ଡିଭିଲିୟର୍ସଙ୍କ ଶତକରେ ଦକ୍ଷିଣ ଆଫ୍ରିକା ଦୃଢ଼

ପୋର୍ଟଏଲିଜାବେଥ୍‌: ପୋର୍ଟ ଏଲିଜାବେଥ୍‌ ଟେଷ୍ଟ୍‌ରେ ଦକ୍ଷିଣ ଆଫ୍ରିକା ଦୃଢ଼ ସ୍ଥିତିରେ ରହିଛି। ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ (୧୨୬*)ଙ୍କ ଅପରାଜିତ ଶତକ ହିଁ ଏହି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇ ଦେଇଛି। ୨୦୧୫ ମସିହା ପରେ ଡିଭିଲିୟର୍ସ ରବିବାର ଅର୍ଜନ କରିଥିବା ପ୍ର୍ରଥମ ଟେଷ୍ଟ୍‌ ଶତକ କିନ୍ତୁ ଆଷ୍ଟ୍ରେଲିଆକୁ ପୂରା ଅଡ଼ୁଆରେ ପକାଇଛି। ପ୍ରଥମ ପାଳିରେ ୧୩୯ ରନ୍‌ରେ ପଛୁଆ ରହିବା ପରେ ରବିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅସମାପ୍ତ ଦ୍ୱିତୀୟ ପାଳିରେ ୫ ଓ୍ଵିକେଟ୍‌ ହରାଇ କଙ୍ଗାରୁ ଦଳ ମାତ୍ର ୧୮୦ ରନ୍‌ କରିଛି। ଫଳରେ ହାତରେ ଆଉ ୫ ଓ୍ଵିକେଟ୍‌ ଥାଇ ମାତ୍ର ୪୧ ରନ୍‌ରେ ଆଗୁଆ ରହିଛି। ଆଜିର ଚା’ ପାନ ବରତି ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ପାଳିର ନିଅଣ୍ଟକୁ ୫୩ ରନ୍‌କୁ କମାଇ ଆଣିଥିଲା। ହେଲେ ଏହା ପରେ ଅଧିନାୟକ ଷ୍ଟିଭେନ ସ୍ମିଥ୍‌ (୧୧) ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ଵାର୍ନର (୧୩)ଙ୍କ ବହୁମୂଲ୍ୟ ଓ୍ଵିକେଟ୍‌ ସହ ଲଗାତାର ତିନିଟି ଓ୍ଵିକେଟ୍‌ ହରାଇ ପଥଭ୍ରଷ୍ଟ ହୋଇଥିଲା। କାଗିସୋ ରବାଦାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ବୋଲର ଝଟ୍‌କା ଉପରେ ଝଟ୍‌କା ଦେବା ପରେ ଉସମାନ ଖଓ୍ଵାଜା (୭୫) ଓ ମିଚେଲ ମାର୍ସ (୩୯*) ଅଷ୍ଟ୍ରେଲିଆ ପ୍ରତି ଆକ୍ରମଣର ନେତୃତ୍ୱ ନେଇଥିଲେ। ହେଲେ ଖେଳ ବନ୍ଦ ହେବାର ୧୧ ବଲ୍‌ ପୂର୍ବରୁ ଖଓ୍ଵାଜାଙ୍କୁ ପାଭିଲିୟନ ଫେରାଇ ରବାଦା ଦକ୍ଷିଣ ଆଫ୍ରିକା ପଲ୍ଲା ଭାରି କରି ଦେଇଥିଲେ। ଆଜି ଆଉଟ୍‌ ହୋଇଥିବା କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସନ୍‌ ମାର୍ସ ୧ ଏବଂ କ୍ୟାମେରନ୍‌ ବାନକ୍ରଫ୍ଟ ୨୪ ରନ୍‌ କରିଥିଲେ। ଏହା ପୂର୍ବରୁ ଶନିବାରର ସ୍କୋର ୨୬୩/୭ରୁ ରବିବାର ଖେଳ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ଏଥିରେ ଆଉ ୧୧୯ ରନ୍‌ ଯୋଡ଼ି ବଳକା ୩ ଓ୍ଵିକେଟ୍‌ ହରାଇଥିଲା। ନିମ୍ନକ୍ରମରେ ଖେଳୁଥିବା ଭର୍ନାନ ଫିଲାଣ୍ଡର (୩୬) ଓ କେଶବ ମହାରାଜ (୩୦)ଙ୍କ ସହ ମିଶି ଡିଭିଲିୟର୍ସ ନିଜ ୨୨ତମ ଟେଷ୍ଟ ଶତକ ପୂରଣ କରିଥିଲେ। ତା’ ସହ ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳି ୩୮୨ ରନ୍‌ରେ ପହଞ୍ଚି ଯାଇଥିଲା। ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୨୪୩ ରନ୍‌ କରିଥିଲା।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି ୨୪୩। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି ୩୮୨ (ଏବି ଡିଭିଲିୟର୍ସ ୧୨୬*, ଡିନ୍‌ ଏଲଗାର ୫୭, ହାସିମ ଆମଲା ୫୬, କେଶବ ମହାରାଜ ୩୦, ଭର୍ନାନ ଫିଲାଣ୍ଡର ୩୬, ପ୍ୟାଟ୍‌ କମିନ୍ସ ୩/୭୯, ମିଚେଲ ମାର୍ସ ୨/୨୬। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି ୧୮୦/୫ (ଉସମାନ ଖଓ୍ଵାଜା ୭୫, ମିଚେଲ ମାର୍ସ ୩୯*, କାଗିସୋ ରବାଦା ୩/୩୮)।

ସମ୍ବନ୍ଧିତ ଖବର