ବେଙ୍ଗାଲୁର: ପତ୍ନୀଙ୍କୁ ମିଛ କହିବା ଓ ସତ ଲୁଚାଇବା ଅନେକ ପୁରୁଷଙ୍କ ପୁରୁଣା ରୋଗ। କିନ୍ତୁ ଭାବି ପତ୍ନୀଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ଯୋଜନାରେ ମିଛ କହିବା କିଛି ଅପରାଧ ନୁହେଁ। ଏଭଳି ବିଶ୍ୱାସ ରଖି ନିଜ ଭାବି ପତ୍ନୀଙ୍କୁ ମିଛ କହିଥିଲେ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଏବି ଡି’ଭିଲିୟର୍ସ। ବାଂଧବୀ ଡାନିଏଲ୍‌ଙ୍କୁ ଆଗ୍ରାର ବିଶ୍ୱବିଖ୍ୟାତ ତାଜମହଲ ପରିସରରେ ବିବାହ ପ୍ରସ୍ତାବ ଦେବାକୁ ସେ ମିଛ କହି ସେଠାକୁ ନେଇଥିଲେ। ଏବି ଡି’ଭିଲିୟର୍ସ ଶୁକ୍ରବାର ଏହି ମିଛ ଅଧ୍ୟାୟ ଉପରୁ ପରଦା ଉଠାଇଛନ୍ତି। ୨୦୧୩ ମସିହାର କଥା। ଆଇପିଏଲ୍‌ର କିଛି ମାସ ଆଗରୁ ମୁଁ ଏଭଳି ଯୋଜନା କରିଥିଲି। ତାଜମହଲରେ ବିବାହ ପ୍ରସ୍ତାବ ଦେବାକୁ କରିବା ଯୋଜନା ସମ୍ପର୍କରେ ଡାନିଏଲ୍‌କୁ ଅନ୍ଧାରରେ ରଖିଥିଲି। ସାଥୀରେ ଯେଉଁମାନଙ୍କୁ ନେଇଥିଲି ସେମାନେ ଫଟୋଗ୍ରାଫର୍‌ ଏବଂ ଭିଡିଓଗ୍ରାଫର୍‌ ଥିଲେ। କିନ୍ତୁ ଡାନିଏଲ୍‌କୁ ଏମାନେ ସୁରକ୍ଷାକର୍ମୀ ବୋଲି କହିଥିଲି। ଏକ େଓ୍ଵବ୍‌ ସିରିଜ୍‌ ‘ହ୍ଵାଟ୍‌ ଏ ଡକ୍‌’ କାର୍ଯ୍ୟକ୍ରମ ଅବସରରେ ଏବି ଡି’ଭିଲିୟର୍ସ ଏଭଳି ମିଛର ଖୋଲାସା କରିଛନ୍ତି। ସେସବୁ ମୁହୂର୍ତଗୁଡ଼ିକୁ ମୁଁ କ୍ୟାମେରାରେ ବାନ୍ଧି ରଖିଥିଲି। ସେହିବର୍ଷ (୨୦୧୩) ଡାନିଏଲ୍‌କୁ ଡି’ଭିଲିୟର୍ସ ବିବାହ କରିଥିଲେ। ଏବେ ଦୁଇଟି ସନ୍ତାନର ଜନନୀ ହୋଇ ସାରିଛନ୍ତି ଡାନିଏଲ୍‌। ‘ସେସବୁ ସମୟ ମୋ ଜୀବନର ସ୍ୱତନ୍ତ୍ର, ମୁଁ ଡାନିଏଲ୍‌କୁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ଚକିତ କରିଥିଲି। ତାଜମହଲକୁ ଚୟନ କରିନଥିଲେ ମୁଁ ଏହାଠୁ ଅଧିକ ସ୍ୱତନ୍ତ୍ର ସ୍ଥାନ ପାଇନଥାନ୍ତି। ମୋର ମନେ ଅଛି ଫେରିବା ପରେ ମୋତେ ବିରାଟ କୋହଲି କ’ଣ କହିଥିଲେ। ତୁମେ ଆମ ପାଇଁ ଉଚ୍ଚା ଉଦାହରଣ ରଖିଦେଲ। କିନ୍ତୁ ମୁଁ ଏବେ ଭାବୁଛି ଅନୁଷ୍କା ସହିତ ବିରାଟ ବି ବେଶ୍‌ ଭଲ ସମୟ କାଟୁଛନ୍ତି ବୋଲି ମିଷ୍ଟର୍‌ ୩୬୦ କହିଛନ୍ତି। ଦକ୍ଷିଣ ଆଫ୍ରିକୀୟ କିମ୍ବଦନ୍ତୀ ଜଣ୍ଟି ରୋଡ୍‌ସ ମଧ୍ୟ ଏହି କାର୍ଯ୍ୟକ୍ରମ (େଓ୍ଵବ୍‌ ସିରିଜ୍‌ ‘ହ୍ଵାଟ୍‌ ଏ ଡକ୍‌’)ରେ ଭାଗ ନେଇଥିଲେ। ଡାନିଏଲ୍‌ଙ୍କ ନିର୍ବନ୍ଧ ମୁଦିର ରୂପରେଖ କିଭଳି ହେବ ସେ କଥାକୁ ଗୋପନରେ ରଖିଥିବା ଏବି ଡି’ଭିଲିୟର୍ସଙ୍କୁ ରୋଡ୍‌ସ ସମର୍ଥନ କରିଥିଲେ। ‘ମୋ ମତରେ ଡେଲ୍‌ ଷ୍ଟେନ୍‌ଙ୍କୁ ରିଭର୍ସ ସୁଇପ୍‌ରେ ଛକା ମାରିବାଠାରୁ ଭାବି ପନ୍ନୀ ପାଇଁ ମୁଦି ତିଆରି କରିବା ଅଧିକ ସାହସର କାମ’ ବୋଲି ରୋଡ୍‌ସ କହିଥିଲେ। ଡି’ଭିଲିୟର୍ସ କହିଥିଲେ, ‘ଡାନିଏଲ୍‌ ଏହାକୁ ପସନ୍ଦ କରିଥିଲେ। କିନ୍ତୁ ସେ ମୋତେ ସମ୍ଭବତଃ ସତ ନ କହି, ଲୁଚାଉଥିବେ’। ବିଦ୍ୟାଳୟ ଜୀବନରୁ ଜଣ୍ଟି ରୋଡ୍‌ସ ମୋ ଆଦର୍ଶ ଖେଳାଳି। ୧୯୯୨ ମସିହାରେ ପାକିସ୍ତାନ ବିପକ୍ଷ ସେହି ଡାଇଭ୍‌କୁ ମୁଁ ନକଲ କରି ଆଣ୍ଠୁରେ ଦାଗ ରଖିଛି। ମୁଁ ଅନେକ ଥର ଏଭଳି ରନ୍‌ ଆଉଟ୍‌ କରିବାକୁ ଚେଷ୍ଟା କରିଛି। ତାଙ୍କ ଭଳି ହେବାକୁ ଚେଷ୍ଟା କରି ଆସିଛି। ଜଣ୍ଟି ଜଣେ ଭଲ ଗୁରୁ ଏବଂ ଭଲ ମଣିଷ ବି ବୋଲି କହିଥିଲେ ଡି’ଭିଲିୟର୍ସ। ଜଣ୍ଟି ରୋଡ୍‌ସ ଯେଭଳି ତାଙ୍କ କନ୍ୟାର ନାମ ଇଣ୍ଡିଆ ଦେଇଛନ୍ତି, ମୋର ପୁଅ ହୋଇଥିଲେ ମୁଁ ତାଜ୍‌ ଦେଇଥାନ୍ତି ବୋଲି ପ୍ରକାଶ କରିଥିଲେ ଏବି।