ଆମା ଡାବ୍ଲାମ୍‌ ପର୍ବତ ଚଢ଼ିବେ ନୃସିଂହ

ଭୁବନେଶ୍ବର: ଓଡ଼ିଆ ପର୍ବତାରୋହୀ ନୃସିଂହ ଚରଣ ସାହୁ ଆମା ଡାବ୍ଲା‌ମ୍‌ ପର୍ବତ ଚଢ଼ିବା ଲାଗି ଶୁକ୍ରବାର ନେପାଳ ଗସ୍ତ କରିଛନ୍ତି। ‌ସେ ଆସନ୍ତା ୧୬ ତାରିଖରେ ମାଉଣ୍ଟ୍‌ କୁନ୍‌ ବେସ୍ କ୍ୟାମ୍ପ୍‌ରୁ ୬,୮୧୨ ମିଟର ବା ୨୨,୩୪୯ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପର୍ବତ ଆରୋହଣ ଲାଗି ଅଭିଯାନ ଆରମ୍ଭ କରିବେ। ଏହାକୁ ଶେଷ କରିବାକୁ ତାଙ୍କୁ ପାଖାପାଖି ୨୦-୨୫ ଦିନ ଲାଗିବ ବୋଲି ନୃସିଂହ କହିଛନ୍ତି। ଖୋର୍ଧା ଜିଲ୍ଲା ବାଲିପାଟଣା ନିଶ୍ଚିତପୁରରେ ଜନ୍ମିତ ନୃସିଂହ ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ। ପୂର୍ବରୁ ମଧ୍ୟ ସେ ଏଲ୍‌ବ୍ରସ (୫,୬୪୨ ମିଟର), କିଲିମାଜାରୋ (୫,୮୯୫ ମିଟର) ଏବଂ ଷ୍ଟକ୍‌ କାଙ୍ଗ୍ରୀ (୬,୧୫୩ ମିଟର) ପର୍ବତ ସଫଳତାର ଚଢ଼ି ସାରିଛନ୍ତି। ୭ ଥରର ଏଭରେଷ୍ଟ୍‌ ଆରୋହୀ ଫୁର୍ବା ଶେର୍ପାଙ୍କ ନେତୃତ୍ବରେ ନୃସିଂହ ଏହି ଅଭିଯାନ ଆରମ୍ଭ କରିବେ। ଏଥିଲାଗି ଶୁକ୍ରବାର ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ନିଜ ବାସଭବନରେ ନୃସିଂହଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଜାତୀୟ ପତାକା ଦେଖାଇ ତାଙ୍କ ଅଭିଯାନର ସାଫଲ୍ୟ କାମନା କରିଥିଲେ। ଏହି ଅବସରରେ ନୃସିଂହଙ୍କ ପିତା ହୃଦାନନ୍ଦ ସାହୁଙ୍କ ସହ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ନିଜ ପ୍ରୟାସରେ ମୋ ପୁଅ ଏଭଳି କାମ କରି ଦେଶ ଓ ରାଜ୍ୟର ନାମ ଆଗକୁ ନେଉଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ନୃସିଂହଙ୍କ ବାପା ହୃଦାନନ୍ଦ ସାହୁ।

ସମ୍ବନ୍ଧିତ ଖବର