ଏବି ଡିଭିଲିୟର୍ସ: ସୁନ୍ଦର ଆମ ବିଜୟର ଅସଲ ନାୟକ

ଆର୍‌ସିବି ଏଥର ଦୁଇ ପ୍ରକାର ପୋଷାକରେ ଆଇପିଏଲ୍‌ ଖେଳୁଛି। ଘରୋଇ ପରିବେଶରେ କାନ୍ଧରେ ଲାଲ ଏବଂ ତଳେ କଳା ଏବଂ ବାହାରେ କାନ୍ଧରେ କଳା ଏବଂ ତଳେ ଲାଲ ରଙ୍ଗ ଥିବା ଜର୍ସିରେ ପଡ଼ିଆକୁ ଓହ୍ଲାଉଛି। ଯାହା ଦେଖିବାକୁ ଅତି ସୁନ୍ଦର ଲାଗୁଛି। ହେଲେ କେବେ କେବେ ଏଥିନେଇ ଦ୍ୱନ୍ଦ୍ୱ ବି ସୃଷ୍ଟି ହେଉଛି। ଶୁକ୍ରବାର ଆମ ଦ୍ୱିତୀୟ ମ୍ୟାଚ୍‌ରେ କ୍ୱିଣ୍ଟନ ଡି’ କକ୍‌ ଏଥିପାଇଁ ଟିକିଏ ଅଡ଼ୁଆରେ ପଡ଼ି ଯାଇଥିଲେ। ଘରୋଇ ମ୍ୟାଚ୍‌ ପାଇଁ ସେ ବାହାରେ ପିନ୍ଧିବାକୁ ଥିବା ପୋଷାକ ପିନ୍ଧି ନେଇଥିଲେ। ମ୍ୟାଚ୍‌ ପୂର୍ବରୁ ଅବଶ୍ୟ ଏହି ଭୁଲକୁ ଆମେ ସୁଧାରି ନେଇଥିଲୁ।

ଶୁକ୍ରବାରର କିଙ୍ଗ୍ସ ଏକଦଶ ବିପକ୍ଷ ମ୍ୟାଚ୍‌ରେ ଉମେଶ ଯାଦବ ଚମତ୍କାର ବୋଲିଂ କରିଥିଲେ। ତାଙ୍କ ପାଇଁ କିଙ୍ଗ୍ସ ଏକାଦଶ ପଞ୍ଜାବ ସମ୍ଭବତଃ ୨୦ ରନ କମ୍‌ କରିଥିଲା। ଚତୁର୍ଥ ଓଭରରେ ତିନିଟି ଓ୍ଵିକେଟ୍‌ ନେଇଥିବାରୁ ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅନ୍ୟ ପକ୍ଷରେ ଆମ ଯୁବ ସ୍ପିନର ଓ୍ଵାସିଂଟନ ସୁନ୍ଦର ୪ ଓଭର ବୋଲିଂ କରି ୨୨ ରନ୍‌ ବିନିମୟରେ ୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ସେହିଭଳି ଚାପରେ ଥିଲା ବେଳେ ଦୁଇଟି ଚୌକା ମାରି ଆମକୁ ବିଜୟୀ କରାଇଥିଲେ। ସେଥିପାଇଁ ଆଭ୍ୟନ୍ତରିଣ ଆକଳନରେ ସେ ହିଁ ଦଳ ପାଇଁ ଶ୍ରେଷ୍ଠ ଅବଦାନ କରିଥିଲେ ବୋଲି ପ୍ରଶିକ୍ଷକ ଡାନିଏଲ୍‌ ଭିଟୋରି ହୃଦୟଙ୍ଗମ କରିଥିଲେ। ତେଣୁ ପାରମ୍ପରିକ ଭାବେ ଆମ ବିଜୟ ଉତ୍ସବ ପାଳନ ସେ ଓ୍ଵାସିଂଟନଙ୍କୁ ମ୍ୟାଚ୍‌ ବଲ୍‌ ଉପହାର ଦେଇଥିଲେ। ଯାହାକୁ ସମସ୍ତେ ଏକ ସ୍ୱରରେ ସମର୍ଥନ କରିଥିଲେ। ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆମକୁ ସମର୍ଥନ କରିଥିବା ଦର୍ଶକମାନେ ମଧ୍ୟ କିଛି ପୁରସ୍କାର ପାଇବାକୁ ହକଦାର। ଆମ ପାଇଁ ଏହି ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ନିର୍ଣ୍ଣାୟକ ମୋଡ଼ରେ ଆମକୁ ସମର୍ଥକମାନେ ମନ ଖୋଲା ସମର୍ଥନ ଦେଇଥିଲେ। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରବିବାର ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ମୋର ଦୃଢ଼ ଆତ୍ୱବିଶ୍ୱାସ ରହିଛି। ଘରୋଇ ପରିବେଶରେ ଆମେ ପୁଣି ଥରେ ଜିତିବୁ ବୋଲି ବିଶ୍ୱାସ। (ଟିସିଏମ୍‌)

ସମ୍ବନ୍ଧିତ ଖବର