ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ଆମ ପାଇଁ ଘର ଭଳି। ଏ ସହରକୁ ମୁଁ ଭଲ ପାଇବା ଭିତରେ ବଢ଼ିଛି। ଏହାର ପରିବେଶ, ଇତିହାସ ଅନ୍ୟଠାରୁ ଭିନ୍ନ। ଆର୍ସିବି ପ୍ରତିଥର ପଡ଼ିଆକୁ ଓହ୍ଳାଇବା ବେଳେ ପ୍ରଶଂସକ ଷ୍ଟାଡିୟମ୍ରେ ଭର୍ତି ହୋଇଯାଆନ୍ତି। ଦୁର୍ଭାଗ୍ୟଜନକ ଭାବେ ଭ୍ରମଣକାରୀ ଦଳ ଗତବର୍ଷ ଏହି ପଡ଼ିଆକୁ ମଧ୍ୟ ଭଲ ପାଇ ବସିଥିଲେ। ଅଧିକାଂଶ ପଏଣ୍ଟ୍ ନେଇ ଫେରିଥିଲେ। ଆମେ ୭ଟି ଘରୋଇ ମ୍ୟାଚ୍ରୁ ମାତ୍ର ଗୋଟିଏ ଜିତିଥିଲୁ। ମୁମ୍ବାଇ, ପୁନେ, ଗୁଜରାଟ, ପଞ୍ଜାବ, କୋଲ୍କାତା ନିକଟରୁ ହାରିଥିଲା ବେଳେ ହାଇଦ୍ରାବାଦ ମୁକାବିଲା ବାତିଲ ହୋଇଥିଲା। ଆମେ ଦୁର୍ବଳ ପ୍ରଦର୍ଶନ କରିଥିଲୁ, ଯେଉଁଥି ପାଇଁ କ୍ଷମା ନ ଥିଲା।
ଏ କଥା ସତ ଯେ ଗତ ଋତୁରେ ଏଠାରେ ପିଚ୍ ମନ୍ଥର ଓ ବଲ୍ ତଳୁଆ ରହୁଥିଲା। ୧୩୦ ବା ୧୪୦ ରନ୍ ମଧ୍ୟ ବିଜୟୀ ସ୍କୋର୍ ଲାଗୁଥିଲା। ସେପର୍ଯ୍ୟନ୍ତ ଏହି ପଡ଼ିଆ କ୍ରିକେଟ୍ ବିଶ୍ୱର ଛକାର ରାଜଧାନୀ ଭାବେ ପରିଚିତ ଥିଲା। ୨୦୧୬ ମସିହା ପର୍ଯ୍ୟନ୍ତ ଚିନ୍ନାସ୍ୱାମୀରେ ଓଭର ପିଛା ୮.୬୧ ହାରରେ ରନ୍ ହେଉଥିଲା। ସର୍ବଭାରତୀୟ ସ୍ତରରେ ଏହା ସର୍ବାଧିକ ଥିଲା। ୨୦୧୭ରେ କିନ୍ତୁ ଏହା ୭.୪୨କୁ ଖସିଯାଇଥିଲା। ଆଇପିଏଲ୍ ଇତିହାସ ଦେଖିଲେ ଏଠାରେ କ୍ରିସ୍ ଗେଲ୍ ୧୭୫ ରନ୍ ସଂଗ୍ରହ କରିବା ସହିତ ଆର୍ସିବି ୨୬୩, ୨୪୮ ରନ୍ ଭଳି ବଡ଼ ବଡ଼ ସ୍କୋର୍ କରୁଥିଲା। ୨୦୧୭ ମସିହା କିନ୍ତୁ ଅଭୁଲା ଦୁର୍ଭାଗ୍ୟ ଛାଡ଼ିଥିଲା।
ଚଳିତ ବର୍ଷର ଚିନ୍ନାସ୍ୱାମୀ ପିଚ୍କୁ ନେଇ ମୋର କିଛି ଧାରଣା ନାହିଁ। ଆଉଟ୍ ଫିଲ୍ଡ କିନ୍ତୁ ଭଲ ରହିଛି। ଆମ ପାଇଁ ଏବଂ ପ୍ରଶଂସକଙ୍କ ପାଇଁ ଏହା ଭଲ। ରନ୍ ବହିବା ଧାରା ଯଦି ଆରମ୍ଭ ହୋଇଗଲା ତେବେ ଆମେ ନିଶ୍ଚିତ ବିଜୟ ଖୋଜି ପାଇବୁ। ଶୁକ୍ରବାର କିଙ୍ଗ୍ସ ଏକାଦଶ ପଞ୍ଜାବ ସହିତ ଖେଳି ଆମେ ଆମ ଘରୋଇ ଅଭିଯାନ ଆରମ୍ଭ କରିବୁ। ଆମେ ଘରୋଇ କାମ ସାରିଛୁ, ସେମାନେ କିନ୍ତୁ ଶକ୍ତିଶାଳୀ ଦଳ। ଏଥର ସେମାନେ ସବୁଠୁ ଶକ୍ତିଶାଳୀ ଲାଗୁଛନ୍ତି। ଆମକୁ ଭଲ ବ୍ୟାଟିଂ ଏବଂ ଠିକଣା ଜାଗାରେ ବୋଲିଂ ମଧ୍ୟ କରିବାକୁ ପଡ଼ିବ। ପ୍ରଶଂସକଙ୍କୁ ଉତ୍ସାହିତ ଏବଂ ଉଲ୍ଲସିତ କରିପାରିଲେ ନିଶ୍ଚିତ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ପୁଣି ଗର୍ଜି ଉଠିବ। (ଟିସିଏମ୍)