେ।

ସମ୍ବନ୍ଧିତ ଖବର