ଭାରତୀୟ ତୀରନ୍ଦାଜୀ ସଂଘକୁ ମହଲତ, ନିଲମ୍ବନ ଧମକ

କୋଲକାତା: ଭାରତୀୟ ତୀରନ୍ଦାଜୀ ସଂଘ (ଏଏଆଇ)ରେ ଦେଖା ଦ‌େଇଥିବା ବିଭେଦ କାରଣରୁ ଏହ‌ାକୁ ତୀରନ୍ଦାଜୀର ବିଶ୍ବ ସଂଘ ଅଣ ତାଲିକାଭୁକ୍ତ କରିଛି। ଏଥି ସହିତ ମାସିକିଆ ମହଲତ ଦେଇ ନିଲମ୍ବନର ଧମକ ଦେଇଛି। ଜୁଲାଇ ୩୧ ତାରିଖ ମଧ୍ୟରେ ସବୁ ବିବାଦର ସମାଧାନ କରିବାକୁ ବିଶ୍ବ ସଂଘ କହିଛି। ବିବାଦୀୟ ନିର୍ବାଚନକୁ ନେଇ ଉଚ୍ଚତମ ନ୍ୟାୟାଳୟରେ ଲଢ଼େଇ ଚାଲିଥିବା‌ବେଳେ ଏହି ତାରିଖ ମଧ୍ୟରେ ସମାଧାନ ସୂତ୍ର ନ ବାହାରିଲେ ଏଏଆଇକୁ ନିଲମ୍ବିତ କରିଦିଆଯିବ ବୋଲି ବିଶ୍ବ ସଂଘର ମହାସଚିବ ଟମ୍ ଡାଏଲିନ୍‌ ଭାରତର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଏବଂ ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ନିରିନ୍ଦର ଧୃବ ବାତ୍ରାଙ୍କୁ ପତ୍ର ଲେଖି ସ୍ପଷ୍ଟ କରିଛନ୍ତି। ସେ ପର୍ଯ୍ୟନ୍ତ କିନ୍ତୁ ଭାରତୀୟ ତୀରନ୍ଦାଜ ମାନେ ଏଏଆଇ ପତାକା ସହିତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେଇପାରିବେ। ଜୁଲାଇ ମାସରେ ୩ଟି ପ୍ରତିଯୋଗିତା ବର୍ଲିନ ବିଶ୍ବକପ୍‌, ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ୍ ଏବଂ ମାଡ୍ରିଡ ବିଶ୍ବ ଯୁବ ତୀରନ୍ଦାଜୀ ପ୍ରତିଯୋଗିତା ରହିଛି। ସେ ପର୍ଯ୍ୟନ୍ତ ଭାରତୀୟ ଅଲିମ୍ପିକ ସଂଘ ଦ୍ବାରା ଗଠିତ ଏକ ଆଡହକ୍ ସମିତି ଦୁଇ ବିଭାଜିତ ସଂଘରୁ ଜଣଙ୍କୁ ନେଇ ଖେଳାଳି ଚୟନ ଦାୟିତ୍ବ ତୁଲାଇବେ। ସେହିଭଳି ଆଇଓଏ ସଦସ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ସମିତି ମଧ୍ୟ ଏକ ନିରପେକ୍ଷ ସ୍ଥାନରେ ନିର୍ବାଚନ କରାଇବ ବୋଲି ବିଶ୍ବ ସଂଘ ନିର୍ଦେଶ ଦେଇଛି।

ସମ୍ବନ୍ଧିତ ଖବର