ଅବ୍ ବାସ୍ ହକି : ଆଜି ବେଲ୍ଜିୟମ୍-କାନାଡ଼ା, ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା
ଶୀର୍ଷରେ ରହି ସିଧାସଳଖ କ୍ବାର୍ଟରଫାଇନାଲ୍ ଲକ୍ଷ୍ୟ: ମନପ୍ରୀତ୍
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ମନ ମୋହିଲା, ହୃଦୟ ଜିତିବା ଭଳି ଏବଂ ବିଶ୍ବକୁ ଦେଖାଇଦେବା ଭଳି ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯିବା ପରେ ଏବେ ସମସ୍ତଙ୍କ ନଜର କଳିଙ୍ଗ ହକି କଂପ୍ଲେକ୍ସର ଷ୍ଟିକ୍ ଚାଳନା କଳା ଉପରେ। ବିଶ୍ବକପ୍ର ଅବ୍ୟବହିତ ପୂର୍ବରୁ ହୋଇଥିବା ଅନ୍ୟତମ ଲୋକପ୍ରିୟ ସ୍ଲୋଗାନ ‘ଅବ୍ ବାସ୍ ହକି’ ସହ ତାଳ ଦେଇ ବୁଧବାର ସଂଧ୍ୟାରୁ ଆରମ୍ଭ ହୋଇଯିବ ହକି ଆକ୍ସନ। ଅନେକ କିଛି ନୂଆ ନେଇ ଆସିଥିବା ଏହି କଳିଙ୍ଗ ଅଷ୍ଟ୍ରୋଟର୍ଫରେ ପ୍ରଥମ ଦିନରୁ ହିଁ ଭାରତ ଅଭିଯାନ ଆରମ୍ଭ କରିବ। ନୀଳ ଟର୍ଫରେ ଧଳା ବଲ୍କୁ ନେଇ ଖେଳାଯିବାକୁ ଥିବା ଉଦ୍ଘାଟନୀ ଦିବସରେ ପୁଲ ‘ସି’ର ଉଭୟ ମ୍ୟାଚ୍ ଖେଳାଯିବ। ସଂଧ୍ୟା ୫ଟାରେ ବେଲ୍ଜିୟମ ବନାମ କାନାଡ଼ା ଏବଂ ୭ଟାରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟି ଓଡ଼ିଶା ପୁରୁଷ ହକି ବିଶ୍ବକପ୍ରେ ଅଭିଯାନ ଆରମ୍ଭ କରିବେ। ଏଥି ସହିତ ହକି ବିଶ୍ବକପ୍ ଓଡ଼ିଶା ପଦାର୍ପଣ କରି ନୂଆ ଇତିହାସ ରଚିଯିବ। କୌଣସି ନିର୍ଦ୍ଧିଷ୍ଟ ଅଲିମ୍ପିକ୍ସ ଖେଳର ସମ୍ପୂର୍ଣ୍ଣ ବିଶ୍ବକପ୍ ଓଡ଼ିଶାରେ ହେବା ଏହା ପ୍ରଥମ ଘଟଣା।
ଦୀର୍ଘ ୪୩ ବର୍ଷ ଧରି ବିଶ୍ବକପ୍ ପଦକ ବିହୀନ ଥିବା ଅଲିମ୍ପିକ୍ସ କୀର୍ତିମାନଧାରୀ ଭାରତ ଏଥର ଯୁବ ଓ ଅଭିଜ୍ଞ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇବ। ୨ ବର୍ଷ ତଳେ ଘରୋଇ ପରିବେଶରେ ଲକ୍ଷ୍ନୌରେ କନିଷ୍ଠ ବିଶ୍ବକପ୍ ବିଜେତା ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିବା ହରେନ୍ଦ୍ର ସିଂହଙ୍କ ଅଧୀନରେ ଘରୋଇ ଦଳ ଭୁବନେଶ୍ବରରେ ନିଜକୁ ପ୍ରସ୍ତୁତ ଏବଂ ଶାଣିତ କରିବାରେ ବ୍ୟସ୍ତ ଥିଲା। ଏବେ ଅସଲ ପରୀକ୍ଷା ଆସି ଉପନୀତ। ପ୍ରଥମ ମ୍ୟାଚ୍ରୁ ଭାରତ ଅପେକ୍ଷାକୃତ ନିମ୍ନ ମାନ୍ୟତାପ୍ରାପ୍ତ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଥିବାରୁ ମନପ୍ରୀତ୍ ସିଂହଙ୍କ ଦଳ ଆତ୍ମବିଶ୍ବାସରେ ରହିଛି। ଭାରତ ମାନ୍ୟତା ୫ ଏବଂ ଦକ୍ଷିଣ ଆଫ୍ରିକା ମାନ୍ୟତା ୧୫। ଚଳିତ ୨୦୧୮ ମସିହା ଭାରତୀୟ ହକି ପାଇଁ ଭଲ ବିତିଥିବାରୁ ଘରୋଇ ମାଟିରେ ବିଶ୍ବକପ୍ ସ୍ବପ୍ନ ଦେଖିଛନ୍ତି ଭାରତୀୟ ହକି ପ୍ରେମୀ। କେବଳ ଏସୀୟ କ୍ରୀଡ଼ାର ନିରାଶାଜନକ କାଂସ୍ୟକୁ ଛାଡ଼ି ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ରୌପ୍ୟ ଏବଂ ଏସୀୟ ଚାମ୍ପିଅନ୍ସ ଟ୍ରଫି ସ୍ବର୍ଣ୍ଣ (ପାକିସ୍ତାନ ସହ ଯୁଗ୍ମ ଭାବେ) ଜିତିଛି ଏ ବର୍ଷ। ପ୍ରଶିକ୍ଷକ ହରେନ୍ଦ୍ର ସିଂହ କିନ୍ତୁ କହିଛନ୍ତି, ଆମେ କେବଳ ଅଭିଜ୍ଞତାକୁ ଛାଡ଼ିଦେଲେ ଅତୀତର ସବୁ ଭଲ ଖରାପକୁ ଛାଡ଼ି ଦେଉଛୁ।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆ ଆହ୍ବାନକୁ ନୂଆ ଦଳ ସଫଳତାରେ ରୂପାନ୍ତର କରିବାକୁ ଚେଷ୍ଟା କରିବ। ଏଥି ପାଇଁ ଦଳ ପ୍ରସ୍ତୁତ ବୋଲି ସେ କହିଛନ୍ତି। ତେବେ ଆଫ୍ରିକୀୟ ବିଜେତା ଦଳକୁ ଭାରତ କିଭଳି ପରାହତ କରୁଛି ବୁଧବାର ସଂଧ୍ୟାରେ ଦେଖିବେ କଳିଙ୍ଗ ପ୍ରଶଂସକ। ଗ୍ରୁପ୍ ଶୀର୍ଷରେ ରହି ସିଧାସଳଖ କ୍ବାର୍ଟରଫାଇନାଲ୍ ଯିବା ଲକ୍ଷ୍ୟରେ ରହିଛୁ ବୋଲି କହିଛନ୍ତି ଭାରତୀୟ ଦଳ ଅଧିନାୟକ ମନପ୍ରୀତ୍ ସିଂହ। ଭାରତୀୟ ହକି ଦଳ ଆଗରୁ ଅନ୍ତର୍ଜାତୀୟ ସ୍ତରର ପଦକ ଟିଏ ପାଇଁ ସଂଘର୍ଷ କରୁଥିଲା, ବିଗତ କିଛି ବର୍ଷ ମଧ୍ୟରେ ଏହା ବଦଳିଯାଇଛି। ଆମେ ଏବେ ନିରଂତର ଭାବେ ପଦକ ଜିତି ଆସୁଛୁ ବୋଲି ଆତ୍ମବିଶ୍ବାସରେ ଥିବା ମନପ୍ରୀତ୍ କହିଥିଲେ। ଏ ବିଶ୍ବକପ୍ର ଅନ୍ୟ ୩ ପୁଲ ତୁଳନାରେ ‘ସି’ ସମ୍ପୂର୍ଣ୍ଣ ନିଆରା। ଲାଟିନ୍ ଆମେରିକୀୟ, ୟୁରୋପୀୟ ଏବଂ ଆଫ୍ରିକୀୟ ଷ୍ଟାଇଲ ଥିବାରୁ ଆମକୁ ସେହି ତୁଳନାରେ ଯୋଜନା କରି ଖେଳିବାକୁ ହେବ। ବୁଧବାରର ପ୍ରତିଦ୍ବନ୍ଦ୍ବୀ ଦକ୍ଷିଣ ଆଫ୍ରିକା ଶାରୀରିକ ଖେଳ ଖେଳିଥାଏ, ଏହାକୁ ମୁକାବିଲା କରିବାକୁ ପଡ଼ିବ ବୋଲି କହିଛନ୍ତି ଭାରତୀୟ ଦଳ ପ୍ରଶିକ୍ଷକ ହରେନ୍ଦ୍ର ସିଂହ। ଭାରତୀୟ ଦଳ ଅଧିକ ଯୁବ ବୋଲି ପ୍ରଶ୍ନ ହେବାରୁ ହରେନ୍ଦ୍ର କହିଥିଲେ, ଆମେ ପୂର୍ବ ବିଶ୍ବକପ୍ ଏବଂ ଅଲିମ୍ପିକ୍ସ ବେଳେ ମଧ୍ୟ ଏଭଳି ଦଳ ନେଇ ଖେଳିଥାଉ। ଏହା ଚିନ୍ତାର କାରଣ ନୁହେଁ। ଭାରତୀୟ ପୋଷାକ ପିନ୍ଧିବାକୁ ସମସ୍ତେ ଆଗ୍ରହୀ, ପ୍ରଦର୍ଶନ ଜରିଆରେ ଏହାକୁ ପ୍ରମାଣିତ କରିବାକୁ ବ୍ୟଗ୍ର। କଳିଙ୍ଗ ଷ୍ଟାଡିୟମ ସମର୍ଥକଙ୍କଠାରୁ ମିଳୁଥିବା ଜୋସ୍ ଆମର ୪୦ ପ୍ରତିଶତ ଚାପ ହଟାଇଦେବ। ସେମାନେ ଭାରତୀୟ ଦଳ ପାଇଁ ୧୨ତମ ଖେଳାଳି ଭାବେ ହେବେ ବୋଲି ମଧ୍ୟ ହରେନ୍ଦ୍ର ଆଶା ବ୍ୟକ୍ତ କରିଥିଲେ। ବ୍ୟକ୍ତିଗତ ଭାବେ ମୁଁ କ୍ରସ୍ ଓଭର ଫର୍ମାଟକୁ ସମର୍ଥନ କରୁଛି ବୋଲି ହରେନ୍ଦ୍ର କହିଥିଲେ। ଏହା ଆମକୁ ପରବର୍ତୀ ମ୍ୟାଚ୍ ପାଇଁ ସୂଚନା ଓ ସୁଯୋଗ ଦେବ।