ଏବି ଡି’ଭିଲିୟର୍ସ, ବିରାଟଙ୍କ ବ୍ୟାଟିଂ ମନ ‌ମୋହିଥିଲା

ପୂରାତନ ଆଫ୍ରିକୀୟ କଥା‌ରେ ଅଛି ଡେଙ୍ଗା ଗଛ ସବୁଠୁ ଅଧିକ ପବନ ମାଡ଼ ସହିଥାଆନ୍ତି। ଇଡେନ୍ ଗାର୍ଡେନ୍ସର ହାଇଭୋଲଟେଜ୍ ଶୁକ୍ରବାର ସଂଧ୍ୟାରେ ଏହି କଥା ବିରାଟ କୋହଲି ଏବଂ କୁଲ୍‌ଦୀପ ଯାଦବଙ୍କ କ୍ଷେତ୍ରରେ ପୂରା ପ୍ରଯୁଜ୍ୟ ଥିଲା। ଭାରତୀୟ କ୍ରିକେଟ୍ ‌ସର୍ବୋ‌ପରି ବିଶ୍ବ କ୍ରିକେଟ୍‌ରେ କୋହଲିଙ୍କ ଭଳି ବଡ଼ ବୃକ୍ଷ ସମ୍ଭବତଃ ଆଉ କେହିନାହାନ୍ତି। ସେପଟେ କୁଲ୍‌ଦୀପ ମଧ୍ୟ ନିକଟ ଅତୀତରେ ଟେଷ୍ଟ୍‌, ଦିନିକିଆ ଓ ଟ୍ବେଣ୍ଟି-୨୦ ତିନିଟି ଯାକ ଫର୍ମାଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଆଶାଜନକ ଭାବେ ଏହି ଦୁଇ ଖେଳାଳିଙ୍କୁ ସେଦିନ ସବୁଠାରୁ ଅଧିକ ପବନ ସହିବାକୁ ପଡ଼ିଥିଲା। ବିରାଟ କୋଲକାତାରେ ପାଳି ଆରମ୍ଭରୁ ‌ଶେଷ ପର୍ଯ୍ୟନ୍ତ ରହି ଏକ ଚମତ୍କାର ଶତକ ଅର୍ଜନ କଲେ। ତାଙ୍କ ବିସ୍ଫୋରକ ବ୍ୟାଟିଂ ହିଁ ଆମ ବିଜୟକୁ ପକ୍କା କରିଥିଲା। ଆରମ୍ଭରୁ ସେ ଦାୟିତ୍ବବାନ ବ୍ୟାଟିଂ କରିଥିଲେ। କୌଶଳ କରି ଖାଲି ସ୍ଥାନରୁ ରନ୍ ସଂଗ୍ରହ କରି ନେଉଥିଲେ। ମୋଇନ ଅଲ୍ଲୀ ସେତେବେଳେ ଆକ୍ରମଣର ଭାର ସମ୍ଭାଳିଥିଲେ। ଶେଷ ୪ ଓଭରରେ ବିରାଟ ଧମାକାଦାର ଖେଳ ଖେଳି ମାତ୍ର ୧୬ ବଲ୍‌ରୁ ୪୫ ରନ୍ ଅମଳ କରି ନେଇଥିଲେ। ଭାରତ ଏବଂ ଆରସିବିର ନେତୃତ୍ବ ସେ ଖୁବ୍ ସାହସ ଏବଂ ଦକ୍ଷତାର ସହ ନେଉଛନ୍ତି। ତାଙ୍କ ପ୍ରତିଟି କାର୍ଯ୍ୟ ଉପରେ ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରେମୀଙ୍କ ତୀକ୍ଷ୍ଣ ନଜର ରହିଛି। ତାଙ୍କୁ କାମ କରୁଥିବା, ଅଭ୍ୟାସ କରୁଥିବା ଏବଂ ଯୋଜନା ପ୍ରସ୍ତୁତ କରୁଥିବାର ଦେଖିବା ମୋ ପାଇଁ ସମ୍ମାନର ବିଷୟ। ଜଣେ ବ୍ୟକ୍ତି ଏବଂ କ୍ରିକେଟର ଭାବେ ମୁଁ ତାଙ୍କୁ ବହୁତ ସମ୍ମାନ କରେ। ସ୍ପିନରଙ୍କ ପାଇଁ କଠିନ ରାତିରେ କୁଲଦୀପ ମୋଇନ ଅଲ୍ଲୀଙ୍କୁ ୫ ବଲ୍‌ରେ ୨୭ ରନ୍ ବ୍ୟୟ କରିଥିଲେ। ଷଷ୍ଠ ବଲ୍‌ରେ ଅବଶ୍ୟ ଏହି ଇଂଲିସ୍ ଅଲରାଉଣ୍ଡରଙ୍କୁ କୁଲଦୀପ ଆଉଟ୍ କରିଦେଇଥିଲେ। ଏହି ଦକ୍ଷ ଚାଇନାମ୍ୟାନ୍ ବୋଲର ହତାଶାର ସହ ନିଜ ଟୋପି ପଡ଼ିଆକୁ ଫିଙ୍ଗିବା ଏବଂ ଅସହାୟ ଭାବେ ସୀମା ରେଖାକୁ ଚାହିଁ ରହିବା ଭଳି ଦୃଶ୍ୟ ଦେଖିବା ଭାରି କଷ୍ଟକର। ମାତ୍ର ୨୪ ବର୍ଷ ବୟସରେ ନିଃସନ୍ଦେହରେ କୁଲଦୀପ ଜଣେ ଶ୍ରେଷ୍ଠ ଚାଇନାମ୍ୟାନ୍ ବୋଲର। ତାଙ୍କୁ ପଢ଼ିବା ସେତେଟା ସହଜ ନୁହେଁ। ମୋର ପୂର୍ଣ୍ଣ ବିଶ୍ବାସ ରହିଛି ଯେ ଭାରତର ବିଶ୍ବକପ୍ ଅଭିଯାନରେ ସେ ନିର୍ଣ୍ଣାୟକ ଭୂମିକା ତୁଲାଇବେ। କେକେଆରକୁ ହରାଇବା ପରେ ଆମ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ରବିବାରର ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚ୍ ବେଳକୁ ମୁଁ ବ୍ୟକ୍ତିଗତ ଭାବେ ଫିଟ୍ ‌ହୋଇ ଯାଇଥିବି ବୋଲି ଆଶା କରୁଛି।

ସମ୍ବନ୍ଧିତ ଖବର